ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ସମ୍ପ୍ରତ୍ତି ଏକ ନୂଆ ଓଡ଼ିଆ ସିନେମାର ସୁଟିଂ ଚାଲିଛି। ଏହାର ଟାଇଟଲ୍ ହେଲା ‘ଦିଲ୍ ମୋର ମାନେନା’। ଏହି ସିନେମା ଜରିଆରେ ପ୍ରାୟ ତିନିବର୍ଷ ବ୍ୟବଧାନରେ ଓଲିଉଡକୁ ଫେରିଛନ୍ତି ନିର୍ଦ୍ଦେଶକ ହିମାଂଶୁ (ଚଣ୍ଡୀ) ପରିଜା। ଏହାର ପ୍ରଯୋଜକ ହେଲେ ରାଜେଶ ବପଲିନ୍। ଏଥିରେ ଦର୍ଶକ ପ୍ରଥମ ଥର ପାଇଁ ସ୍ୱରାଜ ଓ ଶିବାନୀଙ୍କୁ ଏକାଠି ଦେଖିବାକୁ ପାଇବେ।

ଏହା ଆଗରୁ କିଛି ଦିନ ତଳେ ‘ଦିଲ୍’ ଶବ୍ଦ ଥିବା ଫିଲ୍ମ ‘ଫିଲ୍ ମାଇଁ ଦିଲ୍’ର ଶୁଭମହୁରତ୍‌ ଅନୁଷ୍ଠିତ ହୋଇଥିଲା। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶୈଳ ମିଶ୍ର, ଯିଏ କି ପୂର୍ବରୁ ‘ଦେଲେ ଧରା କଥା ସରେ’ର ନିର୍ଦ୍ଦେଶନା ଦେଇଥିଲେ। ‘ଫିଲ୍ ମାଇଁ ଦିଲ୍’ରେ ନାୟିକା ଭାବେ ସମ୍ବିତ ଓ ନାୟିକା ଭାବେ ଏଲ୍‌ସା ଏବଂ ଦିବ୍ୟା ଚୁକ୍ତିବଦ୍ଧ ହୋଇଛନ୍ତି।

ଏହା ଆଗରୁ ମଧ୍ୟ ବେଶ୍ କେତୋଟି ‘ଦିଲ୍’ ଥିବା ଟାଇଟଲରେ ନିର୍ମିତ ହୋଇଛି ଓଡ଼ିଆ ସିନେମା।

ଦିଲ୍ କା ରାଜା

ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ଓ ନିର୍ଦ୍ଦେଶକ ଏସ୍ ଦିଲୀପ ପଣ୍ଡା ୨୦୧୭ରେ ‘ଦିଲ୍‌କା ରାଜା’ ଟାଇଟଲ୍‌ରେ ଏକ ଓଡ଼ିଆ ସିନେମାର ନିର୍ମାଣ କରିଥିଲେ। ଏହି ଫିଲ୍ମରେ ଜ୍ୟୋତି, ପିଙ୍କି ପ୍ରିୟଦର୍ଶିନୀ, ମିହିର ଦାସ ଓ ପ୍ରତିଭା ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଫିଲ୍ମଟି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା।

ଦିଲ୍ ଦିୱାନା ହୋଇଗଲା

ସାର୍ଥକ ମ୍ୟୁଜିକ୍‌ ନିବେଦିତ ତଥା ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏକ ଓଡ଼ିଆ ସିନେମାର ଟାଇଟଲ ହେଲା ‘ଦିଲ ଦିୱାନା ହେଇଗଲା’। ଏହାର ନିର୍ଦ୍ଦେଶକ ହେଲେ ସୁଧାଂଶୁ ମୋହନ ସାହୁ। ଏଥିରେ ବାବୁସାନ୍‌ ଓ ଶୀତଲ ଲିଡ୍ ରୋଲ୍‌ରେ ଥିଲେ।

ମୋ ଦିଲ୍ କହେ ଇଲୁ ଇଲୁ

ପ୍ରଯୋଜକ ରବିନ ନନ୍ଦଙ୍କ ଦ୍ୱିତୀୟ ଓଡ଼ିଆ ସିନେମାର ଟାଇଟଲ୍ ହେଲା ‘ମୋ ଦିଲ୍ କହେ ଇଲୁ ଇଲୁ’। ଏହା ୨୦୧୬ରେ ରିଲିଜ୍ ହୋଇଥିଲା। ଏହି ସିନେମାରେ ନବାଗତ ଦେବ୍ ନାୟକ ଓ ନବାଗତା ଶ୍ରୁତି ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏହା ଛଡ଼ା ବିଜୟ ମହାନ୍ତି, ମିହିର ଦାସ ଓ ନିଜେ ରବିନ ନନ୍ଦ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ଲୋକନାଥ।

ମୋ’ ଦିଲ୍ କହେ ଇଲୁ ଇଲୁ କିନ୍ତୁ ଆଶାନୁରୂପ ସଫଳତା ପାଇନଥିଲା।

Comment