କପିଳାସ ଭୂୟାଁ
ଚାଳିଶି ବର୍ଷ ପଛକୁ ଫେରି ଚାହିଁଲେ ପ୍ରଥମେ ସବୁକିଛି ଦିଶେ ଧୂମ୍ରାଭ, କୁହୁଡ଼ିଆ। ଅସ୍ପଷ୍ଟରୁ କ୍ରମେ ଯାହା ସ୍ପଷ୍ଟ ହୁଏ ତା’ ଗୋଟେ ମୁହଁ, କୌଣସି ମଣିଷର ନୁହେଁ, ‘ଖଇରୀ’ର – ‘ବାଘରାଣୀ ଖଇରୀ’ ମୁହଁ!
୧୯୭୯ ମସିହା ପ୍ରି-ଡିଗ୍ରୀ ପରୀକ୍ଷା ପରେ ଖରାଛୁଟି ହୋଇଥାଏ। ଫେଲୁ, ମନୋଜ ଓ ମୁଁ – ଆମେ ତିନି ସାଙ୍ଗ ଛୁଟି କାଟିବାକୁ କୁଆଡ଼େ ଗୋଟେ ଯିବୁ ବୋଲି ଭାବୁଥାଉ।
କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କୁଆଡ଼େ ଯିବୁ ମୁଣ୍ଡରେ କିଛି ଢୁକୁ ନଥାଏ। ଯୋଗକୁ ଫେଲୁର ସରୋଜ ମାମୁ ଆସି ତାଙ୍କ ଘରେ ପହଞ୍ଚିଲେ। ମାଉସୀ, ମାନେ ଫେଲୁର ବୋଉ ମା’ ଜ୍ଞାନଦା ପଟ୍ଟନାୟକ ଆମ ମନକଥା ଜାଣିଲାପରି କହିଲେ, ”ତୁମେମାନେ ସବୁ ସାନଭାଇ ସାଙ୍ଗେ ଶିମିଳିପାଳ ଯାଇ ବୁଲି ଆସୁନ।”
ଆମ ଦେଶର ଅଭୟାରଣ୍ୟଗୁଡ଼ିକ ମଧ୍ୟରୁ ଶିମିଳିପାଳ ଗୋଟିଏ। ଏଠାରେ ୧୯୭୩ ମସିହାରେ ପ୍ରତିଷ୍ଠା କରାଗଲା ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ” ଓ ଏହାର ପ୍ରଥମ ପ୍ରକଳ୍ପ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ନେଇଥିଲେ ଶ୍ରୀ ସରୋଜରାଜ ଚୌଧୁରୀ, ଫେଲୁର ମାମୁ। ସେ ସେଠାରେ ଗୋଟିଏ ବାଘ ଛୁଆ ପାଳିଥିଲେ। ଯାହାର ନାଁ ‘ଖଇରୀ’। ମଣିଷର ସ୍ନେହ ଶ୍ରଦ୍ଧା ପାଇଲେ ବାଘ ଭଳି ଜନ୍ତୁର ସହଜାତ ହିଂସ୍ରତା ବି ଉଭେଇ ଯାଇପାରେ, ଖଇରୀକୁ ପାଳି ସରୋଜ ବାବୁ ତାହା ପ୍ରମାଣିତ କରି ପାରିଥିଲେ। ତେଣୁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ପଦ୍ମଶ୍ରୀ’ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା।
ସେତେବେଳକୁ ଖଇରୀର ଲୋକପ୍ରିୟତା ଆମ ଦେଶର ସୀମା ସରହଦ ଡେଇଁ ସାରିଥିଲା। ଦେଶବିଦେଶରୁ ଲୋକେ ଖଇରୀକୁ ଦେଖିବାକୁ ଆସୁଥିଲେ। ଏଠାରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଖଇରୀ ଉପରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇ ସାରିଥିଲା। ଫେଲୁର ବାପା, ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଓ ବରେଣ୍ୟ କଥାକାର ଅଖିଳମୋହନ ପଟ୍ଟନାୟକ ‘ବାଘରାଣୀ ଖଇରୀ’ ନାଁରେ ଖଇରୀର ଜୀବନୀ ‘ସମାବେଶ’ ପତ୍ରିକାରେ ଧାରାବାହିକ ଭାବେ ଲେଖୁଥିଲେ। ଖଇରୀ ସମ୍ପର୍କରେ ମୋଟାମୋଟି ଧାରଣା ମୁଁ ସେଇଥିରୁ ପାଇଥିଲି। ଫେଲୁ ଅବଶ୍ୟ ପୂର୍ବରୁ ଖଇରୀକୁ ଦେଖିଥିଲା। କିନ୍ତୁ ମନୋଜ ଓ ମୋ ପାଇଁ ଖଇରୀକୁ ଦେଖିଯିବା ଏକ ମହାର୍ଘ ସୁଯୋଗ ଥିଲା।
ମାଉସୀଙ୍କ କଥା ଶୁଣି ଆମ କାହାରି ପାଦ ଆଉ ତଳେ ଲାଗିଲାନି। ସରୋଜ ବାବୁ ଦିଲ୍ଲୀ ଗସ୍ତରୁ ଶିମିଳିପାଳ ଫେରୁଥିଲେ। ଭୁବନେଶ୍ଵରରେ ତାଙ୍କର ଦି’ ଦିନର କାମ ଥିଲା। ଆମେ ତିନି ଜଣ ତାଙ୍କ ସହ ଯିବୁ ବୋଲି ଜ୍ଞାନଦା ମାଉସୀ ତାଙ୍କୁ ଜଣାଇ ଦେଲେ। ଆମେ ସମସ୍ତେ ସବୁ ପ୍ରସ୍ତୁତି ସାରି ତାଙ୍କ ଫେରିବା ଦିନକୁ ଅପେକ୍ଷା କଲୁ।
ସକାଳ ପ୍ରାୟ ୯ଟା ବେଳକୁ ସରୋଜ ବାବୁଙ୍କ ଜିପ୍ ପଛରେ ବସି ଆମେ ତିନି ବନ୍ଧୁ ଭୁବନେଶ୍ୱର ଛାଡ଼ିଲୁ। ବାଟରେ ସରୋଜ ବାବୁ ତାଙ୍କ କଟକ ଘରକୁ କିଛି ସମୟ ପାଇଁ ଗଲେ। ଦିଲ୍ଲୀରେ ପଢ଼ୁଥିବା ତାଙ୍କ ପୁଅ ବାବ୍ଲୁ ସେତେବେଳେ ଛୁଟିରେ ଘରକୁ ଆସିଥିଲା। ଆମେ ସବୁ ଶିମିଳିପାଳ ଯାଉଛୁ ଦେଖି ସେ ବି ବାହାରିଲା।
ନିରବଚ୍ଛିନ୍ନ ଭାବେ ଆମ ଜିପ୍ ଅତିକ୍ରମ କରିଚାଲିଲା କୋଠାବାଡ଼ି, ରାସ୍ତାଘାଟ, ବୃକ୍ଷଲତା। କ୍ରମେ ଜଙ୍ଗଲ ଭିତରର ପିଚୁ ରାସ୍ତାରେ ଆଗେଇଲୁ। ଆଖି ପାଇଲା ପର୍ଯ୍ୟନ୍ତ ଚାରିଆଡେ କେବଳ ଜଙ୍ଗଲ ଦିଶୁଥିଲା। କ୍ୱଚିତ୍ ରାସ୍ତାକଡ଼ରେ ଗାଁଟାଏ ଦୃଷ୍ଟିଗୋଚର ହେଉଥିଲା। ସହରୀ ବାତାବରଣରେ ଆମେ ବଢ଼ିଥିବା ପିଲାମାନେ ପୂର୍ବରୁ ଜଙ୍ଗଲ ସହ ଏପରି ଅନ୍ତରଙ୍ଗ କେବେ ହୋଇ ନ ଥିଲୁ। ତେଣୁ ସମସ୍ତେ ପ୍ରାୟ ଚୁପ୍ ଥିଲୁ। ଜଙ୍ଗଲର ଶାନ୍ତ ବାତାବରଣ ଭିତରେ ଜିପ୍ର ଘର୍ଘର ଶବ୍ଦ ଆନନ୍ଦକୁ ବହୁଗୁଣିତ କରୁଥିଲା।
