ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ମଙ୍ଗଳବାର ଜାରି ରହିଛି। ଦେଶର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଆସନରେ ଭୋଟରମାନେ ନିଜ ଭୋଟ ମାଧ୍ୟମରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଦେଇଛନ୍ତି।

ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନ ପାଇଁ ହେଉଥିବା ଭୋଟିଂରେ ପ୍ରଧାନମନ୍ତ୍ରୀ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୁକ୍ରବାର ସକାଳେ ସେ ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେଇଥିଲେ। ଏହି ଆସନରୁ ବରିଷ୍ଠ ବିଜେପି ନେତା ଅମିତ ଶାହ ନିର୍ବାଚନ ଲଢ଼ୁଛନ୍ତି। ଏହି ଅବସରରେ ଅମିତ ଶାହ ମଧ୍ୟ ସେହି ବୁଥରେ ଉପସ୍ଥିତ ଥିଲେ।

“ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ମୁଁ ସବୁ ଦେଶବାସୀଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରୁଛି। ଏହା ଆମ ଗଣତନ୍ତ୍ରକୁ ଆହୁରି ଶାସକ୍ତ କରିଥାଏ”, କହିଛନ୍ତି ନରେନ୍ଦ୍ର ମୋଦୀ।

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୭ କୋଟି ୨୪ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୮୫ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାୟ ୧୮ ଲକ୍ଷ ୫୦ ହଜାର ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧,୩୫୧ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ୧,୧୩୧  ଜଣ ପୁରୁଷ ଓ ୧୨୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। କେବଳ ଗୁଜରାଟର ସୁରାଟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। 

ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ବ୍ୟତୀତ ଶିବରାଜ ସିଂ ଚୌହାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିୟା ନିର୍ବାଚନ ଲଢ଼ୁଛନ୍ତି। ସେହିପରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ ତଥା ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବଙ୍କ ସମେତ ଅନ୍ୟ ନେତାମାନେ ମଇଦାନକୁ ଓହ୍ଲାଇଛନ୍ତି।  

ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଆସନରେ ଚାଲିଛି ମତଦାନ

  • ଗୁଜରାଟ – ୨୬
  • କର୍ଣ୍ଣାଟକ – ୧୪
  • ମହାରାଷ୍ଟ୍ର – ୧୧
  • ଉତ୍ତରପ୍ରଦେଶ – ୧୦
  • ମଧ୍ୟପ୍ରଦେଶ – ୮
  • ଛତିଶଗଡ଼ – ୭
  • ବିହାର – ୫
  • ଆସାମ – ୪
  • ପଶ୍ଚିମବଙ୍ଗ – ୪
  • ଗୋଆ – ୨
  • ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ – ୨

Tags: #LoksabhaElections #3rdPhaseVoting #Voters #ECI #India

Comment