ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନ ଉପରେ ଆକ୍ରମଣକୁ ପ୍ରତିବାଦ କରି ଅଗ୍ରଣୀ ରୁଷୀୟ ଟେଲିଭିଜନ ଖବର ପ୍ରସାରଣ ଚାନେଲ ‘ଟିଭି ରେନ’ର ସମସ୍ତ କର୍ମଚାରୀ ସମୂହ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ‘ନୋ ଟୁ ଓ୍ଵାର’ ସ୍ଲାଗାନ ଦେଇ ସେମାନେ ଏକ ସମୟରେ କାର୍ଯ୍ୟାଳୟ ଓ ଷ୍ଟୁଡିଓ ଛାଡ଼ି ଚାଲିଯାଇଥିବା ପ୍ରସାରିତ ଭିଡିଓରୁ ଜଣାପଡ଼ୁଛି। ଏଥିସହିତ ଏହା ଚାନେଲର ଶେଷ କାର୍ଯ୍ୟକ୍ରମ ପ୍ରସାରଣ ବୋଲି ସେମାନେ ଘୋଷଣା କରିଛନ୍ତି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସମସ୍ତ ଗଣମାଧ୍ୟମ ଉପରେ ଯୁଦ୍ଧକୁ ନେଇ କଟକଣା ଜାରି କରିଥିବାରୁ ସେମାନେ ଏହାର ପ୍ରତିବାଦ ମଧ୍ୟ କରିଛନ୍ତି। ପୁଟିନ ସ୍ଵାଧିନ ଭାବରେ ଯୁଦ୍ଧ ଖବର ପ୍ରସାରଣ ଉପରେ କଟକଣା ଜାରି କରି କେବଳ ସରକାର ଦେଉଥିବା ତଥ୍ୟ ପ୍ରସାରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅମାନ୍ୟ କରୁଥିବା ଚାନେଲକୁ ସରକାର ବନ୍ଦ କରିଦେଇଛନ୍ତି।

ଏଥି ସହିତ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ପୁଟିନ କଟକଣା ଜାରି କରିଛନ୍ତି। ‘ଟିଭି ରେନ’ କୁ ସରକାର ସାମୟିକ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀମାନେ ପଳାଇବା ପରେ ଚାନେଲ ପକ୍ଷରୁ ‘ସ୍ଵେନ୍ ଲେକ୍’ ବାଲେଟ ନୃତ୍ୟ ଭିଡିଓ ପ୍ରସାରଣ କରାଯାଇଥିଲା। ୧୯୯୧ ମସିହାରେ ସୋଭିଏତ୍ ସଂଘ ଭାଙ୍ଗିବାବେଳେ ସରକାରୀ ଟିଭି ଏହାକୁ ପ୍ରଦର୍ଶନ କରିଥିଲେ।

ପଡ଼ୋଶୀ ରାଷ୍ଟ୍ରକୁ ପୁଟିନଙ୍କ ଧମକ: ଉତ୍ତେଜନା ବଢ଼ାଅ ନାହିଁ

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ଵରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଜଟିଳ ହେବାକୁ ଯାଉଥିବାବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଙ୍କ ଜିଦ ଛାଡ଼ିବାକୁ ନାରାଜ। ଜିଦ୍ ଛାଡ଼ିବା ପରିବର୍ତ୍ତେ ପୁତିନ ରୁଷର ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକୁ ଧମକ ଦେଇଛନ୍ତି। ଶୁକ୍ରବାର ପୁତିନ ତାଙ୍କ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକୁ ଯୁଦ୍ଧ ଉତ୍ତେଜନାକୁ ବୃଦ୍ଧି ନକରିବାକୁ ଚେତାବନୀ ଦେଇଛନ୍ତି। ଯୁଦ୍ଧକୁ ନେଇ ରୁଷ ଉପରେ କୌଣସି କଟକଣା ଜାରି ନକରିବାକୁ ସେ କହିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତି ରୁଷ ତାର ଦାୟିତ୍ଵ ସମ୍ପାଦନ କରୁଛି। ସେହି ଅନୁଯାୟୀ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ରୁଷ ପ୍ରତି ଦାୟିତ୍ଵ ସମ୍ପାଦନ କରିବା ଦରକାର ବୋଲି ପୁଟିନ କହିଛନ୍ତି।

Comment