ବାଟରେ ଦି’ ଅସରା ବର୍ଷା ହୋଇଗଲା। ଅପରାହ୍ନ ପ୍ରାୟ ୪ଟା ବେଳକୁ ଯଶିପୁର ନିକଟବର୍ତ୍ତୀ ଧୋବାଡ଼ିହିଠାରେ ଥିବା ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶାଳୟର ମୁଖ୍ୟ ଫାଟକରେ ଜିପ୍ ଅଟକିଲା। ଜଗୁଆଳି ଆସି ଗେଟ୍ ଖୋଲିଲା। ଜିପ୍ ଭିତରକୁ ପଶୁ ନ ପଶୁଣୁ ପୁଣି ଅଟକିଲା – ଜିପ୍କୁ ଅଟକାଇ ଆଗରେ ଠିଆ ହୋଇଥିଲା ଗୋଟାଏ ଭାଲୁ।
ଜିପ୍ ରହିଲାରୁ ଆଗ ସିଟରେ ବସିଥିବା ସରୋଜ ବାବୁ ଓହ୍ଲେଇଗଲେ। ତାଙ୍କୁ ଓହ୍ଲେଇବାର ଦେଖି ଭାଲୁଟି ତା’ ପଛ ଦି’ ଗୋଡ଼ରେ ମଣିଷ ଚାଲିଲା ପରି ଧାଇଁ ଆସିଲା ଓ ତାଙ୍କୁ କୋଳ କଲା। ପ୍ରକୃତପକ୍ଷେ ସେମାନେ କୋଳାକୋଳି ହେଲେ। ଭାଲୁଟି ସରୋଜ ବାବୁଙ୍କୁ କୋଳେଇଲା ବେଳେ ତା’ର ଓଜନ ସରୋଜ ବାବୁଙ୍କୁ ପଛକୁ ଠେଲି ନେଉଥିଲା। ଭାରସାମ୍ୟ ରକ୍ଷା କରିବାକୁ ସେ ଭାଲୁକୁ ଆଗକୁ ଠେଲି ରଖିଥିଲେ। ଭାଲୁଟି ହୁଃର୍… ହୁଃର୍… ଶବ୍ଦ କରି ସରୋଜ ବାବୁଙ୍କ ମୁହଁକୁ ଚାଟି ପକଉଥିଲା। ”ଜମ୍ବୁ! ହେଲା, ହେଲା। ଚାଲ୍, ମୁଁ ଅଛି। ଆଉ କୁଆଡେ ଯାଉନି” କହି ସରୋଜ ବାବୁ ତାକୁ ବୁଝେଇବାରେ ଲାଗିଥିଲେ।
‘ଜମ୍ବୁ’ ନାଁଟି ସହ ମୁଁ ପୂର୍ବରୁ ପରିଚିତ ଥିଲି। ଅଖିଳ ମୋହନ ପଟ୍ଟନାୟକଙ୍କ ‘ବାଘରାଣୀ ଖଇରୀ’ ଧାରାବାହିକ ଲେଖାରେ ଜମ୍ବୁ ସରୋଜ ବାବୁଙ୍କର ଅନ୍ୟତମ ପାଳିତ ଜନ୍ତୁ ବୋଲି ମୁଁ ପଢ଼ିଥିଲି। ଭାଲୁର ଜିଭରେ କଣ୍ଟା ଅଛି ବୋଲି ସାଧାରଣରେ ଯେଉଁ ଧାରଣା ରହିଛି, ଜମ୍ବୁକୁ ପାଳି ଓ ତା’ଠାରୁ ଶ୍ରଦ୍ଧାଚଟା ଖାଇ ସରୋଜ ବାବୁ ତାହାକୁ ଭୁଲ୍ ବୋଲି ପ୍ରମାଣିତ କରିଥିଲେ। ବିପଦ ଆସିଲେ, ଆତଙ୍କିତ ହେଲେ କେବଳ ଜନ୍ତୁ କାହିଁକି, ମଣିଷ କାମୁଡାରୁ ବି ବିଷ ସଞ୍ଚରିଯାଏ। ବିପଦରେ ପଡ଼ିଲେ ଭାଲୁ ଜିଭର ଗ୍ରନ୍ଥିଗୁଡ଼ିକ ଫୁଲି ଉଠି କଣ୍ଟାସଦୃଶ ହୋଇଯାଏ ଓ ସେତେବେଳେ ସେ ଚାଟିଲେ ମଣିଷ ଖଣ୍ଡିଆ ଖାବରା ହୁଏ। ସେତେବେଳେ ତା’ ଲାଳର ବିଷ ଖଣ୍ଡିଆରେ ଲାଗି ଯେଉଁ ଘା’ ହୁଏ ତା’ ଜମା ଶୁଖେ ନାହିଁ। ତେଣୁ ସାଧାରଣରେ ଭାଲୁ ଜିଭରେ କଣ୍ଟା ଥାଏ ବୋଲି ଧାରଣା ରହିଛି।
ସରୋଜ ବାବୁଙ୍କ କଥା ମାନି ଜମ୍ବୁ ତାଙ୍କୁ ଛାଡ଼ି ଦେଇ ଡେଇଁ ଡେଇଁ ଫେରିଗଲା। ଜମ୍ବୁ ଯେଉଁ କୁଣ୍ଢେଇ ଗେଲ କରୁଥିଲା, ପୂର୍ବରୁ ବର୍ଷା ହେଇଥିବା ଯୋଗୁଁ ତା’ ଗୋଡ଼ରେ ଲାଗିଥିବା କାଦୁଅ ସରୋଜ ବାବୁଙ୍କ ଜାମାରେ ପୋଛି ହୋଇ ବିଲିବିଲା ଦିଶୁଥିଲା। ଅଥଚ ସରୋଜ ବାବୁ ଦିଶୁଥିଲେ ସଦ୍ୟ ସ୍ନେହାପ୍ଲୁତ।
ସେଠୁ ଆମେ ଘରମୁହାଁ କିଛି ବାଟ ଆଗେଇଛୁ କି ନାହିଁ କେଉଁଠି ଥିଲା କେଜାଣି ହିଃ… ହିଃ… ହିଃ… ଶବ୍ଦ କରି ଆସି ପହଞ୍ଚିଗଲା ଖଇରୀ। ଗୋଟିଏ ବିଲେଇ ପରି ତା’ ସାରା ଶରୀରକୁ ସରୋଜ ବାବୁଙ୍କ ଦେହରେ ଘଷି ଘଷି ଆଗକୁ ଗଲା ଓ ପୁଣି ବୁଲିପଡ଼ି ଘଷି ହୋଇ ହୋଇ ଫେରିଲା। ସେତେବେଳେ ସରୋଜ ବାବୁ ତାକୁ ଆଉଁଶି ପକଉଥିଲେ। କହୁଥିଲେ, “ଦେଖ୍ ଖଇରୀ କିଏ ଆସିଛି! ବାବ୍ଲୁ ଭାଇକୁ ଚିହ୍ନି ପାରୁଛୁ?” ଏଥର ବାବ୍ଲୁ ଯାଇ ଖଇରୀକୁ ଆଉଁଶିଲା ଓ ଖଇରୀ ହିଃ… ହିଃ… ହୋଇ ତାକୁ ବାରି ପାରିଛି ବୋଲି ସମ୍ମତି ଜଣେଇଲା। ଖଇରୀର ସେଇ ଚଲାବୁଲା ଭିତରେ ଆମେ ତିନିବନ୍ଧୁ ଯେତେ ସମ୍ଭବ ତା’ର ନିକଟବର୍ତ୍ତୀ ହୋଇ ଠିଆ ହେଇଥିଲୁ। ଫେଲୁ ତା’ ପିଲାବେଳୁ ଖଇରୀକୁ ଦେଖିଥିଲା। ଖଇରୀ ଛୋଟ ଥିଲା ବେଳେ ତା’କୁ ସେ କୋଳରେ ଧରି ଗେଲ କରିଥିଲା। ତେଣୁ ଏତେ ପାଖରେ ଖଇରୀ ଚଲାବୁଲା କରୁଥିଲେ ବି ଫେଲୁ ମୁହଁ ଶଙ୍କିତ ଦିଶୁନଥିଲା। କିନ୍ତୁ ମନୋଜ ଓ ମୋ ମୁହଁ ଆଶଙ୍କା ଓ ଆନନ୍ଦର ମିଶ୍ରିତ ପ୍ରଭାବରେ କିମ୍ଭୁତ ଦିଶୁଥିଲା। ଗୋଟେ ଜୀବନ୍ତ ବାଘର ଏତେ ନିକଟବର୍ତ୍ତୀ ହେବା ଥିଲା ଆମ ଦୁଇ ଜଣଙ୍କ ପାଇଁ ପ୍ରଥମ ସୌଭାଗ୍ୟ। ଏହା ପୂର୍ବରୁ ଅବଶ୍ୟ ମୁଁ ବାଘ ଦେଖିଥିଲି, ହେଲେ ସର୍କସରେ। ପିଞ୍ଜରା ଭିତରେ ରିଂ ମାଷ୍ଟର ତା’ ଚାବୁକ୍ ହଲେଇ ବାଘମାନଙ୍କୁ ଖେଳଉଥିଲା ବେଳେ ଦର୍ଶକ ଗ୍ୟାଲେରୀରୁ ମୁଁ ଆଶ୍ଚର୍ଯ୍ୟ ହୋଇ ବାଘ ଦେଖିଥିଲି। କିନ୍ତୁ ଜୀବନକାଳ ଭିତରେ ମୁଁ ଯେ ନିଜେ ଗୋଟେ ଜୀବନ୍ତ ବାଘର ଏତେ ନିକଟବର୍ତ୍ତୀ ହୋଇପାରିବି, ତା’ କେବେ କଳ୍ପନା କରି ନ ଥିଲି।
ସେତେବେଳେ ଖଇରୀ ଚଲାବୁଲା କରୁଥିବା ଜାଗାରୁ ମୁଁ ପ୍ରାୟ ଚାରି/ପାଞ୍ଚ ଫୁଟ ଦୂରରେ ଠିଆ ହୋଇଥିଲେ ବି ଖଇରୀ ଦେହରେ ବାଜି ଦି’ ଭାଗ ହୋଇ ଯାଉଥିବା ପବନ ମତେ ବେଶ୍ ଆତଙ୍କିତ କରିଦେଉଥିଲା। ଖଇରୀର ମୁହଁ ମତେ ଅତିକ୍ରମ କରିଗଲା ପରେ ମୁଁ ଟିକେ ପାଖକୁ ଲାଗି ଆସୁଥିଲି ଓ ସେ ବୁଲି ପଡ଼ି ଫେରିଲା ବେଳକୁ ମୁଁ ପଛକୁ ଘୁଞ୍ଚି ଆସୁଥିଲି। ସେତିକିବେଳେ ଗୋଟାଏ ଥର ଖଇରୀର ପିଠିକୁ ଟିକେ ଆଉଁଶି ଦେବି ବୋଲି ହାତ ବଢ଼ୋଉଥିଲା ବେଳେ ତା’ ଲାଞ୍ଜ ମୋ କାନ୍ଧରେ ବାଜିଗଲା। ପ୍ରକୃତପକ୍ଷେ ମୋ ପାଇଁ ତାହା ଏକ ଶକ୍ତ ପ୍ରହାର ଥିଲା।
ସେତେବେଳକୁ ନିହାର ନଳିନୀ ଦେବୀ, ଅର୍ଥାତ୍ ସରୋଜ ବାବୁଙ୍କ ସହଯୋଗୀ ସେଠି ଆସି ପହଞ୍ଚି ସାରିଥିଲେ। ଖଇରୀ ଉଭୟ ସରୋଜ ବାବୁ ଓ ନିହାର ଦେବୀଙ୍କ ଗେହ୍ଲା ଝିଅ ଥିଲା। ସେମାନେ ଏକାଠି ଖଇରୀର ଦାୟିତ୍ୱ ନେଉଥିଲେ। ଖଇରୀ ଯୋଗୁଁ ଉଭୟଙ୍କ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ମଧ୍ୟ ତିଆରି ହୋଇଯାଇଥିଲା।
ପାଠ ପଢ଼ା ସାରି ନିହାର ଦେବୀ ଗାର୍ଲ୍ସ ଗାଇଡିଂର ଷ୍ଟେଟ୍ କମିଶନର ରୂପେ କାମ କରୁଥିଲେ। କିନ୍ତୁ ସେ ଜଣେ ବନ୍ୟ-ଜନ୍ତୁ- ପ୍ରେମୀ ମଣିଷ ଥିଲେ। ସେତିକିବେଳେ ସରୋଜ ବାବୁଙ୍କ ସହ ତାଙ୍କର ଦେଖା ହେଇଥିଲା। ବନ୍ୟ-ଜନ୍ତୁଙ୍କ ଜୀବନ ପ୍ରତି ଉଭୟଙ୍କ ଅନ୍ତରରେ ଥିବା ଆଗ୍ରହ ଯୋଗୁଁ ସେମାନଙ୍କ ମନ ମିଶିଯାଇଥିଲା। ନିହାର ଦେବୀଙ୍କ ସହ ସାକ୍ଷାତ ପୂର୍ବରୁ ସରୋଜ ବାବୁ ଶିକାର କରିବାକୁ ବି ଭଲ ପାଉଥିଲେ। କିନ୍ତୁ ନିହାର ଦେବୀଙ୍କ ମତ ଥିଲା ଯେ, ପ୍ରତ୍ୟେକ ଜନ୍ତୁଙ୍କୁ ଭଲ ପାଇବା କଥା। ଶିକାର କରିବା କଥା ନୁହେଁ। ଏହା ସରୋଜ ବାବୁଙ୍କୁ ଉଦ୍ବୁଦ୍ଧ କରିଥିଲା ଓ ନିହାର ଦେବୀଙ୍କ ସମ୍ପର୍କରେ ରହି ସରୋଜ ବାବୁଙ୍କ ଶିକାର ନିଶା ସମ୍ପୂର୍ଣ୍ଣ ଛାଡ଼ିଯାଇଥିଲା।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳଠାରେ ଯେଉଁ ବର୍ଷ ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ପ୍ରତିଷ୍ଠା କରାଗଲା ତା’ ପରବର୍ଷର କଥା। ସ୍ଥାନୀୟ ‘ଖଡ଼ିଆ’ ସମ୍ପ୍ରଦାୟର କେତେଜଣ ଆଦିବାସୀ ଲୋକ ଗୋଟିଏ ବାଘ ଛୁଆ ଆଣି ପହଞ୍ଚିଲେ ସରୋଜ ବାବୁଙ୍କ ପାଖରେ। ଦଳ ଦଳ ହେଇ ଜଙ୍ଗଲରେ ବୁଲି ଝୁଣା, ମହୁ ଇତ୍ୟାଦି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ମେଣ୍ଟେଇବା ‘ଖଡ଼ିଆ’ ଆଦିବାସୀ ସମ୍ପ୍ରଦାୟର ପେଷା। ଦୁଇଦିନ ପୂର୍ବରୁ ସେମାନଙ୍କର ଏହି ଦଳଟି ଜଙ୍ଗଲ ଭିତର ଦେଇ ଗଲା ବେଳେ ବାଘ ଛୁଆଟିକୁ ପାଇଥିଲେ। ମା’ ବାଘୁଣୀ ଶୋଇଥିଲା ଓ ଛୁଆଟି କ୍ଷୀର ପିଉଥିଲା। ହଠାତ୍ ଆଗରେ ବାଘ ଦେଖି ‘ଖଡ଼ିଆ’ମାନେ ପାଟିତୁଣ୍ଡ କଲେ। ସାମାନ୍ୟ ସତର୍କ ଥିଲେ ମା’ ବାଘୁଣୀ ସେମାନଙ୍କୁ ହୁଏତ ଆକ୍ରମଣ କରିଥାନ୍ତା। କିନ୍ତୁ ନିଦରୁ ଉଠି ସେମାନଙ୍କର ପାଟିତୁଣ୍ଡରେ ଚମକିଯାଇ ମା’ ବାଘୁଣୀ ଜଙ୍ଗଲକୁ ପଳେଇଲା। ଛୁଆଟି ଯାଇ ନ ପାରି ପାଖ ପାହାଡ଼ ଖୋଲରେ ପଶିଗଲା। ‘ଖଡ଼ିଆ’ମାନେ ତା’କୁ ଧରିଆଣି ତହିଁ ଆରଦିନ ଯଶିପୁରରେ ପହଞ୍ଚିଲେ ଓ ରାତିରେ ସେଠାରେ ରହି ତା’ ପରଦିନ ଆସି ଧୋବାଡିହି ସ୍ଥିତ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟାଳୟରେ ସରୋଜ ବାବୁଙ୍କୁ ଭେଟିଲେ। ସେଦିନ ଥିଲା ୧୯୭୪ ମସିହା ଅକ୍ଟୋବର ୪ ତାରିଖ। ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶରୂପେ ବାଘ ଛୁଆଟିକୁ କ’ଣ କରାଯିବ, ସେ ନେଇ ସରୋଜ ବାବୁ ଟିକିଏ ଚିନ୍ତିତ ହେଲେ। କିନ୍ତୁ ନିହାର ଦେବୀ ବାଘ ଛୁଆଟେ ଆସିଛି ଶୁଣି ସଙ୍ଗେ ସଙ୍ଗେ ସେଠି ପହଞ୍ଚି କହିଉଠିଲେ, “ଛୁଆଟିକୁ ଆମେ ପାଳିବା।”
ବାଘ ଛୁଆଟି ତା’ ପରଠୁ ରହିଲା ସେମାନଙ୍କ ସହ। ତା’କୁ ଅମୁଲ କ୍ଷୀର ପିଇବାକୁ ଦିଆଗଲା। ଏହା ପୂର୍ବରୁ ନିହାର ଦେବୀ ଚିତା ବାଘଟିଏ ରଖିଥିଲେ। କିନ୍ତୁ ତା’ର ଖାଦ୍ୟପେୟ ବାବଦରେ ଠିକ୍ ଧାରଣା ନଥିବାରୁ ତା’ ପେଟରେ ଗ୍ୟାସ୍ ହେଲା ଓ ଦିନେ ସେ ମରିଗଲା। ସେଥରର ଶିକ୍ଷାରୁ ଏଥର ପ୍ରଥମରୁ ହିଁ ସତର୍କ ପଦକ୍ଷେପ ନିଆଗଲା। ଗ୍ରାଇପ୍ ୱାଟର ଦିଆଗଲା ପେଟ ନ ବାମ୍ଫିବା ପାଇଁ। ମାଈ ବାଘ ଛୁଆଟି ସ୍ଥାନୀୟ ଖଇରୀ ନଦୀ କୂଳରୁ ମିଳିଥିବାରୁ ଉଭୟେ ସରୋଜ ବାବୁ ଓ ନିହାର ଦେବୀ ସ୍ନେହରେ ତା’ ନାଁ ରଖିଲେ ‘ଖଇରୀ’।
କ୍ରମେ ଖଇରୀର ବିଶ୍ୱାସ ବଢ଼ିଲା। ଠିକ୍ ସମୟରେ ତା’ର ସବୁ ଆବଶ୍ୟକତା ପୂରଣ ହେଉଥିବାରୁ ହିଂସ୍ର ହେବା ଭଳି ସହଜାତ ପ୍ରବୃତ୍ତି ମଧ୍ୟ ତା’ଠାରୁ ଦୂରେଇ ରହିଲା। ସରୋଜ ବାବୁ ଓ ନିହାର ଦେବୀଙ୍କ ଜୀବଜନ୍ତୁ ପରିବାର ଭିତରେ ସେ ବି ଜଣେ ହୋଇ ସାମିଲ୍ ହେଇଗଲା।
ନିହାର ଦେବୀ ବାବ୍ଲୁ ଓ ଫେଲୁ ସମେତ ଆମ ସମସ୍ତଙ୍କୁ ଘର ଭିତରକୁ ନେଲେ। ଗାଧୁଆପାଧୁଆ କରି ଫ୍ରେସ୍ ହେଇଯିବାକୁ କହିଲେ। ଗୋଟିଏ ରୁମ୍ର ଚାବି ଖୋଲିଦେଲେ ଆମେ ରହିବା ପାଇଁ। “ସବୁ ରୁମ୍ରେ ଚାବି ପଡ଼ୁଛି। ନ ହେଲେ ଜମ୍ବୁ ପଶି ଆସବାବପତ୍ର ସବୁ ନଷ୍ଟ କରିଦେଉଛି। ତେଣୁ ଭିତରେ ଥିଲେ ତୁମେ ଭିତରପଟୁ କବାଟ ବନ୍ଦ କରିଦେଉଥିବ ଓ ବାହାରକୁ ଗଲା ବେଳେ ମନେକରି ଚାବି ପକାଉଥିବ”, ଫେଲୁ ହାତକୁ ଚାବି ବଢ଼େଇ ନିହାର ଦେବୀ ଆମ ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ।
ଆମେ ଗାଧୁଆପାଧୁଆ ଆରମ୍ଭ କଲୁ। ଫେଲୁ ଓ ମୁଁ କାମ ସାରି ରୁମ୍ରୁ ବାହାରିଲା ବେଳକୁ ମନୋଜ ଗାଧୋଉଥିଲା। ତେଣୁ ଆମେ ବାହାରୁ ଚାବି ଦେଇ ଲନ୍କୁ ଗଲୁ। ଖଇରୀକୁ ଦେଖିବାକୁ ଆସିଥିବା କିଛି ବଙ୍ଗାଳି ଲୋକ ସେତେବେଳେ ସେଠି ସରୋଜ ବାବୁଙ୍କ ସହ କଥା ହେଉଥିଲେ। ଅଦୂରରେ ଖଇରୀ ବୁଲୁଥିଲା। ଆମେ ସେଠି ପହଞ୍ଚିବାର କିଛି ସମୟ ଉତ୍ତାରେ ଆମେ ରହୁଥିବା ରୁମ୍ର କବାଟ ବାଡ଼ିଆ ଶବ୍ଦ ଆମ କାନରେ ବାଜିଲା। ମୁଁ ଚାବି ନେଇଗଲି କବାଟ ଖୋଲିବା ପାଇଁ। ବାରଣ୍ଡାରେ ପହଞ୍ଚି ଦେଖିଲି ଅଦୂରରୁ ଜମ୍ବୁ ଡେଇଁ ଡେଇଁ ମୋ ଆଡ଼େ ଆସୁଛି। ତେଣୁ ମୁଁ ତରତରରେ କବାଟ ଖୋଲି ଭିତରକୁ ପଶିବା ପାଇଁ ଉଦ୍ୟମ କଲି। ମନୋଜ ବେଶ୍ କିଛି ସମୟ ରୁମ୍ ଭିତରେ ରହିଯାଇଥିବାରୁ କବାଟ ଖୋଲୁ ଖୋଲୁ ସେ ବାହାରି ଆସିବାକୁ ଚାହୁଁଥିଲା। ତେଣୁ ସେ ମତେ ଠେଲି ବାହାରକୁ ଆସିଲା ଓ ମୁଁ ତାକୁ ଠେଲି ଭିତରକୁ ଗଲି। ମୁଁ ଭିତରେ ପଶୁ ପଶୁ ଭିତରପଟୁ କବାଟ ବନ୍ଦ କରିଦେଲି। ସେ ବାହାରକୁ ଆସିବା ମାତ୍ରେ ଜମ୍ବୁକୁ ସାମ୍ନାରେ ଭେଟିଲା, କିନ୍ତୁ ପଛକୁ ଫେରିବା ପାଇଁ କବାଟ ମଧ୍ୟ ବନ୍ଦ ଥିଲା।
