ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଡନୀରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତର ନିଜ ସ୍ଥିତି ମଜୁବତ କରିନେଇଛି। ଚେତେଶ୍ଵର ପୂଜାରା ଓ ଋଷଭ ପନ୍ତଙ୍କ ଦମଦାର ଶତକ ସହ ରବୀନ୍ଦ୍ର ଜାଡ଼େଜାଙ୍କ ବ୍ୟାଟିଂ ବଳରେ ଦଳ ସୁଦୃଢ଼ ହୋଇଛି। ଭାରତର ପ୍ରଥମ ଇନିଂସ ୭ ଓ୍ଵିକେଟ ବିନିମୟରେ ୬୨୨ ରନ ଜବାବରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍ ନହରାଇ ୨୪ ରନ କରିଛି। ମାର୍କସ ହ୍ୟାରିସ୍ ୧୯ ଓ ଉସମାନ ଖ୍ଵାଜା ୫ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସ ଆଧାରରେ ଅଷ୍ଟ୍ରେଲିଆ ଏବେ ଭାରତଠୁ ୫୯୮ ରନ ପଛରେ ରହିଛି।

ରନ ପାଇଁ ପୂଜାରା ଦ୍ୱିଶତକରୁ ବଞ୍ଚିତ

ଟେଷ୍ଟରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ମାତ୍ର ୭ ରନ୍ ପାଇଁ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ପୂଜାରା ୧୯୩ରନ୍ କରି ଆଉଟ୍ ହୋଇଥିଲେ। ପୂଜାରା ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍ ହୋଇଛନ୍ତି। ଅଷ୍ଟ୍ରେଲିଆ ବୋଲିଂକୁ ବେଖାତିର କରି ଚେତେଶ୍ୱର ପୂଜାରା ଦମଦାର ପ୍ରଦର୍ଶନ କରିଛନ୍ତି। ନିଜସ୍ୱ ଷ୍ଟାଇଲରେ ପୂଜାରା ଟେଷ୍ଟ ସିରିଜରେ ତୃତୀୟ ଶତକ ହାସଲ କରି ସୁନୀଲ ଗାଭାସ୍କରଙ୍କ ରେକର୍ଡ ସହିତ ସମକକ୍ଷ ହୋଇଥିଲେ।

ଏହି ସିରିଜରେ ଉଭୟ ଦେଶର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠୁ ଭଲ ଖେଳିଥିବା ପୂଜାରା ୯୦ ବର୍ଷର ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୧୯୩ ରନ୍ କରି ଏହି ସିରିଜରେ ୫୦୦ ରନ୍ ଅତିକ୍ରମ କରିଛନ୍ତି। ଏଯାବତ୍ ୭ଟି ଇନିଂସ୍ ଖେଳି ସାରିଥିବା ପୂଜାରା ୫୨୧ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ସିରିଜରେ ୫୦୦ରୁ ଅଧିକ ରନ୍ ସଂଗ୍ରହ କରିବାରେ ସେ ହୋଇଛନ୍ତି ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍। ତାଙ୍କ ଉପରେ ରହିଛନ୍ତି ରାହୁଲ ଦ୍ରାବିଡ଼ ଓ ବିରାଟ କୋହଲି।

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ 

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ୱିକେଟ କିପର ଋଷଭ ପନ୍ତ ପୂର୍ବତନ ଅଧିନାୟକ ତଥା ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କର ୧୨ ବର୍ଷ ତଳର ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦେଶ ବାହାରେ ଏକ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର ଭାବେ ଧୋନି ସବୁଠୁ ଅଧିକ ରନ୍ କରିଥିଲେ। ୨୦୦୬ ମସିହାରେ ପାକିସ୍ତାନର ଫୈସଲାବାଦରେ ଧୋନି ୧୪୮ ରନ୍ କରିଥିଲେ। ପନ୍ତ ୧୮୯ ବଲ୍ରୁ ୧୫୯ ରନ୍ କରି ଅପରାଜିତ ରହିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଶତକ ସହିତ ଋଷଭ ପନ୍ତ ନିଜ ନାଁରେ ଏକ ବିରଳ ରେକର୍ଡ ଲେଖିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ କିପର। ଏହା ପୂର୍ବରୁ ଭାରତୀୟ ୱିକେଟ୍ କିପର୍ ଫାରୁଖ୍ ଇଞ୍ଜିନିୟର ଅଷ୍ଟ୍ରେଲିଆରେ ସର୍ବାଧିକ ୮୯ ରନ୍ କରିଥିଲେ। ୧୯୬୭ ମସିହାରେ ଆଡେଲେଡରେ ସେ ଏହି ରନ୍ ସଂଗ୍ରହ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଯେ କୌଣସି ଭାରତୀୟ ୱିକେଟ କିପର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ୍ ହୋଇ ରହିଥିଲା।

Comment