ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବେ ତାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ଯେ କୌଣସି ସମୟରେ ସେ ଏ ନେଇ ଏକ ନିଷ୍ପତ୍ତି ନେଇପାରନ୍ତି। ନିକଟରେ ଦିଲ୍ଲୀରେ ତାଙ୍କ ଲିଖିତ ପୁସ୍ତକ ‘ଲ୍ୟୁଟେନସ୍ ମାଭେରିକ’ର ଉନ୍ମୋଚନ ଅବସରରେ ଏକ ଦୈନିକ ଇଂରେଜୀ ଖବର କାଗଜକୁ ସାକ୍ଷାତ ଦେବା ବେଳେ ସେ କହିଛନ୍ତି ଯେ ବିଭିନ୍ନ ରାଜନୈତିକ ଦଳ ସହିତ ତାଙ୍କର କଥାବାର୍ତ୍ତା ସରିଛି। କିନ୍ତୁ କାହା ସହ ଯିବେ ସେ କଥା ସେ ସ୍ଥିର କରିନାହାନ୍ତି ଓ ଶୀଘ୍ର ତାହା କରିବେ।

“ମୁଁ ଏବେ  ଶେଷ ପାହାଚରେ ପହଞ୍ଚିଛି ଓ ମୋର ବନ୍ଧୁମାନଙ୍କ ସହ ଏ ନେଇ ଆଲୋଚନା କରିଛି। ଯେହେତୁ ମୁଁ ଓଡ଼ିଶାର ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛି ଏବଂ ମୁଁ ଏଭଳି କିଛି କରିବି ଯାହାର ତୃଣମୂଳ ରାଜନୀତିର ବାସ୍ତବତା ସହ ସମ୍ପର୍କ ଥିବ”, ବୈଜୟନ୍ତ ଏ କଥା କହିଛନ୍ତି।

ବୈଜୟନ୍ତ ତାଙ୍କ ସାକ୍ଷାତକାରରେ କହିଲେ, “ସବୁ ବିକଳ୍ପକୁ ଚିନ୍ତା କରି ଦେଖିଛି। ହୋଇପାରେ ଏକ ଜାତୀୟ ଦଳରେ ମିଶିପାରେ  କିମ୍ବା ଗଠନ ହେଉଥିବା ନୂଆ ଦଳରେ ମୁଁ ଯୋଗ ଦେଇପାରେ। ଓଡ଼ିଶାରେ ଯିଏ ପରିବର୍ତ୍ତନ ଆଣିପାରିବ ସେମାନଙ୍କ ସହ ଯିବା ପାଇଁ ମୋର ଇଚ୍ଛା ଏବଂ ଏହି ବିଷୟକୁ ମୁଁ ଗୁରୁତ୍ୱର ସହ ଚିନ୍ତା କରୁଛି।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳକୁ ପ୍ରଶଂସା କରିବାକୁ ବୈଜୟନ୍ତ ଯାଇ କହିଛନ୍ତି ଯେ କଂଗ୍ରେସ ଓ ବିଜେପିକୁ ପରସ୍ପର ବିରୋଧରେ ବ୍ୟବହାର କରି ନବୀନ ଏକ ବୁଦ୍ଧିମାନର  କାମ କରିଛନ୍ତି। ଏଥିରେ ବେଶୀ କ୍ଷତି ହୋଇଛି କଂଗ୍ରେସର।

“ଓଡ଼ିଶା ସରକାରଙ୍କ ବିରୋଧରେ ଯେତେବେଳେ ବଡ଼ ବଡ଼ ଦୁର୍ନୀତି ଅଭିଯୋଗ ଆସିଲା ସେତେବେଳେ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ
ଥାଇ ମଧ୍ୟ କିଛି କରି ପାରିଲା ନାହିଁ”, ଏହା କହିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ।

ବିଜେଡିରୁ ତାଙ୍କ ବିଦାୟ ପ୍ରସଙ୍ଗରେ ବୈଜୟନ୍ତ କହିଲେ ଯେ ତାଙ୍କ ଆଡୁ କଦାପି ସମ୍ପର୍କକୁ ତିକ୍ତ କରାଯାଇନାହିଁ। ବିଜେଡି ବିରୋଧରେ ସେ ବିଷୋଦଗାର କରି କହିଲେ ଯେ ତାଙ୍କ ପିତାଙ୍କ ଏକାଦଶାହକୁ ମଧ୍ୟ ବିଜେଡି ନେତାମାନଙ୍କୁ ଛଡ଼ା ଗଲାନାହିଁ।

ଅଭିଜିତ ଆୟାର ମିତ୍ର ପାଲା ସମ୍ପର୍କରେ ପଚାରିବାରୁ ବୈଜୟନ୍ତ କହିଲେ, “ଏହା ରାଜନୈତିକ ଦ୍ଵେଷ ବା ଭେଣ୍ଡେଟା ଛଡ଼ା ଆଉ କିଛି ନଥିଲା। ଅଭିଜିତଙ୍କ ବିରୋଧରେ ଯେତେ ସବୁ ମାମଲା ରୁଜୁ କରାଯାଇଥିଲା ତାହା ଭିତ୍ତିହୀନ ଥିଲା।”

Comment