ଜମ୍ବୁ ତାକୁ ସାମ୍ନାରେ ପାଇ ଗେଲ କଲା। ସେ ଦୃଶ୍ୟ ଅବଶ୍ୟ ମୁଁ ଦେଖି ପାରିଲିନି। କିନ୍ତୁ ଭିତରେ ଥାଇ ମୁଁ ଶୁଣିଲି ମନୋଜର ଆକୁଳ ନିବେଦନ – “ନୋ! ନୋ ଜମ୍ବୁ! ଛାଡ଼୍, ଛାଡ଼୍ ମତେ! ଜମ୍ବୁ ଛାଡ଼…. ଛାଡ଼ିଦେ ମତେ”। କ୍ରମେ ତାର କଣ୍ଠସ୍ୱର ଅତି କରୁଣ ଶୁଭିଲା। ଏ ଭିତରେ ଦୃଶ୍ୟଟି ସରୋଜ ବାବୁଙ୍କ ଦୃଷ୍ଟିରେ ପଡ଼ିଲାରୁ ସେ ଆସି ଜମ୍ବୁ କବଳରୁ ମନୋଜକୁ ଉଦ୍ଧାର କଲେ ଓ କ୍ରମେ ସବୁ ଚୁପ୍ଚାପ୍ ହୋଇଗଲା। ପରେ ମୁଁ ବାହାରକୁ ବାହାରିଲି। ମତେ ଦେଖି ମନୋଜର ଆଖି ଦୁଇଟାରୁ ରାଗର ନିଆଁଝୁଲ ବାହାରୁଥିଲା। ତା’ର କୌଣସି କ୍ଷତି ହୋଇଛି ବୋଲି ନୁହେଁ, ବରଂ ଲାଜରେ ଏବଂ ସେ ଘଟଣା ପାଇଁ ସେ ମତେ ମନେ ମନେ ଦାୟୀ କରୁଥିଲା। ତା’ ପରେ ଆମର ରହଣି କାଳ ଭିତରେ ଜମ୍ବୁର ପୁଣି ଥରେ ‘ଶ୍ରଦ୍ଧା- ଭାଜନ’ ନ ହେବାକୁ ମନୋଜ ହାତରେ ଖଣ୍ଡେ ତିନି ଫୁଟିଆ ବାଡ଼ି ଧରି ବୁଲିଲା ଓ ଜମ୍ବୁ ତାକୁ ଆଉ କୁଣ୍ଢେଇବାକୁ ଆସିଲେ ବାଡ଼ିଟା ସେ ତା’ର ଦି’ କାଖ ତଳେ ଦେଇ ଦେବ ବୋଲି ଆମକୁ କହିଲା। ସେମିତି କଲେ ଭାଲୁ ଆଉ କୁଣ୍ଢେଇ ପାରିବନି ବୋଲି ଆମକୁ ବୁଝେଇଲା। ଅବଶ୍ୟ ସେଭଳି ପରିସ୍ଥିତି ଆଉ ସୃଷ୍ଟି ହେଲା ନାହିଁ। କାରଣ ତା’ ପରେ ଜମ୍ବୁକୁ ଆସୁଥିବାର ଦେଖିଲେ ଆମେ ଦୂରରୁ ବାଟ ଭାଙ୍ଗି ଅନ୍ୟ ଆଡ଼େ ଗଲୁ। ଭୟ ଯୋଗୁଁ ନୁହେଁ ବରଂ ଶ୍ରଦ୍ଧାରେ ସେ ଆମକୁ କୁଣ୍ଢେଇଲା ବେଳେ ତା’ର ପ୍ରାୟ ଚାରି କ୍ୱିଣ୍ଟାଲ ଓଜନର ଦେହକୁ ଟେକି ରଖିବା ସାମର୍ଥ୍ୟ ଆମର ନଥିବା କାରଣରୁ।
ସରୋଜ ବାବୁଙ୍କ ପାଖକୁ ଆସିଥିବା ଭିଜିଟର୍ମାନେ ଏଭିତରେ ଫେରି ଯାଇଥିଲେ। ତାଙ୍କ ସହ ଆମେ ସମସ୍ତେ ଜଳଖିଆ ଖାଇବାକୁ ଗଲୁ ଡାଇନିଂ ହଲକୁ। କାଠ ଫ୍ରେମ୍ରେ ବଡ଼ ବଡ଼ କାଚ ଲାଗିଥିବା ତାଙ୍କର ଡାଇନିଂ ହଲ୍। ବିଭିନ୍ନ ଅର୍ଚିଡ ଓ ପ୍ଲାଣ୍ଟସ୍ରେ ଭର୍ତ୍ତି ସେ ଘରର ଅଧାଅଧି। ଗୋଟାଏ ପଟେ କାଠ ଗଣ୍ଡିଟାଏ ପଡ଼ିଥିବା ଭଳି ଯାହା ପ୍ରଥମେ ମନେ ହେଉଥିଲା, ଆମେ ସେଠି ପହଞ୍ଚିବାର କିଛି ସମୟ ପରେ ସେଇଟା ହଲିଲା ଓ ତା’ ପରେ ଖୁବ୍ ଧୀରେ ଗତିଶୀଳ ହେଲା। ପ୍ରକୃତରେ ତାହା ଥିଲା ଗୋଟାଏ ଅଜଗର ସାପ – ଅଜଗର ମଣିଷକୁ ସିଧା ଗିଳିଦିଏ ବୋଲି ଶୁଣିଥିଲି। କିନ୍ତୁ ଏବେ ତା’ ପାଖରେ ବସିଛି ତା’ର ଜଳଖିଆ ନ ହୋଇ ନିଜେ ଜଳଖିଆ ଖାଇବାକୁ – ଏକଥା ଭାବି କିଛି ପରିମାଣରେ ଆତଙ୍କିତ ହେଲି ଓ ଆମୋଦିତ ବି!
ଜମ୍ବୁର ଦୌରାତ୍ମ୍ୟରୁ ମୁକ୍ତି ପାଇବା ପାଇଁ ଡାଇନିଂ ହଲ୍ ଦୁଆରକୁ ମଧ୍ୟ ଯାଉଣୁ ଆସୁଣୁ ବନ୍ଦ କରିବାକୁ ପଡ଼ୁଥିଲା। ଜଳଖିଆରେ ଆମକୁ ଗରମ ଗରମ ପିଆଜି ପରଷା ଗଲା। ପିଆଜି ବାସ୍ନାରେ ଚାରିଆଡ ମହମହ ହେଉଥିଲା। ଏଥର ଜମ୍ବୁକୁ ସମ୍ଭାଳେ କିଏ? ଧୁମ୍… ଧୁମ୍… କରି ସେ ଦୁଆର ବାଡେଇଲା। ତେଣୁ ସରୋଜ ବାବୁ ପାଟି କଲେ – ତାଙ୍କ ପାଟି ଶୁଣି କାଚ ପ୍ୟାନେଲ ପାଖେ ଠିଆ ହୋଇ ସେ ତା’ ମୁହଁ ଦେଖେଇଲା। ତା’ ମୁହଁର ଭାବରେ ଥିବା ନିବେଦନକୁ ସରୋଜ ବାବୁ ନିଶ୍ଚୟ ବୁଝି ପାରିଲେ ଓ ଆମକୁ ଶୁଣେଇ କହିଲେ- “ପିଆଜି ଜମ୍ବୁର ଭାରି ପ୍ରିୟ, ବାସ୍ନା ପାଇ ଜମାରୁ ସମ୍ଭାଳିପାରୁନି!” ତା’ ପରେ ଆମକୁ ଜଳଖିଆ ଦେଇଥିବା ଲୋକକୁ ଡାକି ଜମ୍ବୁକୁ ଗୋଟେ ପିଆଜି ଦେବାକୁ କହିଲେ। ଅଧିକା ଖାଇବାକୁ ମାଗିଲେ ବି ଗୋଟାକରୁ ବେଶୀ ପିଆଜି ନ ଦେବାକୁ ତାଗିଦ୍ କଲେ। ”ଲୋଭରେ ପଡ଼ି ଖାଇବ। କିନ୍ତୁ ହଜମ କରି ପାରିବନି। ପେଟରେ ଗ୍ୟାସ୍ ହେବ ଓ ତା’ ପରେ ଖାଲି ପାଡ଼ିବ।” ସରୋଜ ବାବୁ ସ୍ୱଗତୋକ୍ତି କଲେ। ବୋଧେ ପିଆଜିଟି ପାଇଗଲା ପରେ ଜମ୍ବୁର ମନବୋଧ ହେଲା ଓ କାଚ ପ୍ୟାନେଲ ସେପଟେ ତାକୁ ଆଉ ଦେଖିବାକୁ ମିଳିଲାନି।
ଏ ଭିତରେ ସନ୍ଧ୍ୟା ହୋଇଯାଇଥିଲା। ଆମେ ଆମ ରୁମ୍କୁ ଫେରିଲୁ। ନିଜ ଭିତରେ କଥା ହେଲୁ। ଅଖିଳ ମୋହନ ପଟ୍ଟନାୟକ ‘ବାଘରାଣୀ ଖଇରୀ’ ଧାରାବାହିକ ଲେଖାରେ ଖଇରୀର ଘନିଷ୍ଠ ସାଙ୍ଗ ‘ବାଘ’ ବିଷୟରେ ମୁଁ ପଢ଼ିଥିଲି। ବାଘ ପ୍ରକୃତରେ ଗୋଟିଏ କୁକୁରର ନାଁ। ଫେଲୁକୁ ପଚାରିଲି – ‘ବାଘ କୁଆଡେ ଗଲା? ତା’କୁ କାହିଁ ଦେଖିଲେ ନାହିଁ ତ?”
