ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିସିସିଆଇ। ଏକ ଟିଭି ଶୋ’ରେ ମହିଳାଙ୍କ ଉପରେ ଟିପ୍ପଣୀ କରିଥିବା କାରଣରୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଟିପ୍ପଣୀକୁ ନେଇ ସମାଲୋଚନା ପରେ ବୋର୍ଡ ଖେଳାଳିଙ୍କ ଏହି ଧରଣର ଟିଭି ଶୋ’ରେ ସାମିଲ ହେବା ଉପରେ ମଧ୍ୟ ରୋକ୍ ଲଗାଇ ପାରନ୍ତି।

କଫି ଓ୍ଵିଥ୍ କରଣ ଟିଭି ଶୋ’ରେ ପାଣ୍ଡ୍ୟାଙ୍କ ଟିପ୍ପଣୀକୁ ବହୁତ ସମାଲୋଚନା କରାଯାଇଛି। ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିବା ସହ ପାଣ୍ଡ୍ୟା କହିଛନ୍ତି ଯେ ସେ ଶୋ’ର ମାହୋଲରେ ନିଜ ଭାବନାରେ ଡୁବି ଯାଇଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା  ଦେଇ ନାହାନ୍ତି। ବିସିସିଆଇ ୨୪ ଘଣ୍ଟା ଭିତରେ ମହିଳାଙ୍କ ପ୍ରତି ଏହି ଧରଣର ଟିପ୍ପଣୀକୁ ନେଇ ଉଭୟ ଖେଳାଳିଙ୍କଠୁ ଜବାବ ମାଗିଛି।

ପାଣ୍ଡ୍ୟା ଓ ଲୋକେଶ ରାହୁଲ ଉଭୟଙ୍କୁ ସେଲିବ୍ରିଟି ଚାଟ୍ ସୋ କଫି ଓ୍ଵିଥ୍ କରଣରେ ଦେଖିବାକୁ ମିଳିଥିଲା। ପାଣ୍ଡ୍ୟା ଟୁଇଟ୍ କରି ଲେଖିଛନ୍ତି ଯେ କଫି ଓ୍ଵିଥ୍ କରଣରେ ନିଜର ଟିପ୍ପଣୀ ପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ସେ ଲେଖିଛନ୍ତି ଯେ ସତ କହିବାକୁ ଗଲେ ମୁଁ ଶୋ’ରେ ମାହୋଲ ସହିତ ଭାବନାରେ ଡୁବି ଯାଇଥିଲି। ମୁଁ କୌଣସି ପ୍ରକାରରେ କୌଣସି ମଧ୍ୟ ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁନାହିଁ। ଶୋ’ରେ ପାଣ୍ଡ୍ୟା ଅନେକ ମହିଳାଙ୍କ ସହ ନିଜର ସମ୍ବନ୍ଧକୁ ବଢ଼େଇ ଚଢ଼େଇ କହିଥିଲେ। ଏହା ମଧ୍ୟ କହିଥିଲେ ଯେ ନିଜର ମାତା-ପିତାଙ୍କ ସହ ମଧ୍ୟ ଏହି ବିଷୟରେ ଖୋଲାଖୋଲି କଥା ହୁଅନ୍ତି।

ଶୋ’ରେ ପାଣ୍ଡ୍ୟାଙ୍କ ଏହି ଧରଣର  ବୟାନକୁ ନେଇ ବିସିସିଆଇର ଶୀର୍ଷ ଅଧିକାରୀ ତାଙ୍କୁ  ତାଗିଦ୍ କରିଛନ୍ତି। ବିସିସିଆଇ କହିଛି ଯେ ଏହି ବିଷୟରେ ବିଚାର କରାଯିବ ଯେ ଖେଳାଳିଙ୍କୁ କେଉଁ ଧରଣର  ଶୋ’ରେ ଯୋଗ ଦେବାକୁ ଅନୁମତି ଦିଆଯିବ ନା ନାହିଁ। ଯେଉଁ ଶୋ’ର  କ୍ରିକେଟ୍  ସହିତ କୌଣସି ସଂପର୍କ ନାହିଁ।

Comment