ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆରେ ଦମଦାର ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ଖୁବଶୀଘ୍ର ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିସିସିଆଇ ଭାରତୀୟ କ୍ରିକେଟରଙ୍କ ପ୍ରଦର୍ଶନକୁ ଦେଖି ବିଭିନ୍ନ ଶ୍ରେଣୀ ଅନୁସାରେ ଚୁକ୍ତି କରିଥାଏ। ପୂର୍ବରୁ ପୂଜାରା ‘ଏ’ ଶ୍ରେଣୀରେ ରହିଥିଲେ। ଯେଉଁଥିପାଇଁ ବିସିସିଆଇ ତାଙ୍କୁ ବାର୍ଷିକ ଫି’ ବାବଦକୁ ୫ କୋଟି ଟଙ୍କା ଦେଉଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ତାଙ୍କର ତିନି ତିନିଟି ଦମଦାର ଶତକ ଯୋଗୁ ତାଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି।

ସେ ‘ଏ ପ୍ଲସ୍’ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ ହେବେ। ଫଳରେ ତାଙ୍କୁ ଏଣିକି ବର୍ଷକୁ ୭ କୋଟି ଟଙ୍କା ମିଳିବ। ପୂଜାରାଙ୍କୁ ପଦୋନ୍ନତି ଦେବା ପାଇଁ ବିସିସିଆଇର ପ୍ରଶାସନିକ କମିଟି ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିବ। ଏହାପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ପୂଜାରାଙ୍କ ପ୍ରଦର୍ଶନ ଯେହେତୁ ଭଲ ରହିଛି, ତେଣୁ ତାଙ୍କୁ ‘ଏ ପ୍ଲସ୍’ କ୍ୟାଟେଗୋରୀରେ ସାମିଲ କରାଯିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

 

ବିସିସିଆଇର ‘ବି’ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କୁ ବାର୍ଷିକ ୩ କୋଟି ଏବଂ ‘ସି’ କ୍ୟାଟେଗୋରୀରେ ଥିବା ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିଥାଏ। ବର୍ତ୍ତମାନ ଏ ପ୍ଲସ୍ କ୍ୟାଟେଗୋରୀରେ କୋହଲି, ରୋହିତ ଶର୍ମା, ବୁମରା, ଭୁବନେଶ୍ୱର କୁମାର ଓ ଶିଖର ଧୱନ ରହିଛନ୍ତି। ତେବେ ଶିଖର ଧୱନ ଏହି କ୍ୟାଟେଗୋରୀରୁ ବାଦ୍ ପଡ଼ିବାର ଆଶଙ୍କା ରହିଛି। କାରଣ ପୃଥ୍ୱୀ ଶ’ ଏବଂ ମୟଙ୍କ ଅଗ୍ରାୱାଲଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଟେଷ୍ଟ୍ ଫର୍ମାଟରୁ ଶିଖର ଧୱନ ବାଦ୍ ପଡ଼ିପାରନ୍ତି।

Comment