ପରଦିନ ସକାଳେ ଆମେ ପ୍ରଥମେ ‘ବାଘ’କୁ ଖୋଜିଲୁ। “ବାଘ ବନ୍ଧା ହୋଇ ଗ୍ୟାରେଜ୍ରେ ଅଛି,” କହିଲେ ସରୋଜ ବାବୁ। କିନ୍ତୁ କାହିଁକି? ଯେଉଁଠି ବାଘ, ଭାଲୁଙ୍କ ପରି ହିଂସ୍ର ଜନ୍ତୁ ପୋଷା ମାନି ଖୋଲାରେ ବୁଲୁଛନ୍ତି ମଣିଷଙ୍କ ଗହଣରେ, ସେଠି ଗୋଟେ କୁକୁରକୁ ବାନ୍ଧି ରଖିବା ଆଶ୍ଚର୍ଯ୍ୟଜନକ ନୁହେଁ କି? ଆମ ସମସ୍ତଙ୍କ ମନ ଭିତରକୁ ହୁଏତ ସ୍ୱାଭାବିକ ଭାବେ ଏଭଳି ଭାବନା ପଶି ଆସିଲା ଓ ଆମ ନିଶ୍ଚୁପ୍ ମୁହଁଗୁଡ଼ିକରେ ତାହା ପ୍ରତିଫଳିତ ହେଲା। ନୀରବତା ଭାଙ୍ଗି ସରୋଜ ବାବୁ କହିଲେ, “ସେ ବହୁତ ଦୁଷ୍ଟ ହେଉଥିଲା। କଥା ଜମା ମାନୁ ନ ଥିଲା। ତା’ର ବାଡ଼ ଡେଇଁ ଆଦିବାସୀମାନଙ୍କ ଗାଁକୁ ଯାଇ ସେମାନଙ୍କ କୁକୁଡ଼ାକୁ ମାରୁଥିଲା। ତା’ ନାଁରେ ସେମାନେ ସବୁ ଏତେ ଅଭିଯୋଗ କଲେ ଯେ, ତାକୁ ବାନ୍ଧି ରଖିବା ଛଡ଼ା ଆଉ କିଛି ଉପାୟ ନଥିଲା।”
ଆମେ ସମସ୍ତେ ଯାଇ ଗ୍ୟାରେଜ୍ ପାଖେ ପହଞ୍ଚିଲୁ। ସରୋଜ ବାବୁ ବାଘ ବେକରୁ ଶିକୁଳି ଖୋଲିଲେ। ସେ ଲାଞ୍ଜ ଟେକି ଗେଲ ହେବାକୁ ଚାହିଁଲା। ସରୋଜ ବାବୁ ତାକୁ ଟିକେ ଗେଲ କଲେ ଓ କହିଲେ- “ଯା, ଖାଇବୁ ଯା”- ସେ ଧାଇଁ ଚାଲିଗଲା।
ସେଠୁ ଫେରିଲା ବେଳେ ବାଟରେ ଭେଟିଲୁ ‘ଭାଇନା’କୁ। ‘ଭାଇନା’ ପ୍ରକୃତ ପକ୍ଷେ ଗୋଟେ ହାଏନା, ମାନେ ହେଟାବାଘ, ଓ ସେ ଅନ୍ଧ। ପବନରୁ ଗନ୍ଧ ବାରି ସେ ସରୋଜ ବାବୁଙ୍କ ପାଖକୁ ଆସିଲା ଓ ତାଙ୍କ ଦୁଇ ଗୋଡ଼ ମଝିରେ ମୁଣ୍ଡ ଗୁଞ୍ଜିଲା। ସରୋଜ ବାବୁ ତାଙ୍କ ପାଦକୁ ମାଟିରେ ବାଡ଼େଇଲାରୁ ସେ ତା’ ଦେହର ସମ୍ମୁଖ ଭାଗକୁ ପୁରା ମାଟିରେ ମିଶାଇ ମୁହଁ ତଳେ ଥୋଇଲା।
ସରୋଜ ବାବୁଙ୍କ ଗୋଡ଼ରେ ତା’ ମୁହଁ ଘଷିଲା। ସରୋଜ ବାବୁ ତାକୁ ତଳୁ ଉଠେଇ ତା’ ପିଠି ଆଉଁଶି ଦେଉ ଦେଉ କହିଲେ, “ଭାଇନାଟା ସ୍ନେହ ରଙ୍କୁଣି!” ଆମ ରହଣିର ପରବର୍ତ୍ତୀ ସମୟରେ ଆମେ ଯିଏ ଯେତେବେଳେ ଭାଇନାକୁ ଭେଟିଲୁ, ଆମ ପାଦ ତଳେ ବାଡ଼େଇଲେ ସେ ତା’ ମୁହଁକୁ ଆମ ପାଦ ପାଖେ ପୋତିଲା, ଆମେ ସବୁ ବି ସରୋଜ ବାବୁଙ୍କ ଅନୁକରଣରେ ତାକୁ ଟିକେ ଟିକେ ଆଉଁଶି ଦେଇ ଆସୁଥିଲୁ।
ଆମେ ରୁମ୍କୁ ଫେରିଲା ବେଳକୁ ନିହାର ଦେବୀ ଅଗଣାରେ ଖଇରୀକୁ ଖୁଆଇ ଦେଉଥିଲେ। ପ୍ରତିଦିନ ସକାଳେ ଖଇରୀ ପାଇଁ ଦୁଇଟା ଭଲ ଖାସିର ମାଂସ କଟା ହୋଇ ଆସୁଥିଲା ଓ ସେଥିରେ ଦୁଇ କେ.ଜି. ଅମୁଲ ସ୍ପ୍ରେ କ୍ଷୀର ଗୁଣ୍ଡ ଗୋଳେଇ ତାକୁ ଖାଇବାକୁ ଦିଆଯାଉଥିଲା। ଖଇରୀ ଆଗରେ ତା’ ପାଇଁ ଆସୁଥିବା ଛେଳି ମାଂସରେ କ୍ଷୀର ଗୁଣ୍ଡ ଗୋଳିଆ ହେଉଥିଲା ଓ ସେ ତା’କୁ ନିହାର ଦେବୀଙ୍କ ହାତରୁ ଆନନ୍ଦରେ ଖାଉଥିଲା। ବେଳେବେଳେ ଖାଦ୍ୟ ତା’ର ପସନ୍ଦ ନ ହେଲେ ସେ ଋଷୁଥିଲା। କିନ୍ତୁ ‘ଆଜି ଖାଇଦେ, କାଲିକୁ ଭଲ ମାଂସ ଆଣିବା’ କହି ବୁଝେଇ ଦେଉଥିଲେ ସେ ବୁଝିଯାଉଥିଲା!
ଖଇରୀର ଶୋଇବା ପାଇଁ ରୀତିମତ ବିଛଣା ବ୍ୟବସ୍ଥା କରାଯାଉଥିଲା। ଖିଆପିଆ, ବୁଲାବୁଲିଠୁ ଶୋଇବା ପର୍ଯ୍ୟନ୍ତ ଖଇରୀର ଅଧିକାଂଶ ସମୟ କାଟୁଥିଲା ନିହାର ଦେବୀଙ୍କ ସଂସ୍ପର୍ଶରେ। ତଥାପି ପ୍ରତ୍ୟହ ତିନି ଜଣ ଜଗୁଆଳି ପ୍ରତ୍ୟେକ ଆଠ ଘଣ୍ଟା କରି ତା’ ଉପରେ ନଜର ରଖୁଥିଲେ। ପ୍ରତିଟି ମିନିଟ୍ରେ ଖଇରୀର କାର୍ଯ୍ୟକଳାପକୁ ସେମାନେ ଟିପି ରଖୁଥିଲେ। ସେହି ସବୁ ଟିପାରୁ ଖଇରୀର, ବିଶେଷକରି ତାର ସାଧାରଣ ବ୍ୟବହାର ଓ ଅନ୍ୟାନ୍ୟ ଗୁଣାବଳୀର ଗବେଷଣାଲବ୍ଧ ଜ୍ଞାନ ହାସଲ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଘନିଷ୍ଠତା ଏତେ ଗଭୀର ଥିଲା ଯେ, ଖଇରୀ ନିହାର ଦେବୀଙ୍କର ‘ସୁନା ନାକି’ ଝିଅ ବନି ଯାଇଥିଲା। ପାଳକ- ପିତା ସରୋଜ ବାବୁ ମଧ୍ୟ ଖୁବ୍ ଭଲ ପାଉଥିଲେ ଝିଅ ଖଇରୀକୁ। କିନ୍ତୁ ଦରକାର ପଡ଼ିଲେ କଡ଼ା ଶାସନ ମଧ୍ୟ କରୁଥିଲେ। ଥରେ ଜଣେ ବଙ୍ଗଳା ଲେଖକ ଦିଲ୍ଲୀପ ଚାଟାର୍ଜୀ ଖଇରୀ ଉପରେ ଗୋଟିଏ ବହି ଲେଖିବା ଉଦ୍ଦେଶ୍ୟରେ ଆସି ପହଞ୍ଚିଲେ। ତାଙ୍କର ଅଭିଯୋଗ ଥିଲା ଯେ, ଖଇରୀର ନଖ କାଟି ନିଆଯାଇଛି ଓ ଦାନ୍ତ ଉପାଡ଼ି ଦିଆଯାଇଛି। ତାଙ୍କୁ ବୁଝେଇବାକୁ ପଡ଼ିଥିଲା ଯେ, କେବଳ ଆକ୍ରମଣ ସମୟରେ ବାଘ ତା’ର ନଖଗୁଡ଼ିକୁ ବାହାର କରିଥାଏ ଓ ଅନ୍ୟ ସମୟରେ ସେଗୁଡ଼ିକ ତା’ର ଥାବ ଭିତରେ ଲୁଚି ରହିଥାଏ। ତଥାପି ତାଙ୍କର ସନ୍ଦେହ ଦୂର ହେଲା ନାହିଁ। ସେ ଖଇରୀର ଦାନ୍ତ ଦେଖିବାକୁ ଚାହିଁଲେ। ଖଇରୀକୁ ଖାଇବାକୁ ଦେଲା ବେଳେ ତା’ ପାଟି ଖୋଲି ତାଙ୍କୁ ଦେଖେଇବାକୁ କହିଲେ। କଥା କାଟି ନ ପାରି ଅନିଚ୍ଛା ସତ୍ତ୍ୱେ ନିହାର ଦେବୀ ସେମିତି କଲାରୁ ଖଇରୀ ଗାଉଁ ଗାଉଁ ହେଲା। ଏଥିରେ ବିରକ୍ତ ହୋଇ ସରୋଜ ବାବୁ ଖଇରୀକୁ ଡିଷ୍ଟର୍ବ ନ କରିବା ପାଇଁ କହିଲେ। ଏତିକି ବେଳେ ଖଇରୀ ରାଗିଗଲା। ଭାବିଲା ସରୋଜ ବାବୁ ତା’ ଉପରେ ରାଗୁଛନ୍ତି। ତେଣୁ ତାଙ୍କ ଉପରେ ଚାର୍ଜ କଲା। ପରେ ଅବଶ୍ୟ ଖଇରୀ ତା’ର ଭୁଲ ବୁଝିଲା, କିନ୍ତୁ ସେତେବେଳକୁ ସରୋଜ ବାବୁ ତାକୁ ବେଶ୍ କିଛି ଶାସ୍ତି ଦେଇସାରିଥିଲେ।
ସେଦିନ ଖାଇଲା ବେଳେ ସରୋଜ ବାବୁ କହିଲେ -“ତୁମମାନଙ୍କ ପାଇଁ ବିଶେଷ କିଛି ଖାଇବାକୁ ହେଉନି। ଖଇରୀ ପାଇଁ ଆସିଥିବା ମାଂସରୁ ଦି’ ଖେପା ଆଣି ତାକୁ ଛୋଟ ଛୋଟ କାଟି ରନ୍ଧା ହୋଇଛି।” ଆମେ ସମସ୍ତେ ମୁରୁକି ହସି ପରସ୍ପରକୁ ଚାହିଁଲୁ- “ଆମେ ବା କେତେ ମାଂସ ଖାଇ ପାରିବୁ!’- ବୋଧେ ମନେ ମନେ ଏମିତି ଭାବିଲୁ ଓ ଖଇରୀ ମାଂସରୁ ଆମେ ଭାଗ ପାଇଥିବାରୁ ଆମୋଦିତ ଅନୁଭବ କଲୁ।
ଖାଇସାରିବା ପରେ ପ୍ରକଳ୍ପ କାର୍ଯ୍ୟାଳୟର ପରିସର ଭିତରେ ଥିବା ଜଙ୍ଗଲକୁ ଗଲୁ। ଫେରିବା ପୂର୍ବରୁ ଖଇରୀ ସହ ଆମ ଅନ୍ତରଙ୍ଗ ମୁହୂର୍ତ୍ତ କେତୋଟିକୁ ଅମୂଲ୍ୟ କରିବା ପାଇଁ ତା’ ସହ କିଛି ଫଟୋ ଉଠେଇବା ଆମର ଉଦ୍ଦେଶ୍ୟ ଥିଲା। କିଛି ବାଟ ଅତିକ୍ରମ କଲା ପରେ ଖଇରକୁ ଗଛ ଛାଇରେ ଶୋଇଥିବାର ଦେଖିଲୁ। ତା’ ଚାରିପାଖରେ ବିଭିନ୍ନ ପୋଜ୍ରେ ବାବ୍ଲୁ ଆମର ଫଟୋ ନେଲା। ମୁଁ ଖଇରୀର ମୁଣ୍ଡ ଆଉଁଶି ଦେଉଥିବା ବେଳେ ଫଟୋଟିଏ ଉଠାଇବି ବୋଲି ଭାବି ତା’ ମୁଣ୍ଡର ପଛ ପାଖେ ଯାଇ ବସିଲି। ଖଇରୀ ନିର୍ବିକାର ଭାବେ ଶୋଇଥିଲା। ମୁଁ ତା ମୁଣ୍ଡ ଆଉଁଶି ଦେବା ପାଇଁ ମୋ ହାତ ନେଲାବେଳକୁ ସେ ତା’ ମୁଣ୍ଡ ମୋ ଆଡ଼କୁ ବୁଲେଇ ହାଇଟିଏ ମାରିଲା। ତା’ ପାଟିର ଆଁ ଭିତରେ ମୋ ମୁଣ୍ଡଟି ଅକ୍ଳେଶରେ ରହିବା ପାଇଁ ଯଥେଷ୍ଟ ଜାଗା ଥିଲା। ବେଶ୍ ଆତଙ୍କିତ ହୋଇ ମୁଁ ପଛକୁ ଘୁଞ୍ଚି ଆସିଲି। କିନ୍ତୁ ମୋ ହାତଟି ଖଇରୀ ମୁଣ୍ଡ ଆଡକୁ ପୂର୍ବ ପରି ଲମ୍ବି ରହିଥିଲା – ଠିକ୍ ସେତିକିବେଳେ ବାବ୍ଲୁ ଫଟୋଟି ଉଠେଇଲା – ଆହାଃ କି ଭାଗ୍ୟ! ପରବର୍ତ୍ତୀ ସମୟରେ ଯେତେବେଳେ ସେ ଫଟୋଟିକୁ ମୁଁ ଦେଖେ, ଏକା ଥିଲା ବେଳେ ବି ମୋ ମୁହଁ ଲାଜରେ ଲାଲ୍ ହୋଇଯାଏ। ପୁଣି ମନକୁ ବୁଝାଏ, ବାଘ ମୁହଁ ପାଖେ ମୁଣ୍ଡ ଥିଲେ ଆତଙ୍କିତ ହେବା ତ ସ୍ୱାଭାବିକ।
ଖଇରୀ ସହ ଦୁଇଦିନର ଉଲ୍ଲସିତ ଅନୁଭୂତି ସହ ଆମେ ଫେରିଆସିଲୁ ଭୁବନେଶ୍ୱର। କିନ୍ତୁ ସେହି ସ୍ୱଳ୍ପ ସମୟରେ ଖଇରୀ ସାନ୍ନିଧ୍ୟର ଯେଉଁ ପ୍ରଗାଢ଼ ପ୍ରଭାବ ଆମ ଉପରେ ପଡ଼ିଲା, ବେଶ୍ କିଛି ଦିନ ପର୍ଯ୍ୟନ୍ତ ଆମେ ତା’ କଥା ଆଦୌ ଭୁଲି ପାରିଲୁନି। ସାଙ୍ଗସାଥୀ ଗହଣରେ ତା’ କଥା ବାରମ୍ବାର ଆଲୋଚନା କଲୁ। ସେହି ଅନୁଭୂତିର ସ୍ୱତନ୍ତ୍ରତା ଯୋଗୁଁ ଆମର ସମବୟସ୍କମାନଙ୍କଠାରୁ ଆମେ ନିଜ ନିଜକୁ କିଛି ପରିମାଣରେ ଉତ୍କୃଷ୍ଟ ମଧ୍ୟ ମନେ କଲୁ। ପରବର୍ତ୍ତୀ ସମୟରେ ଖଇରୀ ସମ୍ପର୍କରେ ଟିକିନିଖି ବିବରଣୀ ମଧ୍ୟ ସଂଗ୍ରହ କରିବାରେ ଲାଗିଲୁ।
ପ୍ରାୟ ଦୁଇବର୍ଷ ପରର କଥା। ସେଦିନ ଥିଲା ୧୯୮୧ ମସିହା ଫେବୃଆରୀ ୨୦ ତାରିଖ। ସରୋଜ ବାବୁ ଯାଇଥିଲେ ଦିଲ୍ଲୀ। ନିହାର ଦେବୀ ପାଖ କଲୋନୀକୁ ବୁଲି ଯାଇଥିଲେ। ସେ ଫେରିଲା ବେଳକୁ ଦେଖିଲେ, ଖଇରୀ ବାଡ଼ ପାଖେ ପାଖେ କାହାକୁ ଗୋଟେ ଛକୁଛି। “ଖଇରୀ, କାହାକୁ ଛକୁଛୁ କିରେ?” ନିହାର ଦେବୀ ପଚାରିଲେ। ଖଇରୀ ତା’ କାମରେ ଏତେ ନିମଗ୍ନ ଥିଲା ଯେ, ନିହାର ଦେବୀଙ୍କ କଥା ବୋଧେ ଶୁଣି ପାରିଲାନି କି କ’ଣ! ଚାହୁଁ ଚାହୁଁ ଆଖି ପିଛୁଳାକେ କାହାକୁ ଗୋଟେ ମାଡ଼ି ବସିଲା ଓ ତା’ ବେକକୁ ଝୁଣି ପକେଇଲା। ନିହାର ଦେବୀ ପାଖକୁ ଯାଇ ଦେଖିଲେ, ସେଇଟା ଗୋଟେ ବୁଲା କୁକୁର- କେମିତି ଗୋଟେ ଭିତରକୁ ପଶି ଆସିଥିଲା ଓ ଖଇରୀକୁ ଚିଡ଼େଇ ଦେଇଥିଲା କି କ’ଣ! ନଚେତ୍ ଖଇରୀ ତା’କୁ କାହିଁକି ମାରିଥାନ୍ତା?
