ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ଜୁନ୍ ୧ ତାରିଖରେ ଏହିସବୁ ଆସନରେ ମତଦାନ ହେବ। ମଙ୍ଗଳବାରଠାରୁ ଏହି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁସାରେ ଶେଷ ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ପ୍ରତି ଲୋକସଭା ଆସନ ଅନ୍ତର୍ଗତ ୭ଟି ଲେଖାଏଁ ବିଧାନସଭା କ୍ଷେତ୍ର ରହିଛି।

ଓଡ଼ିଶାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ମେ’ ୧୪ ତାରିଖ ଯାଏଁ ଚାଲିବ। ସେହିପରି ମେ’ ୧୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ମେ’ ୧୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହାସହ ଜୁନ୍ ୧ ତାରିଖରେ ରାଜ୍ୟର ଆସନଗୁଡ଼ିକରେ ଭୋଟ ଗ୍ରହଣର ସମୟ କ’ଣ ରହିବ ତାହା ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି।

ସପ୍ତମ ପର୍ଯ୍ୟାୟରେ ସାରା ଭାରତରେ ୫୭ଟି ଲୋକସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶା ସହ ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ଚଣ୍ଡୀଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ସବୁ ଆସନ ରହିଛି।

Tags: #LoksabhaElections2024 #Voting #Odisha #ECI #India

Comment