ଓଡ଼ିଶାଲାଇଭ୍ ବ୍ୟୁରୋ

ବେଆଇନ ଖଣି ଦୁର୍ନୀତି ମାମଲାରେ ସିବିଆଇ ଜାଲରେ ଫସିଲେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।
ଉତ୍ତରପ୍ରଦେଶରେ ହୋଇଥିବା ବେଆଇନ ଖଣି ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏଥିରେ ଫସି ଯାଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କ ହାତରେ ଖଣି ମନ୍ତ୍ରାଳୟ ରହିଥିବା ବେଳେ ଖଣି ଦୁର୍ନୀତି ହୋଇଥିଲା।
ମୁଖ୍ୟମନ୍ତ୍ରୀ ଖଣି ମନ୍ତ୍ରାଳୟ ଦାୟିତ୍ୱରେ ଥିବାବେଳେ ୧୪ଟି ଖଣିର ଲିଜ୍ ପ୍ରଦାନ କରିଥିଲେ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ୧୪ଟି ଖଣି ମଧ୍ୟରୁ ୧୩ଟି ଖଣିର ଲିଜ୍କୁ ଅଖିଳେଶ ଗୋଟିଏ ଦିନରେ ଅର୍ଥାତ୍ ୨୦୧୩ ମସିହା ଫେବୃଆରି ୧୭ରେ ପ୍ରଦାନ କରିଥିଲେ।

ଏହି କ୍ଷେତ୍ରରେ ରହିଥିବା ଇ-ଟେଣ୍ଡର ପ୍ରକ୍ରିୟାକୁ ଅଣଦେଖା କରି ଲିଜ୍ ପ୍ରଦାନରେ ବ୍ୟାପକ ଦୁର୍ନୀତି କରିଥିବା ନେଇ ସିବିଆଇ ଅଧିକାରୀମାନେ ଏବେ ତଦନ୍ତରୁ ଜାଣିପାରିଛନ୍ତି। ଏହି ଘଟଣା ଜାଣିବା ପରେ ଏବେ ଖଣି ଦୁର୍ନୀତି ମାମଲାରେ ଅଖିଲେଶଙ୍କୁ ପକ୍ଷଭୁକ୍ତ କରି ତାଙ୍କୁ ଜେରା କରିବା ଯୋଜନାରେ ସିବିଆଇ ଅଧିକାରୀମାନେ ରହିଥିବା ଜାଣିବାକୁ ମିଳିଛି।

















