ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବେ।

ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ସେ ବିଜେପି ଛାଡ଼ି ପାରନ୍ତି ବୋଲି କୁହାଯାଉଛି। ଦିଲ୍ଲୀପ ଦଳ ଛାଡ଼ିବା ସମ୍ପର୍କରେ ସିଧାସଳଖ କିଛି କହି ନାହାନ୍ତି। ହେଲେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଚରମ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦିଲ୍ଲୀପ।

“୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସିଥିଲେ। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଏବଂ ଆଇଜିଏଚ୍ ହସ୍ପିଟାଲକୁ ଅତ୍ୟାଧୁନିକୀକରଣ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ୪ ବର୍ଷ ବିତିଥିବା ବେଳେ ଏଯାଏଁ କୌଣସି କାମ ହୋଇପାରିଲା ନାହିଁ। ରାଉରକେଲା ପ୍ରତି କେନ୍ଦ୍ରର ଅବିଚାର ବଢ଼ି ଚାଲିଛି”, କହିଛନ୍ତି ଦିଲ୍ଲୀପ ରାୟ।

ଦିଲ୍ଲୀପ ଆହୁରି କହିଛନ୍ତି, “ଏହି ଦାବିକୁ ନେଇ ମୁଁ କେନ୍ଦ୍ରମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। କିନ୍ତୁ କିଛି ଫଳପ୍ରଦ ହେଲାନି। ଯଦି ମୋ’ ପାଇଁ ଏହି ପ୍ରକଳ୍ପ ବିଳମ୍ବ ହେଉଛି ତାହାଲେ ମୁଁ ଚରମ ନିଷ୍ପତ୍ତି ନେବାକୁ ପଛାଇବି ନାହିଁ। ଆଗାମୀ ୪ରୁ ୫ ଦିନ ଭିତରେ ମୁଁ କ’ଣ କରିବି ସେନେଇ ପଦକ୍ଷେପ ନେବି।”

ଦଳରୁ ବାହାରେ ରହିଲେ ଯଦି ରାଉରକେଲାବାସୀଙ୍କ ସ୍ୱାର୍ଥ ପୂରଣ ହେବ ତାହାଲେ ଲୋକଙ୍କ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଦିଲ୍ଲୀପ।

ଏପଟେ ଦିଲ୍ଲୀପଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର।

ବିଜୟ କହିଛନ୍ତି, “ଦିଲ୍ଲୀପ ଯାହା କହିଛନ୍ତି ତାହାର ଯଥାର୍ଥତା ରହିଛି। ବହୁ ଆଗରୁ ସରକାର ଏବଂ ଦଳ ଏ ବିଷୟରେ ଚିନ୍ତା କରିବାର ଥିଲା। ଏବେ ବହୁତ ବିଳମ୍ବ ହୋଇଗଲାଣି। ନିଜ ବିଷୟରେ ନିଷ୍ପତ୍ତି ନେବାର ସ୍ୱାଧୀନତା ପ୍ରତ୍ୟେକ ବ୍ୟକ୍ତିଙ୍କର ରହିଛି।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “ବିଜେପିରେ କେହି ଅଲୋଡ଼ା ନୁହନ୍ତି। ଦଳ କାହାକୁ ଅପମାନିତ କରିନି। ୟୁପିଏ ସରକାର ଟେଣ୍ଡର କରିକି ମଧ୍ୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିପାରି ନଥିଲେ। ମୋଦି ସରକାର ଆସିବା ପରେ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ୍ କାମ ଆରମ୍ଭ ହୋଇଛି।”

Comment