ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଳେ ବେଳେ ପ୍ରଶାସନିକ ସୁବିଧା ପାଇଁ ସୀମା ପୁନଃନିର୍ଧାରଣ ହୋଇଛି ତ କେତେବେଳେ ଭାଷାଗତ ବିଭେଦ ଓ ଏଥିରୁ ସୃଷ୍ଟି ଆନ୍ଦୋଳନ ପାଇଁ ନୂଆ ରାଜ୍ୟ ତିଆରି ହୋଇଛି। ଦେଶ ସ୍ୱାଧୀନତାଠାରୁ ଆରମ୍ଭ କରି ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁନର୍ଗଠନ ହୋଇଛି। ସେହିପରି ନଭେମ୍ବର ୧ରେ ମଧ୍ୟପ୍ରଦେଶ , ଛତିଶଗଡ଼, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁର ପୁନର୍ଗଠନ ହୋଇଥିଲା। ଏହା ସହ ଦିଲ୍ଲୀ, ଚଣ୍ଡିଗଡ଼, ପୁଡୁଚେରୀ, ଲାକ୍ଷାଦୀପ, ଆଣ୍ଡାମାନ ନିକୋବର ଦୀପପୁଞ୍ଜକୁ ମଧ୍ୟ ଏହି ଦିନ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଥିଲା। ଫଳରେ ପ୍ରତି ବର୍ଷ ୧ ତାରିଖରେ ଏହି ରାଜ୍ୟଗୁଡ଼ିକ ନିଜର ପ୍ରତିଷ୍ଠା ଦିବସ ପାଳନ କରିଥାନ୍ତି।

ଆନ୍ଧ୍ରପ୍ରଦେଶ-  ୨୦୧୪ରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ଗଠନ ହୋଇଥିଲା। ହେଲେ ଏହାର ଢେର ପୂର୍ବରୁ ୧୯୫୬ ନଭେମ୍ବର ୧ରେ ଆନ୍ଧ୍ରପ୍ରଦେଶର ଗଠନ ହୋଇଥିଲା। ଅନେକ ଦାବି, ଉଗ୍ର ଆନ୍ଦୋଳନ ପରେ ତେଲଗୁ ଭାଷାଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ଆନ୍ଧ୍ରପ୍ରଦେଶ। ମାଡ୍ରାସ ପ୍ରେସିଡେନସିରୁ ଅଲଗା ହୋଇ ନୂଆ ରାଜ୍ୟ ଭାବେ ପରିଚୟ ପାଇଥିଲା। ହାଇଦ୍ରାବାଦ ଏହାର ରାଜଧାନୀ ହୋଇଥିଲା। ହାଇଦ୍ରାବାଦ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲେ ମଧ୍ୟ, ଏହି ପ୍ରଦେଶରୁ ତେଲେଙ୍ଗାନା ଅଞ୍ଚଳକୁ ଅଲଗା କରାଯାଇ ଆନ୍ଧ୍ରପ୍ରଦେଶରେ ସାମିଲ କରାଯାଇଥିଲା।

ତାମିଲନାଡୁ : ୧୯୫୬ ନଭେମ୍ବର ୧ରେ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ଭାବେ ତାମିଲନାଡୁର ଜନ୍ମ ହୋଇଥିଲା। ମାଡ୍ରାସ ପ୍ରୋଭିନ୍ସର ତାମିଲ ଭାଷାଭାଷୀ ଅଞ୍ଚଳକୁ ନେଇ ମାଡ୍ରାସ ରାଜ୍ୟର ଗଠନ ହୋଇଥିଲା। ପରେ ଏହା ତାମିଲନାଡୁ ନାମରେ ନାମିତ ହୋଇଥିଲା। ସୀମା ପୁନର୍ଗଠନ, ନାମ ପରିବର୍ତ୍ତନର ଅଲଗା ଅଲଗା ତାରିଖ ଥିବା ବେଳେ ଗତ ୨୦୧୯ରୁ ନଭେମ୍ବର ୧କୁ ରାଜ୍ୟ ପ୍ରତିଷ୍ଠା ଦିବସ ଭାବେ ପାଳନ କରାହେଉଛି।

