ଓଡ଼ିଶାଲାଇଭ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଲଢ଼େଇ। ୟୁକ୍ରେନର ବିଭିନ୍ନ ସହରକୁ ଦଖଲ କରିବା ପରେ ଏବେ ରୁଷର ନଜର ୟୁକ୍ରେନର ରାଜଧାନୀ କ୍ଵିଭ ଉପରେ। କ୍ଵିଭକୁ ଦଖଲ କରିବା ପାଇଁ ଘନଘନ ରକେଟ ମାଡ଼ କରୁଛି ରୁଷ। ଏହାରି ଭିତରେ ରୁଷ ୟୁରୋପର ବୃହତ୍ତମ ଆଣବିକ ପାଓ୍ଵାର ପ୍ଲାଣ୍ଟ ଉପରେ ଆକ୍ରମଣ କରିଛି। ଏହି ଆଣବିକ ପ୍ଲାଣ୍ଟଟି ୟୁକ୍ରେନର ଜାପୋରିଝଝିଆରେ ରହିଛି।

ଶୁକ୍ରବାର ଦିନ ଗଣମାଧ୍ୟମରେ ପ୍ରସାରିତ ଭିଡିଓରେ ଦେଖାଯାଉଛି, ରୁଷ ସେନା ୟୁକ୍ରେନୀୟ ଆଣବିକ ପାୱାର ପ୍ଲାଣ୍ଟ୍‌ ଉପରେ ଆକ୍ରମଣ କରିବା କ୍ଷଣି ବିସ୍ଫୋରଣ ଘଟି ରାତିର ଅନ୍ଧାର ଆକାଶରେ ନିଆଁର ଆଲୋକ ଦେଖାଯିବା ପରେ ଧୂଆଁ ଉଠୁଛି।

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କିଙ୍କ ପରି ବାଇଡେନ୍‌ ମଧ୍ୟ ରୁଷକୁ ଅନୁରୋଧ କରି କହିଛନ୍ତି ଯେ, “ସେ ଅଞ୍ଚଳରୁ ରୁଷ ସାମରିକ କାର୍ଯ୍ୟକଳାପରୁ ନିବୃତ୍ତ ରହି ଘଟଣାସ୍ଥଳକୁ ଦମକଳ ବାହିନୀ ଏବଂ ଜରୁରୀକାଳୀନ ପରିସ୍ଥିତି ମୁକାବିଲାକାରୀଙ୍କୁ ଛାଡ଼ନ୍ତୁ।”

ଟୁଇଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକାର ଶକ୍ତି ସଚିବ ଜେନିଫର୍‌ ଗ୍ରାନ୍‌ହୋମ୍‌ କହିଛନ୍ତି ଯେ, ‘ସେ ତାଙ୍କର ୟୁକ୍ରେନୀୟ ପ୍ରତିପକ୍ଷଙ୍କ ସହିତ କଥାବାର୍ତ୍ତା କରିଛନ୍ତି।’ ୟୁକ୍ରେନୀୟ ପ୍ରତିପକ୍ଷ କହିଛନ୍ତି ଯେ, ‘ସେଠାରେ ଥିବା ରିଆକ୍ଟର୍‌ ଶକ୍ତିଶାଳୀ ଆବଦ୍ଧ ପ୍ରାଚୀର ଘେରରେ ସୁରକ୍ଷିତ ରହିଛି ଏବଂ ତାହାକୁ ନିରାପଦ ଭାବେ ବନ୍ଦ କରାଯାଉଛି।’

ଗ୍ରାନ୍‌ହୋମ୍‌ କହିଛନ୍ତି, ‘ଆଣବିକ ପ୍ଲାଣ୍ଟ୍‌ ନିକଟରେ ରୁଷର ସାମରିକ ଅଭିଯାନ ଦାୟିତ୍ଵହୀନତା। ସେଠାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରାଯିବା ଉଚିତ।’

ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ରୁଷର ଆକ୍ରମଣ ପରେ ଆନ୍ତର୍ଜାତିକସ୍ତରରେ ଆପତ୍ତି ଉଠିଛି। ‘ରିଆକ୍ଟର୍‌’ ଆଘାତ ପାଇଲେ ଭୟାବହ ବିପଦ ସୃଷ୍ଟି ହେବ ବୋଲି ଜାତିସଂଘ କହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମଗ୍ର ୟୁରୋପକୁ ବିପଦଗ୍ରସ୍ତ କରୁଛନ୍ତି ବୋଲି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଭିଯୋଗ କରିଛନ୍ତି।

Comment