ଓଡ଼ିଶାଲାଇଭ୍‌ ବ୍ୟୁରୋ

କାନପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି ୧୩୫ ଜଣ ଛାତ୍ରଙ୍କୁ ବାହାର କରିଦେବ। ବିଶ୍ୱବିଦ୍ୟାଳୟ ସିନେଟ ମିଟିଙ୍ଗ୍‌ ସୋମବାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ନିଷ୍ପତ୍ତିକୁ ଅସ୍ଥାୟୀ ବୋଲି କହିଛନ୍ତି। ଏନେଇ ଅନ୍ତିମ ନିଷ୍ପତ୍ତି ୩୧ ଡିସେମ୍ବରକୁ ସିନେଟ ବୈଠକରେ ନିଆଯିବ।

ଏ ସମ୍ପର୍କରେ କାନପୁର ଆଇଆଇଟିର ଉପ ନିର୍ଦ୍ଦେଶକ ମନୀନ୍ଦ୍ର ଅଗ୍ରଓ୍ଵଲ କହିଛନ୍ତି ଯେ ୧୩୫ ଜଣ ଛାତ୍ର ପରୀକ୍ଷାରେ ଭଲ କରି ନଥିବାରୁ ସେମାନଙ୍କୁ ନିଲମ୍ବିତ କରାଯିବ। ତେବେ ଏହି ନିଲମ୍ବନ ସାମୟିକ। ନିଲମ୍ବିତ ଛାତ୍ରମାନେ ପୁଣି ବିଶ୍ୱବିଦ୍ୟାଳୟରେ ସେମାନଙ୍କ କୋର୍ସ ପଢ଼ିବା ପାଇଁ ଅନୁରୋଧ କରି ପାରିବେ।

ତେବେ ପରୀକ୍ଷାରେ ଅତି ଖରାପ କରିଥିବା ଓ ପୂର୍ବ ଇତିହାସ ଖରାପ ଥିବା ଛାତ୍ରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରାଯିବ ଓ ଅନ୍ୟମାନଙ୍କୁ ପୁନଃଭର୍ତ୍ତିର ସୁଯୋଗ ଦିଆଯିବ ବୋଲି ଅଗ୍ରଓ୍ଵାଲ କହିଛନ୍ତି। ଏଥିପାଇଁ ଛାତ୍ରମାନଙ୍କୁ ଆବେଦନ କରିବାକୁ ଗୋଟେ ସପ୍ତାହ ସମୟ ଦିଆଯାଇଛି। ସେମାନଙ୍କ ଆବେଦନପତ୍ର ସିନେଟର ଆଗାମୀ ବୈଠକରେ ଶୁଣାଣି କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ଅଗ୍ରଓ୍ଵାଲ କହିଛନ୍ତି ଯେ କେତେକ ସମୟରେ ଭଲ ଟ୍ରାକ୍‌ ରେକର୍ଡ ଥିବା ପିଲା ମଧ୍ୟ ଅସୁସ୍ଥତା ଓ ଅନ୍ୟ କେତେକ କାରଣ ପାଇଁ ପରୀକ୍ଷାରେ ଭଲ କରି ନ ଥାନ୍ତି। ତେଣୁ ସେପରି ଛାତ୍ରମାନଙ୍କୁ ପୁଣିଥରେ ପଢ଼ିବା ପାଇଁ ସିନେଟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।

Comment