ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଉତ୍ତରପ୍ରଦେଶର ଉନ୍ନାଓ ଏବଂ କାଶ୍ମୀରର କଠୁଆରେ ଘଟିଥିବା ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଏବେ ବିଜେପି ବିରୋଧୀ ହାୱା ବହୁଛି।

୨୧ଟି ରାଜ୍ୟକୁ ଅକ୍ତିଆର୍ କରିବା ପରେ ଭାରତୀୟ ଜନତା ପାର୍ଟିର ସ୍ଥିତି ମଜଭୁତ ହୋଇଯାଇଛି ବୋଲି ଏହାର ନେତାମାନେ ଦାବି କରୁଥିଲେ। ବାକି ରହିଯାଇଥିବା ୮ଟି  ରାଜ୍ୟକୁ କବ୍‌ଜା କରିବା ପାଇଁ ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅଙ୍କ କଷୁଥିଲେ। କିନ୍ତୁ ଏହି ସମୟରେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଏବଂ କାଶ୍ମୀରରେ ଦୁଇ ଦୁଇଟି ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟଣା ବିଜେପିକୁ ଝଟକା ଦେଇଛି। ଫଳରେ ଦେଶରେ ଏକ ପ୍ରକାର ବିଜେପି ବିରୋଧୀ ହାୱା ବହିବା ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ପାଇ ଶାସନକୁ ଫେରିଛି। କଟ୍ଟର ହିନ୍ଦତ୍ୱବାଦୀ ନେତା ଭାବେ ପରିଚିତ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉତ୍ତରପ୍ରଦେଶକୁ ଭିନ୍ନ ଢଙ୍ଗରେ ଗଢ଼ିବାର ସଙ୍କଳ୍ପ ନେଇ ଆଗେଇ ଆସିଥିବା ଯୋଗୀଙ୍କୁ ଏବେ ଜବରଦସ୍ତ  ଝଟକା ଲାଗିଛି। ତାଙ୍କରି ଦଳର ଜଣେ ବିଧାୟକ ଏବଂ ଭାଇ ଜନୈକା ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ବିଜେପି ସରକାରର ଅସଲ ଚେହେରା ପଦାରେ ପଡ଼ିଯାଇଛି।

ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଦୁଷ୍କର୍ମକୁ ନେଇ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରି ଶାସକ ଦଳର ବିଧାୟକମାନେ ଆନ୍ଦୋଳନ କରିବା ରାଜନୀତି ପଣ୍ଡିତଙ୍କୁ ଚକିତ କରିଛି। ଜଣେ ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ଶାସକ ଦଳ କାହିଁକି ସମର୍ଥନ କରୁଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଆହ୍ଲାବାଦ ହାଇକୋର୍ଟ ଏହି ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଥିଲେ ମଧ୍ୟ ସରକାର ଚେତି ନଥିଲେ। ଦେଶବ୍ୟାପୀ ଆନ୍ଦୋଳନ ଜୋରଦାର ହେବା ପରେ ସିବିଆଇ ବିଧାୟକଙ୍କୁ ଜେରା କରି ଗିରଫ କରିଛି। ଏହାପରେ ବି ଉତ୍ତରପ୍ରଦେଶ ରାଜନୀତି ଥଣ୍ଡା ହୋଇନି।

ଭାରତୀୟ ରାଜନୀତିରେ ଉତ୍ତରପ୍ରଦେଶ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ସବୁ ଜାତୀୟ ଦଳର ନେତାମାନେ ଉତ୍ତରପ୍ରଦେଶ ଭୋଟ ଉପରେ ହିଁ ନଜର ରଖିଥାନ୍ତି। କିନ୍ତୁ ଶାସକ ଦଳର ବିଧାୟକ କୁଲଦୀପ ସିଂ ସେଙ୍ଗର୍ କରିଥିବା ଦୁଷ୍କର୍ମକୁ ନେଇ ସାରା ଦେଶ ଏବେ ଦୋହଲି ଯାଇଛି। ଶାସକ ଦଳର ବିଧାୟକ ହୋଇ ସେ ଏଭଳି କାଣ୍ଡ କିପରି ଘଟାଇଲେ ତାକୁ ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

କେବଳ ଉତ୍ତରପ୍ରଦେଶ ନୁହେଁ, କାଶ୍ମୀରରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ବି ବିଜେପି ସରକାରକୁ ଅଡ଼ୁଆରେ ପକାଇଛି। ଜମ୍ମୁ-କାଶ୍ମୀରରେ ପିଡିପି ସହ ବିଜେପିର ମେଣ୍ଟ ଶାସନ ଚାଲିଥିବାରୁ ଜମ୍ମୁ-କାଶ୍ମୀରା ମୁଖ୍ୟମନ୍ତ୍ରୀ ବେହବୁବା ମୁଫ୍‌ତି କେନ୍ଦ୍ର ସରକାରଙ୍କଠାରୁ ନ୍ୟାୟ ଚାହିଁଛନ୍ତି। ହେଲେ ବରିଷ୍ଠ ବିଜେପି ନେତାଙ୍କ ବୟାନ ପିଡିପି ସରକାର ପାଇଁ ଅକଳିଆ ପରିସ୍ଥିତି ସୃଷ୍ଟି କରିଛି।

ଏନେଇ ମେହବୁବା ମୁଫତି ଶନିବାର ଶ୍ରୀନଗରରେ ତାଙ୍କ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ଯଦି କେନ୍ଦ୍ର ସରକାର ପୀଡ଼ିତାଙ୍କୁ ନ୍ୟାୟ ନଦିଅନ୍ତି ତାହାଲେ ପିଡିପି ଆଗାମୀ ରଣନୀତି ସ୍ଥିର କରିବାକୁ ଯୋଜନା କରିଛି। କେନ୍ଦ୍ର ସରକାର ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ଭାଙ୍ଗି ଯିବାର ଆଶଙ୍କା ଉପୁଜିଛି।

ନାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଖାତାରେ ଯୋଜନାର ଅଭାବ ନାହିଁ। ପ୍ରତିଟି ଯୋଜନାରେ ସରକାର ମହିଳା ସୁରକ୍ଷାର ବାର୍ତ୍ତା ଦେଉଛନ୍ତି। ବେଟି ବଚାଓ, ବେଟି ପଢ଼ାଓ ଯୋଜନଠୁ ଆରମ୍ଭ କରି ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ମହିଳାଙ୍କୁ ଗୁରୁତ୍ବ ଦେଉଥିବା କହୁଛନ୍ତି। ହେଲେ ୨୦୧୯ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ଉତ୍ତରପ୍ରଦେଶ ଏବଂ କାଶ୍ମୀର ଦୁଷ୍କର୍ମ ଘଟଣା ବିଜେପି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଦୁଇଟି ଦୁଷ୍କର୍ମକୁ ବିରୋଧୀ ଅସ୍ତ୍ର କରିଛନ୍ତି। ସାରା ଦେଶରେ ଏହାକୁ ଇସ୍ୟୁ କରିବା ପାଇଁ ବିରୋଧୀ କଂଗ୍ରେସ ବ୍ଲୁ-ପ୍ରିଣ୍ଟ କରୁଥିବା ଆଲୋଚନା ହେଉଛି।

Comment