ଖଇରୀକୁ ଚାହିଁଲା ବେଳକୁ ସେ ରକ୍ତମୁଖା ହୋଇବସିଥିଲା। ଖଇରୀ ପୂର୍ବରୁ କେବେ ଏମିତି କରି ନ ଥିଲା। କିନ୍ତୁ କିଏ ଜାଣିଥିଲା କୁକୁର ରକ୍ତରୁ ଜଳାତଙ୍କ ରୋଗର ଜୀବାଣୁ ଦିନେ ଖଇରୀର ପ୍ରାଣ ନେଇଯିବ ବୋଲି!
ଠିକ୍ ପଇଁତିରିଶ ଦିନ ପରେ ଖଇରୀଠାରେ ଜଳାତଙ୍କର ଲକ୍ଷଣ ଦେଖାଗଲା ଓ ସବୁ ଚେଷ୍ଟା ସତ୍ତ୍ୱେ ମାର୍ଚ୍ଚ ୨୬ ତାରିଖ ଦିନ ସାଢ଼େ ତିନିଟା ବେଳେ ଖଇରୀ ଶେଷ ନିଃଶ୍ୱାସ ତ୍ୟାଗ କଲା। ଏହା ସରୋଜ ବାବୁଙ୍କୁ ଏତେ ବ୍ୟଥିତ କଲା ଯେ, ଖଇରୀ ଯିବାର ମାତ୍ର ଗୋଟିଏ ବର୍ଷ ଭିତରେ ତାଙ୍କର ଦେହାନ୍ତ ହେଲା, ଏବଂ ଆଉ ମାତ୍ର ଦୁଇଟି ବର୍ଷ ନ ପୁରୁଣୁ ଖଇରୀର ଜୀବନୀ ଲେଖକ ଅଖିଳ ମୋହନ ପଟ୍ଟନାୟକଙ୍କର ମଧ୍ୟ ୨୯ ନଭେମ୍ବର ୧୯୮୨ରେ ଆକସ୍ମିକ ବିୟୋଗ ହେଲା। ଫଳରେ ଖଇରୀକୁ ଘେନି ସରୋଜ ବାବୁଙ୍କ ଗବେଷଣା ତଥା ଅଖିଳ ମୋହନଙ୍କ ‘ବାଘରାଣୀ ଖଇରୀ’ ଜୀବନୀ ଲେଖା, ଉଭୟ କାର୍ଯ୍ୟ ଅଧା ରହିଗଲା। ସେହି ଅଧା କାର୍ଯ୍ୟଗୁଡ଼ିକ ପୂରଣ ହେବା ଆଉ ହୁଏତ ସମ୍ଭବ ନୁହେଁ।
ନିହାର ଦେବୀ – ଖଇରୀ ସହ ସବୁଠୁ ବେଶୀ ଘନିଷ୍ଠ ଏକମାତ୍ର ବ୍ୟକ୍ତି, ଯେ କି ଏବେ ବି ବଞ୍ଚି ରହିଛନ୍ତି। କିନ୍ତୁ ଖଇରୀ ଓ ସରୋଜ ବାବୁଙ୍କ ମୃତ୍ୟୁ ପରେ ଉଭୟ ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ ଓ ସରକାରଙ୍କ ପକ୍ଷରୁ ତାଙ୍କ ପ୍ରତି ନିର୍ଦ୍ଦୟ ଆଚରଣ କରି ପ୍ରକଳ୍ପ ପରିସର ମଧ୍ୟରୁ ତାଙ୍କୁ ଯେଉଁଭଳି ତଡ଼ି ଦିଆଗଲା, ତାହା ତାଙ୍କ ଅନ୍ତରାତ୍ମାକୁ ଏଭଳି କ୍ଷତାକ୍ତ କରିଛି ଯେ, ତାଙ୍କର ଅତୀତ ହୋଇ କିଛି ଥିଲା ବୋଲି ସେ ସମ୍ପୂର୍ଣ୍ଣ ପାଶୋରି ଯାଇଛନ୍ତି। ଖଇରୀ କଥା ଉଠେଇବା ମାତ୍ରେ ହିଁ ସେ ପ୍ରସଙ୍ଗରୁ ନିଜକୁ ଓହରାଇ ନେଉଛନ୍ତି। ତେଣୁ ବାସ୍ତବତା ଦୃଷ୍ଟିରୁ ତାଙ୍କର ସହଯୋଗ ବିନା ଖଇରୀ ଉପରେ ଟିପାଟିପି ହୋଇ ରହିଥିବା ତଥ୍ୟକୁ ଆଧାର କରି କୌଣସି ଗବେଷଣା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ।
ଖଇରୀର ଆବିର୍ଭାବ ସହିତ କେବଳ ଓଡ଼ିଶା ନୁହେଁ, ସାରା ଦେଶ ଓ ପୃଥିବୀର ବନ୍ୟଜନ୍ତୁ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିଲା। କିନ୍ତୁ ତାର ଅକାଳ ବିୟୋଗ ସହିତ ସେହି ନୂତନ ଅଧ୍ୟାୟର ଅକାଳ ଅନ୍ତ ହିଁ ହେଲା। ବନ୍ୟ-ଜନ୍ତୁ-ପ୍ରେମୀ ଜନସାଧାରଣଙ୍କ ସ୍ମୃତିରେ ଖଇରୀ ଏବେ ବି ନିଃସନ୍ଦେହରେ ଜୀବନ୍ତ ରହିଛି। କିନ୍ତୁ ତାକୁ ଘେନି ଅଧାରେ ରହିଯାଇଥିବା ଗବେଷଣାକୁ ସମ୍ପୂର୍ଣ୍ଣ କରା ନ ଗଲେ ଆମ ସମୟର ସଭ୍ୟତା ପ୍ରତି ତାହା ସମ୍ପୂର୍ଣ୍ଣ ଅବିଚାର ବୋଲି ବିନା ଦ୍ୱିଧାରେ କହିହେବ। କିନ୍ତୁ କେମିତି ବା ସେ କାମ ସଂପୂର୍ଣ୍ଣ ହୋଇ ପାରିବ? କରିବ ପୁଣି କିଏ?
ନା, ସେ କାମ ସେମିତି ଅଧା ରହିଗଲା। ‘ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ’ କର୍ତ୍ତୃପକ୍ଷ ତଥା ରାଜ୍ୟ ସରକାର ସେ ଦିଗରେ ଆଉ କୌଣସି ପଦକ୍ଷେପ ନେଲେ ନାହିଁ। ତେବେ ଆଶ୍ଵାସନାର କଥା ଯେ ସେହି ବିସ୍ମୃତ ସମୟର ଅବଗାହନ ପାଇଁ କେବଳ ରହିଛି ଖଇରୀର ଜୀବନୀ ଲେଖକ ତଥା ବିଶିଷ୍ଟ କଥାକାର ଅଖିଳ ମୋହନ ପଟ୍ଟନାୟକଙ୍କର ପୁସ୍ତକ ‘ବାଘ ରାଣୀ ଖଇରୀ’।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)