ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବୁଧବାର ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ। ଦଳକୁ ୨୧ ପୂରି ୨୨ ଚାଲିବ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଫୋକସରେ ତୃଣମୂଳ ସ୍ତର।

ବୁଧବାର ବିଜେଡି ପାଳିବ ୨୧ ତମ ପ୍ରତିଷ୍ଠା ଦିବସ। ଦଳକୁ ୨୧ ପୂରି ୨୨ ଚାଲିବ। ପ୍ରତିଷ୍ଠା ଦିବସ ପାଇଁ ଜିଲ୍ଲା ପରିଷଦ ଜୋନ୍‌ରୁ ରାଜଧାନୀ ଯାଏଁ ବିଜେଡି କ୍ୟାମ୍ପ ଚଳଚଞ୍ଚଳ। ରାଜ୍ୟସ୍ତରରେ ପ୍ରତିଷ୍ଠା ଦିବସ ସମାରୋହ ଦଳୀୟ ମୁଖ୍ୟାଳୟରେ ପାଳନ ହେବ। ଏଥିରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ନିର୍ବାଚନକୁ ଆଉ ମାତ୍ର ୪ ମାସ ଥିବାରୁ ପଞ୍ଚାୟତସ୍ତରର ନେତା ଓ ର୍କମୀଙ୍କ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତି ହୋଇଛି। ଫୋକସରେ ତୃଣମୂଳ ସ୍ତର ଥିବାରୁ ଗାଁଠୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ଦଳର ପ୍ରତିଷ୍ଠା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଦଳ। ପ୍ରତିଷ୍ଠା ଦିବସ ପାଳନ ଜରିଆରେ ରାଜ୍ୟ ସରକାରଙ୍କ ସଫଳତା ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ। ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛି ତା’ର ମଧ୍ୟ ହିସାବ ଦେବ।

ସେପଟେ ଚିଟଫଣ୍ଡ ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ନୀତିରେ ଦଳୀୟ ନେତାଙ୍କ ସମ୍ପୃକ୍ତି ନେଇ ମଳିନ ହେଉଥିବା ବିଜେଡିର ଛବି, ବଢୁଥିବା ଅନ୍ତଦ୍ୱନ୍ଦ୍ୱ ଏବଂ ଟିକଟ ଆଶାୟୀଙ୍କ ବୃଦ୍ଧି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଦଳର ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ନବୀନ କି ସନ୍ଦେଶ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ ପ୍ରତିଷ୍ଠା ଦିବସର ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ବିଜେଡିକୁ କାଉଣ୍ଟର କରିବା ପାଇଁ ଦୁଇ ବିରୋଧୀଦଳ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବୁଧବାର କଂଗ୍ରେସ କଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ‘ଜବାବ ମାଗୁଛି ଓଡ଼ିଶା’ ନାଁରେ ଆଉ ଏକ କାର୍ଯ୍ୟକ୍ରମ ଆରମ୍ଭ କରୁଥିବା ବିଜେପି କହିଛି। ୧୪୭ଟି ଆସନରେ ଗାଡ଼ି ବୁଲାଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଲୋକଙ୍କ ପାଖକୁ ଯିବ। ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରିନାହାଁନ୍ତି ସେନେଇ ଲୋକଙ୍କୁ ସଚେତନ କରାଇବ।

ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ଗୋଟିଏ ଦିନରେ ତିନି ରାଜନୈତିକ ଦଳର କାର୍ଯ୍ୟକ୍ରମ ରାଜ୍ୟରେ ବଢୁଥିବା ନିର୍ବାଚନୀ ଉଷ୍ମତା ଓ ଲୋକଙ୍କ ନିକଟତର ହେବାକୁ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତାକୁ ସୂଚାଉଛି।

Comment