ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍‌ ଇନ୍ ଓଡ଼ିଶା କନକ୍ଲେଭକୁ ନେଇ ରାଜନୀତି ରୁଟି ସେକିଲେଣି ବିରୋଧୀ। ବିଜେଡି ଦେଲା ଜବାବ।

ରବିବାରଠୁ ଓଡ଼ିଶାରେ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮। ୨୦୧୯ ନିର୍ବାଚନ ପୂର୍ବରୁ ଆୟୋଜିତ ହେଉଥିବା ଏହି ଶିଳ୍ପ ମହାକୁମ୍ଭକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗିପଡ଼ିଛନ୍ତି। ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରର ଜନତା ମଇଦାନ ଅପେକ୍ଷା କରି ରହିଛି। ହେଲେ ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ବୟାନବାଜି।

ବିରୋଧୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ନେଇ ସରକାରଙ୍କୁ ଘେରିଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏହି କନକ୍ଲେଭକୁ ଧୂଆଁବାଣ କହିଛନ୍ତି।

“୨୦୧୬ରେ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରିଥିଲେ। ଏଥିରେ ୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କେନ୍ଦ୍ର ସରକାର ୧୦ କୋଟି ଟଙ୍କାର ସହାୟତା ଦେଇଥିଲେ। ଏହି କନକ୍ଳେଭରେ ଯେତିକି ଏମଓୟୁ ସ୍ୱାକ୍ଷର ହୋଇଥିଲା ସେଥିମଧ୍ୟରୁ ମାତ୍ର ୮ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି। ଇସ୍ପାତ କ୍ଷେତ୍ରରେ ୧୬ଟି କମ୍ପାନି ପୁଞ୍ଜି ନିବେଶ କରି ଓଡ଼ିଶାରୁ ଫେରି ଯାଇଛନ୍ତି। ଏହା ହେଉଛି ରାଜ୍ୟ ସରକାରଙ୍କ ବଡ଼ ବିଫଳତା”, କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର।

ସେ ଆହୁରି କହିଛନ୍ତି ଯେ ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜିନେସ୍ ତାଲିକାରେ ଓଡ଼ିଶା ତଳକୁ ଖସୁଛି। ୧୯ ବର୍ଷ ମଧ୍ୟରେ ରାଜ୍ୟରେ ୨୮ଟି ସରକାରୀ ଉଦ୍ୟୋଗରେ ତାଲା ଝୁଲିଲାଣି। ରାଜ୍ୟ ସରକାର କେବଳ କମ୍ପାନିମାନଙ୍କ ଏମ୍‌ଓୟୁ ଛଡ଼ା ଆଗକୁ ବଢ଼ୁ ନାହାନ୍ତି।

ଏପଟେ କଂଗ୍ରେସ ବି ସରକାରଙ୍କୁ ଘେରିଛି। ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନୀ ପାଣ୍ଠି ଯୋଗାଡ଼ ପାଇଁ ଏହି କନକ୍ଲେଭ ବୋଲି କହିଛନ୍ତି।

“ଶିଳ୍ପାୟନରେ ଓଡ଼ିଶା ପଛରେ ପଡ଼ିଛି। ନିଜର ବିଫଳତା ଲୁଚାଇବା ପାଇଁ ଏବଂ ଶିଳ୍ପପତିଙ୍କଠାରୁ ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ରାଜ୍ୟ ସରକାର ଏହି କନକ୍ଲେଭ ଆୟୋଜନ କରୁଛନ୍ତି। ଶିଳ୍ପୋଦ୍ୟୋଗ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ରାଜ୍ୟ ସରକାର ଯାହା କହୁଛନ୍ତି ତାହା ଧୂଆଁବାଣ”, କହିଛନ୍ତି ସତ୍ୟପ୍ରକାଶ ନାୟକ।

ବିରୋଧୀଙ୍କୁ ଜବାବ ଦେଇଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ। ସେ କହିଛନ୍ତି ଯେ ସେମାନେ ଓଡ଼ିଶାର ପ୍ରଗତିକୁ ସହିପାରୁ ନାହାନ୍ତି। ବିଜେପି ୯ ବର୍ଷ ହେଲା ରାଜ୍ୟ ଶାସନର ଭାଗିଦାର ଥିଲା। ତାଙ୍କ ଦଳର ଜଣେ ବରିଷ୍ଠ ନେତା ଶିଳ୍ପ ବିଭାଗର ମନ୍ତ୍ରୀ ଥିଲେ। ଆଜି ଯାହା ବିଜେପି କହୁଛି ସେତେବେଳେ କ’ଣ କରୁଥିଲେ?

ରାଜ୍ୟରେ ୯୨ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ୨୦୧୫ ସୁଦ୍ଧା ରାଜ୍ୟ ସରକାର ୧୫, ୩୧୫ ଶିଳ୍ପସଂସ୍ଥା ବନ୍ଦ ହୋଇପଡ଼ିଛି। ସେଗୁଡ଼ିକର ପୁନରୁଦ୍ଧାର ବାବଦରେ ରାଜ୍ୟ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କଂଗ୍ରେସ କହିଛି।

ଜନତା ମଇଦାନରେ ୫ ଦିନ ଧରି ଚାଲିବ ମେକ୍ ଇନ୍ ଓଡ଼ିଶା କନକ୍ଳେଭ। ଏଥିରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନି, ଗୌତମ ଆଦାନି, କମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦ୍ରାଙ୍କ ଭଳି ପ୍ରମୁଖ ଶିଳ୍ପ ଟାଇକୁନମାନେ ଯୋଗଦେବେ। ଓଡ଼ିଶାର ଶିଳ୍ପାୟନକୁ ଆଗକୁ ନେବା ପାଇଁ ଏହି ମହାକୁମ୍ଭରେ ମନ୍ଥନ ହେବ।

ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କର ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରିବେ।

ଖାଦ୍ୟ ପ୍ରକ୍ରିୟାକରଣ, ସି-ଫୁଡ୍, କେମିକାଲ, ପେଟ୍ରୋ କେମିକାଲ୍‌ସ, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ ଶିଳ୍ପ, ବୟନ ଓ ପୋଷାକ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଫୋକସ୍ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ୍ସପୋ ଉଦଘାଟନ କରିବା ସହ ସୋମବାର ରହିଛି ବିଜ୍‌ନେସ୍ ଲିଡରସିପ୍ ସମିଟ୍।

Comment