ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ହକି ବିଶ୍ୱକପ୍ ଅନେକ ଦୃଷ୍ଟିରୁ ଇତିହାସ ସୃଷ୍ଟି କରିଛି। ଦର୍ଶକ, ଆୟୋଜନ, ଗ୍ଲାମର, ତାରକା ତାଲିକାରେ ଏହା ଯେମିତି ପୂର୍ବର ସମସ୍ତ ରେକର୍ଡକୁ କାଟି ଆଉ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଯାହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ମଧ୍ୟ। ନଭେମ୍ବର ୨୮ରୁ ଆରମ୍ଭ କରି ଡିସେମ୍ବର ୧୬ ପର୍ଯ୍ୟନ୍ତ ୧୯ଦିନ ଧରି ଭୁବନେଶ୍ୱର ଯେମିତି ଏକ ନୂଆ ରୂପରେ ସଜେଇ ହୋଇଥିଲା। ଆଉ ଭୂବନେଶ୍ୱରର ଏହି ରୂପ କେବଳ ରାଜ୍ୟ ବାସୀଙ୍କୁ ନୁହଁ ବରଂ ଦେଶ ତଥା ଦେଶବାହାରେ ସମସ୍ତଙ୍କୁ ଅନେକ ପସନ୍ଦ ଆସିଥିଲା।

ହକି ମହାକୁମ୍ଭର ମହା ମୁକାବିଲାରେ ମୋଟ ୧୫୭ଟି ଗୋଲ ଦେଖିବାକୁ ମିଳିଥିଲା। ହକି ବିଶ୍ୱକପ୍‌ରେ ଖେଲାଯାଇଥିବା ମୋଟ ୩୬ଟି ମ୍ୟାଚ୍‌ରେ ୪.୩୬ହାରରେ ଗୋଲ ହୋଇଥିଲା। ହକି ବିଶ୍ୱକପ୍ ଆୟୋଜନ କରିବାରେ ଭୁବନେଶ୍ୱର ପୂର୍ବ ଭାରତରେ ପ୍ରଥମ ସହର ହୋଇଛି। ଆୟୋଜକ ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଐତିହାସିକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନକୁ ଯୋଡ଼ିଛି।

ଆୟୋଜକ ଭାରତ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିବାକୁ ପଡ଼ିଥିଲା। ବେଲଜିୟମ, ନେଦରଲାଣ୍ଡସ୍, ଅଷ୍ଟ୍ରେଲିଆ ପ୍ରଥମ ୩ଟି ସ୍ଥାନରେ ରହି ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ,କାଂସ୍ୟ ପଦକ ଜିତିଛନ୍ତି। ଇଲଣ୍ଡକୁ ଚତୁର୍ଥରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ହକି ବିଶ୍ୱକପର ଆୟୋଜନ କରି ଓଡ଼ିଶା ବିଶ୍ୱ ଦରବାରରେ ନିଜର ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବାରେ ସଫଳ ହୋଇଛି। ଆଉ ଏହି ବିଶ୍ୱସ୍ତରୀୟ ଇଭେଣ୍ଟକୁ ଏମିତି ଢଙ୍ଗରେ ରାଜ୍ୟ ସରକାର ଆୟୋଜନ କରିଥିଲେ ତାହା ଦେଖି ପୂରା ଦେଶ ତାଜୁବ ହେବା ସହ ଓଡ଼ିଶାକୁ ପ୍ରଶଂସା କରିଥିଲେ। ଉଦଘାଟନୀଠାରୁ ଆରମ୍ଭ କରି ଉଦଯାପନୀ ଉତ୍ସବ ପର୍ଯ୍ୟନ୍ତ କେଉଁଥିରେ ବି ରାଜ୍ୟସରକାର କୌଣସି କମି ରଖିନଥିଲେ।

ରାଜ୍ୟସରକାରଙ୍କ ଏଭଳି ଆୟୋଜନ ଦେଖି ବିଦେଶରୁ ଆସିଥିବା ହକି ପ୍ରେମୀ ମଧ୍ୟ ଆଶ୍ଚଯ୍ୟ ହେବା ସହ ରାଜ୍ୟ ସରାକରଙ୍କ ଚେଷ୍ଟାକୁ ଧନ୍ୟବାଦ  ଜଣାଇଥିଲେ। ରାଜ୍ୟସରକାର ମଧ୍ୟ ଏଭଳି ଏକ ବିଶ୍ୱକପ ଆୟୋଜନ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ ପାଖାପାଖି ୧ବର୍ଷ ପୂର୍ବରୁ ଏହା ସହିତ ଏକ ବ୍ଲୁ ପ୍ରିଣ୍ଟ  ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

Comment