ଓଡ଼ିଶାଲାଇଭ୍ ବ୍ୟୁରୋ
ଅମୂଲ କମ୍ପାନି ନାଁରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ସଂସ୍ଥା।
ଦେଶର ସବୁଠୁ ବଡ଼ ବ୍ୟବସାୟିକ କମ୍ପାନି ଅମୂଲ ନକଲି ବିଜ୍ଞାପନ ମାମଲାରେ ଗୁଗଲକୁ ଲିଗାଲ ନୋଟିସ ପଠାଇଛି। କମ୍ପାନିର କହିବାନୁସାରେ, କିଛି ସଂସ୍ଥା ଓ ବ୍ୟକ୍ତି ଅମୂଲ ବିତରଣ କରିବା ନାଁରେ ଗୁଗଲରେ ନକଲି ବିଜ୍ଞାପନ ଦେଇ ଠକାମି କରୁଛନ୍ତି।
ଗୁଗଲରେ ଅମୂଲ ଫ୍ରାଞ୍ଚାଇଜ, ଅମୂଲ ପାର୍ଲର ଓ ଅମୂଲ ବିତରଣର ଶବ୍ଦ ସର୍ଚ୍ଚ କଲେ ନକଲି ଲିଙ୍କ ଆସିଯାଉଛି। ଏହା ଉପରେ କ୍ଲିକ୍ କରି ଲୋକଙ୍କଠାରୁ ଫର୍ମ ଭରିବାକୁ କୁହାଯାଏ। ଏହାପରେ କଲ କରି ରେଜିଷ୍ଟ୍ରେସନ ଫିସ୍ ଭାବେ ୨୫,୦୦୦ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗାଯାଏ। ଟଙ୍କା ମିଳିବା ପରେ ଲୋକଙ୍କ ଠାରୁ ସଂପର୍କ ବନ୍ଦ କରିଦିଆଯାଏ ବୋଲି ଅମୂଲ କମ୍ପାନି ପକ୍ଷରୁ କୁହାଯାଇଛି।
ଅମୂଲର ଏମ୍ଡି କହିଛନ୍ତି ଯେ ନକଲି ବିଜ୍ଞାପନର ଶିକାର ହୋଇଥିବା କେତେକ ଲୋକ ତାଙ୍କୁ ଯୋଗାଯୋଗ କରିଥିଲେ। କିଛି ଲୋକ ଠକମାନଙ୍କ କଥାରେ ଆସି ଲକ୍ଷାଧିକ ଟଙ୍କା ଦେଇଛନ୍ତି। ଅମୂଲ ଗୁଗଲକୁ ନକଲି ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ କହିଛି। ଏହାସହ ଯାଞ୍ଚ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।
ଅମୂଲ କମ୍ପାନି ପକ୍ଷରୁ ସମସ୍ତ ଆଇନସିଦ୍ଧ ଦସ୍ତାବିଜ୍ ଗୁଗଲ ନିକଟରେ ଜମା କରାଯାଇଛି। ଏଭଳି ଠକାମୀରୁ ଲୋକେ ବର୍ତ୍ତିବା ପାଇଁ ଅମୂଲ ଗୁଗଲ ସର୍ଚ୍ଚରେ ଏକ ଅଭିଯାନ ଆରମ୍ଭ କରିଛି।
















