ଓଡ଼ିଶାଲାଇଭ ବ୍ୟୁରୋ

ଗୋଟେ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିଶ୍ୱବାସୀ ଭୟ ଭିତରେ ଥିବାବେଳେ ସେପଟେ ଭାରତରେ ବନ୍ଧବାଡ ମାନୁନି ଖାଉଟି ସାମଗ୍ରୀର ଦରବୃଦ୍ଧି। ପନିପରିବା ଓ ଖାଇବା ତେଲର ମୂଲ୍ୟ ଅହେତକୁ ଭାବେ ବୃଦ୍ଧି ପାଇବା ପରେ ଏବେ ଦୁଗ୍ଧ ଜାତୀୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କ ପକେଟ ଉପରେ ଖୁବ୍ ପ୍ରଭାବ ପକାଇଛି।

ଏହି କ୍ରମରେ ପ୍ରଥମେ ଅମୁଲ କମ୍ପାନୀ ନିଜ ଉତ୍ପାଦିତ କ୍ଷୀରର ଦାମ ବୃଦ୍ଧି କରିଥିଲା। ଏବେ ମଦର ଡାଏରୀ କମ୍ପାନୀ ମଧ୍ୟ କ୍ଷୀରର ଦାମ ବୃଦ୍ଧି କରିଛି। କମ୍ପାନୀର ସୂଚନା ମୁତାବକ କ୍ଷୀରର ଦାମ ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହି ଦାମ ରବିବାର ରାତିଠାରୁ ଲାଗୁ କରାଯିବ।

କମ୍ପାନୀ ତରଫରୁ କୁହାଯାଇଛି କି, କୃଷକମାନଙ୍କ ଖର୍ଚ୍ଚ, ପରିବହନ ବେଳେ ତୈଳଦର ବୃଦ୍ଧି, ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ନଜରରେ ରଖି କ୍ଷୀରର ଦାମ ବୃଦ୍ଧି କରାଯାଇଛି। ଏହା ମାର୍ଚ୍ଚ ୬ ତାରିଖରେ ଲାଗୁ ହେବ। କହିରଖୁ କି ମଦର ଡାଏରୀ ପୂର୍ବରୁ ଅମୁଲ ଓ ପରାଗ ଡାଏରୀ ବି କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିସାରିଛନ୍ତି। ସେପଟେ ମଦର ଡାଏରୀ କ୍ଷୀର ମୂଲ୍ୟ ବୃଦ୍ଧି କରିବା ପରେ ଏବେ ବଜାରରେ ଟୋକନ କ୍ଷୀର ଲିଟର ପ୍ରତି ୪୬ ଟଙ୍କା, ଅଲଟ୍ରା ପ୍ରିମିୟମ କ୍ଷୀର ଅଧା ଲିଟର ପ୍ରତି ୩୨ ଟଙ୍କା, ଫୁଲ କ୍ରିମ କ୍ଷୀର ୧ ଲିଟରକୁ ୫୯ ଟଙ୍କା ଓ ଅଧା ଲିଟରକୁ ୩୦ ଟଙ୍କାରେ ମିଳିବ।

Comment