କର୍ଣ୍ଣାଟକ – କନ୍ନଡ ଭାଷାଭାଷୀ ଅଞ୍ଚଳକୁ ନେଇ କର୍ଣ୍ଣାଟକର ପ୍ରତିଷ୍ଠା ହୋଇଥିଲା। ବାଙ୍ଗାଲୋର ଏହାର ରାଜଧାନୀ ହୋଇଥିଲା। ଏଥିରେ ମହୀଶୂର ସମେତ, ବମ୍ବେ ପ୍ରୋଭିନ୍ସର ବିଭିନ୍ନ କନ୍ନଡ ଭାଷାଭାଷୀ ଅଞ୍ଚଳ ସାମିଲ ହୋଇଥିଲା।

କେରଳ – ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ସମାନ ଦିନରେ ପ୍ରତିଷ୍ଠା ହୋଇଥିଲା କେରଳ। ମାଲାୟାଲାମ ଭାଷାଭାଷୀ ଅଞ୍ଚଳକୁ ନେଇ ରାଜ୍ୟର ସୀମା ନିର୍ଧାରଣ କରାଯାଇଥିଲା। ମାଲାବାର, କୋଚିନ ଓ ଟ୍ରାଭନକୋର ଭଳି ରାଜରାଜୁଡ଼ା ଅଞ୍ଚଳ ଏହି ରାଜ୍ୟରେ ସାମିଲ ହୋଇଥିଲା। ଥିରୁବନନ୍ତପୁରମ ଏହାର ରାଜଧାନୀ ଭାବେ  ମାନ୍ୟତା ପାଇଥିଲା।

ମଧ୍ୟପ୍ରଦେଶ –  କେବଳ ଦକ୍ଷିଣ ନୁହେଁ, ଦକ୍ଷିଣରୁ ଉତ୍ତର ଓ  ପଶ୍ଚିମ ଭାରତରୁ ପୂର୍ବ ଭାରତ ପର୍ଯ୍ୟନ୍ତ ବିସ୍ତାର କରିଥିବା ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ମଧ୍ୟ ପ୍ରଦେଶ। ଠିକ୍ ମଧ୍ୟ ଭାଗରେ ରହିଥିବାରୁ ଏହା ମଧ୍ୟପ୍ରଦେଶ ଭାବେ ପରିଚିତ ହୋଇଥିଲା। ମଧ୍ୟଭାରତ, ବିନ୍ଧ୍ୟ ପ୍ରଦେଶ ଓ ଭୋପାଳ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା। ଭୋପାଳ ଏହାର ରାଜଧାନୀ ଭାବେ ପରିଚିତ ହୋଇଥିଲା।

ଛତିଶଗଡ଼ – ଆଜିର ଦିନରେ କିନ୍ତୁ ପ୍ରାୟ ୪୪ ବର୍ଷ ପରେ ମଧ୍ୟପ୍ରଦେଶରୁ ଅଲଗା ହୋଇ ଛତିଶଗଡ଼ର ଗଠନ କରାଯାଇଥିଲା। ୧୦ ଛତିଶଗଡ଼ି ଓ ୬ ଗୋଣ୍ଡି ଭାଷାଭାଷୀ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା। ରାୟପୁର ଏହାର ରାଜଧାନୀ ହୋଇଥିଲା। ଦୀର୍ଘଦିନ ଧରି ବିଜେପି ଏଠାରେ ଶାସନ କରିଥିବା ବେଳେ ଗତ ନିର୍ବାଚନରେ ଏହା କଂଗ୍ରେସ ହାତକୁ ଆସିଛି।

ପଞ୍ଜାବ/ ହରିୟାଣା- ସେହିପରି ୧୯୬୬ ମସିହାରେ ପଞ୍ଜାବ ଓ ହରିୟାଣାକୁ ଅଲଗା ଅଲଗା ରାଜ୍ୟର ମାନ୍ୟତା ଦିଆଯାଇଥିଲା। ପଞ୍ଜାବୀ ଭାଷାଭାଷୀ ଅଞ୍ଚଳକୁ ନେଇ ପଞ୍ଜାବ ଗଠନ ହୋଇଥିଲା। ସେହିପରି ହରିୟାଣା ମଧ୍ୟ ଗଠନ ହୋଇଥିଲା। ଗୋଟିଏ ରାଜ୍ୟ ୨ଟା ହୋଇଥିଲେ ମଧ୍ୟ ଏବେ ବି ଉଭୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ବିବାଦ ରହିଛି। ଦଶନ୍ଧି ଦଶନ୍ଧି ଧରି ଏହି ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ କଛି ନିଷ୍କର୍ଷ ବାହାରିପାରିନି।

Comment