ଓଡ଼ିଶାଲାଇଭ୍‌ ବ୍ୟୁରୋ

     

ପୁରୁଷ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ହୋଇଥିବା ଭବ୍ୟ ଆୟୋଜନ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି।

ଆଉ କିଛି ସମୟର ଅପେକ୍ଷା ପରେ ଆରମ୍ଭ ହେବ ପୁରୁଷ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ଉତ୍ସବ। ବେଶ୍ ଉତ୍ସାହର ସହ ଚାହିଁ ବସିଛନ୍ତି ଦର୍ଶକ। ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦେବ ଏହି ମଞ୍ଚ। ଏହି ଉତ୍ସବରେ ପ୍ରବେଶ ସମୟ ମଙ୍ଗଳବାର ଦିନ ୨ଟା ନିର୍ଦ୍ଧାରିତ ହୋଇଥିଲାବେଳେ  ୫ ଟା ୩୦ରୁ ଉଦ୍‌ଘାଟନୀ ପର୍ବ ଆରମ୍ଭ ହେବ। ହକି ବିଶ୍ୱକପକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ

ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିଛନ୍ତି ଓସ୍କାର ବିଜେତା ଏଆର ରେହମାନ, କିଙ୍ଗଖାନ୍‌ ଶାହରୁଖ ଓ ବଲିଉଡ ଧକ୍‌ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ। ମଞ୍ଚରେ ରେହମାନ ସଙ୍ଗୀତ ପରିବେଷଣ କରୁଥିଲାବେଳେ ମାଧୁରୀ ତାଙ୍କ ନୃତ୍ୟର ଜାଦୁଗରୀ ଦେଖାଇବେ। ତେବେ ଶହାରୁଖ ‘ଚକ୍ ଦେ ଇଣ୍ଡିଆ’ ସ୍ଵରରେ ମଞ୍ଚରେ ପହଞ୍ଚିବେ। ଏହା ବ୍ୟତୀତ କଳିଙ୍ଗ ଷ୍ଟାଡିୟମ ମଞ୍ଚରେ ଅନେକ ପାରମ୍ପରିକ ନୃତ୍ୟ ଦେଖିବାକୁ ପାଇବେ ଦର୍ଶକେ।

ଅନ୍ୟପକ୍ଷରେ ଓଲିଉଡ କଳାକାର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଓଲିଉଡ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ  ନୃତ୍ୟ ବି ଦେଖିବାକୁ ମିଳିବ।

ଷ୍ଟାଡିୟମକୁ ଜଗିଛି ଡ୍ରୋନ କ୍ୟାମେରା

ଡ୍ରୋନ କ୍ୟାମେରାରେ କଏଦ ହେବ କଳିଙ୍ଗ ଷ୍ଟାଡି୍ୟମ। ଉଦ୍‌ଘାଟନୀ ସମେତ ଖେଳ ସମୟରେ ବି ନଜର ରଖିବ ଏହି କ୍ୟାମେରା।  ଏହି କ୍ୟାମେରାଗୁଡ଼ିକୁ  କଣ୍ଟ୍ରୋଲ ରୁମ୍‌ରୁ ନିୟନ୍ତ୍ରଣ କରାଯିବ।  କ୍ୟାମେରାରେ କଏଦ ହୋଇଥିବା ସମସ୍ତ ଦୃଶ୍ୟ ପୋଲିସ୍ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚିବ।

କଳିଙ୍ଗ ଷ୍ଟାଡିୟମରେ ୧୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି। ପୋଲିସ ଏବଂ ବିଏମ୍‌ସିର ମିଳିତ ସହଯୋଗରେ ୨୭୦ଟି କ୍ୟାମେରା ସହରର ୬୦ଟି ଜାଗାରେ ଲଗାଯାଇଛି।

ଷ୍ଟାଡିୟମକୁ ପାଣି ବୋତଲ ମନା

ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମକୁ ପାଣି ବୋତଲ ପ୍ରବେଶ ଉପରେ ରୋକ ଲଗାଯାଇଛି। ଏହାଛଡ଼ା ବ୍ୟାଗ, ଦିଆସିଲି, ଖୁଚୁରା ପଇସା, ଛୋଟ ଛୁରୀ, ଲାଇଟର, ଦିଆସିଲ ଆଦି ଜିନିଷ ଉପରେ ବି ରୋକ ଲଗାଯାଇଛି।

