ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ଦରମା ସଂଶୋଧନ, ବ୍ୟାଙ୍କ ମିଶ୍ରଣ, ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ କରିବା ଦାବିରେ ବ୍ୟାଙ୍କ କର୍ମଚାରୀମାନେ ବୁଧବାର ଦିନ ସାରା ଦେଶ ବ୍ୟାପୀ ଧର୍ମଘଟ ଡାକରା ଦେଇଥିଲେ।

ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କ କାରବାର ଠପ୍ ହୋଇଯାଇଥିଲା। ଗ୍ରାହକମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ଏହି ଆନ୍ଦୋଳନରେ ୯ଟି ବ୍ୟାଙ୍କ ସଂଘ ସାମିଲ ହୋଇଥିଲେ। ପାଖାପାଖି ୪୦ ହଜାର ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଭଳି ପ୍ରମୁଖ ସହରରେ ବ୍ୟାଙ୍କ ବନ୍ଦ ରହିବାରୁ ଗ୍ରାହକମାନେ ଅସୁବିଧା ଭୋଗିଥିଲେ। ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନସ୍ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା।

“ଗ୍ରାହକମାନଙ୍କ କଥା ବୁଝିବା ହେଉଛି ସମସ୍ତଙ୍କର ଦାୟିତ୍ୱ। ଦୁଇ ମାସ ତଳେ ଆମେ ସମାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲୁ। ପୁଣି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ୧୫ ଦିନ ତଳେ ନୋଟିସ ଦେଇଥିଲୁ। କିନ୍ତୁ ସରକାର ସଂଘକୁ ଡାକି ଆଲୋଚନା କଲେ ନାହିଁ। ଗ୍ରାହକମାନଙ୍କ କଥା ଚିନ୍ତା କଲେ ନାହିଁ”, କହିଛନ୍ତି ୟୁଏଫ୍‌ବିୟୁର ଆବହକ ସମ୍ବିତ ମିଶ୍ର।

ଗତ ୨୧ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଥିଲେ। ୨୨ ତାରିଖରେ ଚତୁର୍ଥ ଶନିବାର ଏବଂ ୨୩ରେ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିଥିଲା। ୨୪ରେ ବ୍ୟାଙ୍କ ଦିନକ ପାଇଁ ଖୋଲା ରହିଥିଲା। ୨୫ରେ ବଡ଼ ଦିନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ୨୬ରେ ପୁଣି ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Comment