ଓଡ଼ିଶାଲାଇଭ୍ ବ୍ୟୁରୋ
ଭଗବାନ ହନୁମାନଙ୍କୁ ନେଇ ଦେଶରେ ରାଜନୈତିକ ବୟାନବାଜି। ହନୁମାନଙ୍କୁ କିଏ ମୁସଲମାନ ତ କିଏ ଦଳିତ ଆଉ କିଏ ଜାଠ କହିଛନ୍ତି।
ଦେଶରେ ଭଗବାନ ହନୁମାନଙ୍କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି। ହନୁମାନଙ୍କ ଜାତିକୁ ନେଇ ରାଜନେତାମାନେ ନାନା ଟିପ୍ପଣୀ ଦେବାରେ ଲାଗିଛନ୍ତି। ଗତ ରାଜସ୍ଥାନ ନିର୍ବାଚନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ହନୁମାନଙ୍କୁ ଦଳିତ କହି ସମ୍ବୋଧନ କରିଥିଲେ। ଏହାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଥିଲା। ହନୁମାନଙ୍କୁ କିଏ ମୁସଲମାନ ତ କିଏ ଦଳିତ ଆଉ କିଏ ଜାଠ କହିଛନ୍ତି। ଏଭଳି ସମୟରେ ସାଂସଦ କୀର୍ତ୍ତି ଆଜାଦ ହନୁମାନଙ୍କୁ ଚାଇନା ବୋଲି କହିଛନ୍ତି। ଚାଇନା ଲୋକେ ଏଭଳି ଦାବି କରୁଥିବା ଆଜାଦ କହିଛନ୍ତି।
ସେହିପରି ବିଜେପି ସାଂସଦ ଉଦିତ ରାଜ ହନୁମାନ ଆଦିବାସୀ କହିଥିବାବେଳେ ଉତ୍ତରପ୍ରଦେଶ ସଂସ୍କୃତି ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ ହନୁମାନଙ୍କୁ ଜାଠ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯିଏ ଅନ୍ୟର ଦୁଃଖକଷ୍ଟ ସହିନପାରି ଆଗକୁ ବାହାରି ଆସିଥାଏ, ସେ ଜାଠ ହିଁ ହୋଇଥାନ୍ତି। ଏଥିପାଇଁ ହନୁମାନ ଜାଠ ଥିଲେ।
ଏହାପୂର୍ବରୁ ବିଜେପି ବିଧାୟକ ବୁକଲ୍ଲ ନବାବ ହନୁମାନଙ୍କ ଜାତିକୁ ନେଇ ଅଜବ ପ୍ରତିକ୍ରିୟା ରଖିଥିଲେ। ହନୁମାନ ମୁସଲମାନ ଥିଲେ, କାରଣ ମୁସଲମାନଙ୍କ ନାମ ରହମାନ, ରମଜାନ, ଫରହାନ, ସୁଲେମାନ, ସଲମାନ, ଜିସାନ ଏବଂ କୁର୍ବାନ ରଖାଯାଇଥାଏ। ମୁସଲମାନଙ୍କ କ୍ଷେତ୍ରରେ ଯେଉଁ ନାମ ରଖାଯାଇଥାଏ ସେଥିରେ ହନୁମାନଙ୍କ ନାମ ସାମଞ୍ଜ ଥିବା କହିଛନ୍ତି ବୁକଲ୍ଲ ନବାବ।
ହନୁମାନଙ୍କ ଜାତିକୁ ନେଇ ସର୍ବପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାଦୀୟ ବୟାନ ଦେଇଥିଲେ। ଗତ ନଭେମ୍ବର ୨୭ରେ ଉଲବର ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ସମୟରେ ହନୁମାନଙ୍କୁ ଦଳିତ କହିଥିଲେ। ସେବେଠୁ ହନୁମାନଙ୍କ ଜାତିକୁ ନେଇ ନାନା ପ୍ରକାର ବୟାନବାଜି ଲାଗିରହିଛି। ହନୁମାନ ବନବାସୀ ସହ ଉପେକ୍ଷିତ ଏବଂ ଦଳିତ ଥିଲେ ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଥିଲେ। ଏଭଳି ବିବାଦୀୟ ବୟାନ ପରେ ଚାରିଆଡୁ ପ୍ରବଳ ସମାଲୋଚନାର ଶିକାର ହୋଇଥିଲେ ଯୋଗୀ।
ପରେପରେ ରାଷ୍ଟ୍ରୀୟ ଜନଜାତି ଆୟୋଗ ଅଧ୍ୟକ୍ଷ ନନ୍ଦ କୁମାର ରାୟ ହନୁମାନଙ୍କୁ ଆଦିବାସୀ କହିଥିବାବେଳେ ଯୋଗଗୁରୁ ରାମଦେବ ହନୁମାନଙ୍କୁ ଜ୍ଞାନୀ ସହ କ୍ଷତ୍ରୀୟ କହିଥିଲେ। ସେହିପରି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଗୋପାଳ ନାରାୟଣ ସିଂହ କହିଥିଲେ, “ହନୁମାନ ତ ମାଙ୍କଡ଼ ଏବଂ ମାଙ୍କଡ ହେଉଛି ପଶୁ। ସେଥିପାଇଁ ସେ ଦଳିତଙ୍କଠୁ ତଳେ।” କେନ୍ଦ୍ରମନ୍ତ୍ରୀ ସତ୍ୟପାଲ ସୌଧ ହନୁମାନଙ୍କୁ ଦଳିତ ନୁହେଁ ଆର୍ଯ୍ୟ କହିଥିଲେ। ବର୍ତ୍ତମାନ ଭଗବାନ ହନୁମାନଙ୍କୁ ନେଇ ଦେଶରେ ରାଜନୈତିକ ବୟାନବାଜି ଲାଗି ରହିଛି।