ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗୁରୁବାର ଏନଟିଏ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌(ୟୁଜି) ପ୍ରବେଶିକା ପରୀକ୍ଷା ୨୦୨୩ ମେ’ ୭ ତାରିଖରେ ଅନୁଷ୍ଠିତ ହେବ। ଏକକ ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ମେ’ ୨୧ରୁ ୩୧ ତାରିଖ ମଧ୍ୟରେ ହେବ। ସେହିଭଳି ଇଣ୍ଡିଆନ କାଉନସିଲ ଅଫ ଅଗ୍ରିକଲ୍ଚର ରିସର୍ଚ (ଆଇସିଏଆର)ର ଏଆଇଇଇଏ ପରୀକ୍ଷା ଏପ୍ରିଲ ୨୬ରୁ ୨୯ ମଧ୍ୟରେ ଅନୁଷ୍ଠିତ ହେବ। I

୨୦୨୩ ଜେଇଇ ମେନ୍ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜାନୁଆରି ମାସରେ ହେବାକୁଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ଅପ୍ରିଲ ମାସରେ ଅନୁଷ୍ଠିତ ହେବ। ଜାନୁଆରି ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ। ଏଥିଲାଗି ଡିସେମ୍ବର ୧୫ ତାରିଖରୁ ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ ଜାରି ରହିବ ଏଥର ବି କେବଳ ଅନଲାଇନରେ ଆବେଦନ କରିବାକୁ ପଡିବ। ଏଥର ମଧ୍ୟ  ଓଡ଼ିଆ ସମେତ ୧୩ ଟି ଭାରତୀୟ ଭାଷାରେ ଜେଇଇ ପରୀକ୍ଷା ହେବ। ସେହିପରି ଏପ୍ରିଲ ମାସର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ୬, ୮, ୧୦, ୧୧, ୧୨ ତାରିଖରେ ହେବ।

ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍‌ରେ ଜେଇଇ ମେନ ଅନୁଷ୍ଠିତ ହେବ। ୨୦୧୯ରୁ କେନ୍ଦ୍ର ଶିକ୍ଷ୍ୟା ମନ୍ତ୍ରାଳୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ଏହି ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ଵ ଦେଇଛନ୍ତି। ଏହି ଜେଇଇ ମେନ୍ ପରିକ୍ଷାରେ ଭଲ ନମ୍ବର ରଖୁଥିବା ପରୀକ୍ଷାର୍ଥୀ ପରେ ଜେଇଇ ଆଡଭାନ୍ସ ପରୀକ୍ଷା ଦେବେ।

Tags: #JEEMains #EntranceExam #NationalTestingAgency #IIT #NIT #Engineering #JEEAdvance #Odisha

Comment