ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଗତ ଦୁଇ ଦଶନ୍ଧି ଧରି ବହୁ ବାଧା ବିଘ୍ନକୁ ସାମ୍‌ନା କରି ଆମେ ଓଡ଼ିଶାକୁ ନୂଆ ରୂପ ଦେଇଛୁ। ଓଡ଼ିଶାକୁ ନୂଆ କରି ଗଢ଼ିଛୁ। ସାରା ଦେଶରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମେ ଉଦ୍ୟମ ଚଳାଇଛୁ। ଏଣୁ ନୂଆ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ। ଓଡ଼ିଶାର ବିକାଶରେ ଭାଗିଦାର ହୁଅନ୍ତୁ”, ଶିଳ୍ପପତିମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ଥିଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲା ବିଜିନେସ୍‌ ଲିଡରସିପ୍ ସମିଟ୍। ଏହି କାର୍ଯ୍ୟକ୍ରମରେ ଦେଶର ବଛାବଛା ଶିଳ୍ପପତିମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ନୂଆ ଓଡ଼ିଶାକୁ ଆଗକୁ ନେବା ପାଇଁ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଥିଲେ।

“ଖଣିଜପଦାର୍ଥ ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଓଡ଼ିଶା ହେଉଛି ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ସାରା ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସାରା ଦେଶରେ ଓଡ଼ିଶା ଇସ୍ପାତ ହବ୍ ଭାବେ ପରିଗଣିତ ହେବାକୁ ଯାଉଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଜନ-୨୦୨୫ କଥା କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୫ ସୁଦ୍ଧା ଆମେ ୨ ଲକ୍ଷ ୫୦ ହଜାର କୋଟିର ପୁଞ୍ଜି ନିବେଶ କରିବାକୁ ଲକ୍ଷ୍ୟ ରଖିଛୁ। ଏହାସହ ୬ଟି ନିର୍ଦ୍ଦିଷ୍ଟ ସେକ୍ଟରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ଓଡ଼ିଶାର ଇକୋସିଷ୍ଟମକୁ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବନ୍ଦରଗୁଡ଼ିକର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପାରାଦୀପ ଏବଂ ଧାମରା ବନ୍ଦରର ବିକାଶ ସହିତ ସୁବର୍ଣ୍ଣରେଖା ଏବଂ ଗୋପାଳପୁରରେ ଗଭୀର ଜଳ ଭିତ୍ତିକ ବନ୍ଦର ନିର୍ମାଣ କରି ରାଜ୍ୟର ବିକାଶ କରିବାକୁ ସରକାର ଚାହୁଁଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

କୌଶଳ ବିକାଶ କାର୍ଯ୍ୟକ୍ରମରେ ଓଡ଼ିଶା ଭଲ ପ୍ରଦର୍ଶନ କରି ଆସୁଛି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସାରା ଭାରତରେ ଗତ ଦୁଇ ବର୍ଷ ଧରି ୧ ନମ୍ବର ତାଲିକାରେ ରହି ଆସୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡ଼ିଶା ସରକାର ନୂଆ ଷ୍ଟାଟ୍‌ଅପ୍‌ ନୀତି ପ୍ରଣୟନ କରିଛନ୍ତି। ୩୧୦ ଷ୍ଟାଟ୍‌ଅପ୍ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୪୦ଟିର କାମ ଆରମ୍ଭ ହୋଇଛି। ୨୦୨୦ ସୁଦ୍ଧା ଷ୍ଟାଟ୍‌ଅପ୍ ନୀତିରେ ଓଡ଼ିଶା ଦେଶରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଯାଉଛି।

ଏହାସହ ଓଡ଼ିଶା ସରକାର ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ସେକ୍ଟରକୁ ଅଧିକ ସମୃଦ୍ଧ କରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। କ୍ରୀଡ଼ା କ୍ଷେତ୍ର ମଧ୍ୟ ଓଡ଼ିଶା ସରକାର ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ଲାଗି ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି।

କୃଷି, ବିଦ୍ୟୁତ ଏବଂ ପାନୀୟ ଜଳ କ୍ଷେତ୍ରର ବିକାଶ ହୋଇଛି। ଏଣୁ ଓଡ଼ିଶାରେ ଶିଳ୍ପପତିମାନେ ପୁଞ୍ଜି ନିବେଶ କଲେ ସେମାନଙ୍କୁ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ। ଓଡ଼ିଶାର ବିକାଶକୁ ଆଗକୁ ନେବା ପାଇଁ ଶିଳ୍ପପତିମାନେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ।

Comment