ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସିଦ୍ଧ ‘ଅମୁଲ ଗାର୍ଲ’ ମାସ୍କଟ ତିଆରି କରିଥିବା ମୁଖ୍ୟ ବ୍ୟକ୍ତି ସିଲଭେଷ୍ଟର ଡାକୁହ୍ନାଙ୍କ ଦେହାନ୍ତ ହୋଇଛି। ମୁମ୍ବାଇରେ ମଙ୍ଗଳବାର ବିଳମ୍ବିତ ରାତିରେ ୯୩ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଦେହାନ୍ତରେ ଅମୁଲ ଇଣ୍ଡିଆ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

ଭାରତର ସର୍ବବୃହତ ଦୁଗ୍ଧ ଉତ୍ପାଦକ ସମୂହ ଅମୁଲ ୬୦ ଦଶକରେ ନିଜର ବିଜ୍ଞାପନ ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ୧୯୬୬ ମସିହାରେ ସିଲଭେଷ୍ଟର ଡାକୁହ୍ନା ‘ଅମୁଲ ଗାର୍ଲ’ ମାସ୍କଟର ପରିକଳ୍ପନା କରିଥିଲେ। ଏହା ଆଗକୁ ଯାଇ ଅମୁଲକୁ ଘରେ ଘରେ ପରିଚିତ କରାଇଥିଲା। ସିଲଭେଷ୍ଟର କାମ କରୁଥିବା ବିଜ୍ଞାପନ ଏଜେନ୍ସି ‘ଏଏସପି’ ମାଧ୍ୟମରେ ଏହି ବିଜ୍ଞାପନର ମାର୍କେଟିଙ୍ଗ କରାଇଥିଲେ।

ଅମୁଲ ସତେବେଳେ ନିଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିବା ଭଳି ମାସ୍କଟ ତିଆରି କରିବାକୁ ଚାହୁଁଥିଲା। ଏହାପରେ ସିଲଭେଷ୍ଟର ଏହି ମାସ୍କଟରେ ଗୋଟେ ଝିଅର ଚେହେରା ରହିବ ବୋଲି ନିଷ୍ପତ୍ତି ନେଇଥିଲେ। ସେ ନିଜ ଏଜେନ୍ସିର ଚିତ୍ର ନିର୍ଦେଶକ ୟୁଷ୍ଟାସ୍ ଫର୍ଣ୍ଣାଣ୍ଡିଡିଜଙ୍କୁ ମାସ୍କଟ କିଭଳି ହେବ ତାହା ବର୍ଣ୍ଣନା କରିଥିଲେ, ଯାହା ଅମୁଲ ଗାର୍ଲ ମାସ୍କଟକୁ ଜୀବନ୍ତ କରିଦେଇଥିଲା। ଏହାସହ ସିଲଭେଷ୍ଟର ଅମୁଲ ପାଇଁ ‘ଅଟରଲି ବଟରଲି ଡିଲିସିୟସ’ ଟ୍ୟାଗ୍ ଲାଇନ ମଧ୍ୟ ଲେଖିଥିଲେ।

ପ୍ରଥମେ ଏହି ମାସ୍କଟଟି ମୁମ୍ବାଇର କିଛି ଲ୍ୟାମ୍ପ-ପୋଷ୍ଟ ବୋର୍ଡରେ ଲଗାଯାଇଥିଲା। ଏହାପରେ ବିଭିନ୍ନ ଖବରକାଗଜ, ମଗାଜିନ, ହୋର୍ଡିଂ ଓ ଖେଳ ଆଦି ସମୟରେ ‘ଅମୁଲ ଗାର୍ଲ’ର ନିୟମିତ ବିଜ୍ଞାପନ ଆରମ୍ଭ ହୋଇଥିଲା। ଏହି ‘ଅମୁଲ ଗାର୍ଲ’ ବିଜ୍ଞାପନ ଏ ପର୍ଯ୍ୟନ୍ତ ମଧ୍ୟ ଜାରି ରହି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି। ଏବେ ଏହା ସମଗ୍ର ବିଶ୍ଵରେ ଦୀର୍ଘଦିନ ଧରି ଚାଲୁଥିବା ବିଜ୍ଞାପନ ପାଲଟିଛି।

ଅମୁଲ ଗାର୍ଲ ମାସ୍କଟ ସିଲଭେଷ୍ଟର ଡାକୁହ୍ନାଙ୍କୁ ବିଜ୍ଞାପନ ଜଗତରେ ଖୁବ ପରିଚିତ କରାଇଥିଲା। ଏହାପରେ ସେ ନିଜର ବିଜ୍ଞାପନ ଏଜେନ୍ସି ‘ଡାକୁହ୍ନା କମ୍ୟୁନିକେସନ’ ଆରମ୍ଭ କରିଥିଲେ। ଅମୁଲ ଗାର୍ଲ ଛଡ଼ା ସେ ଅମୁଲ ‘ଚିଜ ବୟ’ ନାମରେ ଆଉ ଏକ ବିଜ୍ଞାପନ ମଧ୍ୟ ବନେଇଥିଲେ। ବିଜ୍ଞାପନ ଜଗତରୁ ବିରତି ନେବା ପରେ ସେ ନିଜ ପତ୍ନୀ ନିଶା ଓ ପୁଅ ରାହୁଲ ଡାକୁହ୍ନାଙ୍କ ସହ ମୁମ୍ବାଇରେ ରହୁଥିଲେ।

ତେବେ ଏହି ଅମୁଲ ବ୍ରାଣ୍ଡ ପଛରେ ଥିବା ମୁଖ୍ୟ ଲୋକ ଏବେ ଆଉ ନାହାନ୍ତି। ସିଲଭେଷ୍ଟର ଡାକୁହ୍ନାଙ୍କ ଦେହାନ୍ତ ଭାରତୀୟ ବିଜ୍ଞାପନ ଜଗତରେ ଏକ ଖାଲି ସ୍ଥାନ ସୃଷ୍ଟି ହୋଇଛି। ତାଙ୍କ କୀର୍ତ୍ତିକୁ ଲୋକେ ଆଗକୁ ମଧ୍ୟ ମନେ ରଖିବେ।

Tags: #SylvesterDacunha #AmulGirl #AdvertisementCampaign #AMUL #India

 

Comment