ଭଡ଼ାରେ ମିଳିବ ବାଇକ୍‌

ହକି ଖେଳକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଦର୍ଶକ ଆସିବେ। ସେମାନଙ୍କ ଗମନାଗମନ ସୁବିଧା ପାଇଁ  ‘ମୋ ସାଇକେଲ’ ଭଳି ଭଡ଼ାରେ ବାଇକ ବି ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ପରିବହନ ନିଗମ ପକ୍ଷରୁ ‘ୟୋର ସ୍ମାର୍ଟ ରାଇଡ ପ୍ରାଇଭେଟ ଲିମିଟେଡ’ କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହାଦ୍ୱାରା ଦର୍ଶକ ନିଜ ପସନ୍ଦ ସ୍ଥାନକୁ ଭଡ଼ାରେ ବାଇକ ନେଇ ଯାଇପାରିବେ। ଅନ୍‌ଲାଇନ ବୁକିଙ୍ଗ ଓ ସିକ୍ୟୁରିଟି ବାବଦରେ ୩୦୦ରୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ବାଇକର ପ୍ରାଇସ୍‌ ଘଣ୍ଟାକୁ ୩୯ ରୁ ୯୫ ଟଙ୍କା ରଖାଯାଇଛି।

କଡ଼ା ସୁରକ୍ଷାରେ କଳିଙ୍ଗ ଷ୍ଟାଡିୟମ

ଷ୍ଟାଡିୟମ ଭିତରକୁ ଯିବାପାଇଁ ୯ଟି  ଗେଟ୍ ରହିଛି। ୧ନମ୍ବର ଗେଟ୍ ଜରୁରୀକାଳୀନ ଗେଟ୍ ଭାବେ ବ୍ୟବହାର କରାଯିବ। ୨ ନମ୍ବର ଗେଟ୍‌ରେ  ସାମ୍ବାଦିକ ଓ ଫଟୋଗ୍ରାଫର ପ୍ରବେଶ କରିପାରିବେ। ୩ ନମ୍ବର ଗେଟରେ ସାଧାରଣ  ଦର୍ଶକ ପ୍ରବେଶ କରିବେ। ୯ ନମ୍ବର ଗେଟ୍‌ରେ ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ବ୍ୟକ୍ତିମାନେ ପ୍ରବେଶ କରିପାରିବେ। ସୁରକ୍ଷା ଦୃଷ୍ଟିରୁ ହକି ପାଇଁ ୭୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଏଥିପାଇଁ ଭୁବନେଶ୍ଵରରେ ୨୫୦୦ କନଷ୍ଟେବଲ, ୩୫୦ ପୋଲିସ ଅଧିକାରୀ ଏବଂ ୫୦୦ ହୋମଗାର୍ଡଙ୍କୁ ମୁତୟନ କରାଯିବ। ୧୬ଟି ସ୍ଥାନରେ ହେଲ୍ପଡେସ୍କ ଖୋଲାଯାଇଛି। ଏହାସହ କ୍ୟୁଆର୍‌ଟିର ୫ଟି ସ୍କ୍ୱାଡ୍ ଏବଂ ଏସ୍‌ଟିୟୁର ୨ଟି ସ୍କ୍ୱାଡ୍ ଭିଡ଼ ଉପରେ ନଜର ରଖିବେ।

ହକି ମହାକୁମ୍ଭରେ ଷ୍ଟାର କଳାକାର

ଡିସେମ୍ବର ୧ରେ ବିଶାଲ ଓ ଶେଖର ଆସୁଥିବାବେଳେ ଡିସେମ୍ବର ୩ରେ ସୋନା ମହାପାତ୍ର ଆସିବେ। ସେହପରି ୮ରେ ଶ୍ରେୟା ଘୋଷାଲ, ୯ରେ ଶାନ୍, ୧୪ରେ ଫରାନ୍ ଅଖତର, ଶେଷ ଦିନରେ ଶଙ୍କର ଏହସାନ ଲୟ ଯୋଗ ଦେବେ।

Comment