ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

 

ଚାଷୀଙ୍କ ଚିନ୍ତା କମାଇବ ସବଜି କୁଲର। ଏହା ଏକ ଏଭଳି ଯନ୍ତ୍ର ଯେଉଁଥିରେ ବିଦ୍ୟୁତର ଆବଶ୍ୟକତା ନାହିଁ। ଏଥିରେ କିଛି ଦିନ ଯାଏ ପନିପରିବା ସାଇତିପାରିବେ ଚାଷୀ।

ଚାଷୀମାନେ ଉତ୍ପାଦନ କରୁଥିବା ଫସଲକୁ କିଛି ଦିନ ଯାଏଁ ତାଜା ରଖିବା ପାଇଁ ଶୀତଳଭଣ୍ଡାର ଆବଶ୍ୟକ ହୁଏ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦକୁ ସାଇତି ଭଲ ଦରରେ ବିକ୍ର କରିପାରନ୍ତି। କିନ୍ତୁ ସବୁଠି ଏହି ସୁବିଧା ନଥାଏ। ଫଳରେ ଚାଷୀ ଉତ୍ପାଦ ଠିକ୍‌ ସମୟରେ ବିକ୍ର ନହୋଇ ପାରିଲେ ତାହା ପଚି ସଢ଼ି ନଷ୍ଟ ହୋଇଯାଏ।  କାରଣ ବିନା ଶୀତଳ ଭଣ୍ଡାରରେ ପନିପରିବା ବା ଫଳ ଆଦିକୁ ସାଇତି ରଖିବା ଅସମ୍ଭବ। ତବେ ଚାଷୀଙ୍କ ଏହି ଚିନ୍ତା କମ୍‌ କରିବ ସବ୍‌ଜି କୁଲର।

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଅଞ୍ଚଳରେ କିଛି କ୍ଷୁଦ୍ର ଚାଷୀ ଏହି ସବଜି କୁଲରର ବ୍ୟବହାର କରନ୍ତି। ବିଭିନ୍ନ ଫଳ ଓ ପନିପରିବା ଏଥିରେ ୧୦ରୁ ୧୨ ଦିନ ସାଇତା ହୋଇ ରହିବା ସମ୍ଭବ ହେଉଥିବାରୁ କ୍ଷୁଦ୍ରଚାଷୀମାନେ ନିଜ ଉତ୍ପାଦର ଅପେକ୍ଷାକୃତ ଭଲ ଦର ପାଇପାରୁଛନ୍ତି।

ଏଥିପାଇଁ ବିଦ୍ୟୁତ ଦରକାର ନାହିଁ ଓ ଏହା ଗାଁ କାରିଗରଙ୍କ ଦ୍ୱାରା ତିଆରି ହୋଇପାରୁଛି। ଏହି ସରଳ ଓ ଫଳପ୍ରଦ ବ୍ୟବସ୍ଥାର ଆବିଷ୍କାର କରିଛନ୍ତି rUKrT ନାମକ ଷ୍ଟାର୍ଟଅପ କମ୍ପାନି, ଯାହାର ପ୍ରତିଷ୍ଠାତା ହେଉଛନ୍ତି ଆଇଆଇଟି ମୁମ୍ବାଇରୁ ଇଞ୍ଜିନିୟରିଂ ଶେଷ କରିଥିବା ଯୁବକ ବିକାଶ କୁମାର ଝା।

‘‘rUKrT କମ୍ପାନି ସମସ୍ତ ପ୍ରକାର ଟେକନିକାଲ ସପୋର୍ଟ ଆମକୁ ଦେଉଛି। ଦେଶପ୍ରେମୀ ପ୍ରଡ୍ୟୁସର ଗ୍ରୁପ୍‌ ପ୍ରାୟ ୪୦ଟି ଏସ୍‌ଏସଜି ମହିଳାଙ୍କୁ ନେଇ ସବ୍‌ଜି କୁଲର ଉପରେ ଏବେ କାମ କରୁଛି ’’, କହିଛନ୍ତି ସୁନ୍ଦରଗଡ଼ର ପିଡି ଡିଆରଡିଏ ଭୈରବ ସିଂ ପଟେଲ।

ଓଡ଼ିଶା ଜୀବିକା ମିଶନ ସହଯୋଗରେ ସ୍ଥାନୀୟ ମହିଳାଙ୍କୁ ଏହି କାର୍ଯ୍ୟରେ ଯୋଡ଼ିବା ପରେ ସେମାନଙ୍କର ମଧ୍ୟ ଦକ୍ଷତା ଓ ରୋଜଗାର ବଢ଼ୁଛି। ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଗଜପତି, କଳାହାଣ୍ଡି ଜିଲ୍ଲାର କେତକ ଅଞ୍ଚଳରେ ଚାଷୀଙ୍କ ନିକଟରେ ଏହା ଆଦୃତ ହୋଇଛି।

‘‘ଏହି ସବ୍‌ଜି କୁଲର ଚାଷୀ ନିଜ ଜମିରେ ତିଆରି କରିପାରିବେ। ଏଥିରେ କେବଳ ପାଣି ଦେଇ ଆପଣ ପନିପରିବାକୁ କିଛି ଦିନ ଯାଏଁ ସାଇତି ରଖିପାରିବେ’’, କହିଛନ୍ତି ବିକାଶ।

ସବଜିକୁଲରରେ ପନିପରିବା ସଂରକ୍ଷଣର ସ୍ୱଳ୍ପ ଖର୍ଚ୍ଚ ସମାଧାନ ହୋଇଥିବା ବେଳେ ଚାଷ ଜମିରେ ଜଳ ସେଚନ ପାଇଁ ଗୋଡ଼ରେ ପେଡାଲ ମାରି ଉଚ୍ଚ ଜମିକୁ ପାଣି ଉଠାଇବା ମେସିନ ମଧ୍ୟ ତିଆରି କରୁଛି rUKrT କମ୍ପାନି।CGU new

ଏଥସହିତ ଫସଲକୁ ଘୁଷୁରୀ ଓ ହାତୀ ଉପଦ୍ରବରୁ ବଞ୍ଚେିବା ପାଇଁ ଏକ ସୋଲର ଲାଇଟ ମଧ୍ୟ ବଜାରକୁ ଛାଡ଼ିଛି rUKrT କମ୍ପାନି। ଯବୁ ଇଞ୍ଜିନିୟର ବିକାଶଙ୍କୁ ଏହି ସବୁ କାମରେ ପ୍ରେରଣା ଯୋଗାଇଛନ୍ତି ବର୍ତ୍ତମାନ ଆଇଆଇଟିରେ ପ୍ରଫେସର ଥିବା ଓଡ଼ିଶା କ୍ୟାଡରର ଅବସର ପ୍ରାପ୍ତ ଆଇଏଏସ୍ ଅଫିସର ଡକ୍ଟର ଏସ୍‌ ବି ଅଗ୍ନିହୋତ୍ରୀ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment