ଓଡ଼ିଶାଲାଇଭ୍ ବ୍ୟୁରୋ

ଲଣ୍ଡନର ଶ୍ରୀ ଜଗନ୍ନାଥ ସୋସାଇଟି ତରଫରୁ ଅକ୍ଷୟ ତୃତୀୟା ଅବସରରେ ପ୍ରଥମ ବାର୍ଷିକୀ ବା ସଙ୍କଳ୍ପ ଦିବସ ପାଳିତ ହୋଇଯାଇଛି। କୋଭିଡ୍ ମହାମାରୀ କାରଣରୁ ଭର୍ଚୁଆଲ ଜରିଆରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରୁ ସମଗ୍ର ବିଶ୍ୱରେ କରୋନାରେ ପ୍ରାଣ ହରାଇଥିବା ଲୋକମାନଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ବ୍ରହ୍ମଚାରିଣୀ ନନ୍ଦନ ଜୀଙ୍କ ଦ୍ୱାରା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ଭାରତ ଓ ବ୍ରିଟେନର ଅନେକ ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଏଥିସହ ଓଲିଉଡ୍ ତାରକା ସବ୍ୟସାଚ୍ଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ମଧ୍ୟ ଯୋଗ ଦେଇଥିଲେ।ବୈଠକ ମାଧ୍ୟମରେ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତଙ୍କୁ ବାର୍ତ୍ତା ଦେଇ ଗଜପତି ମହାରାଜା କହିଥିଲେ, “ବର୍ତ୍ତମାନ ବିଶ୍ୱ ଭୟଙ୍କର ମହାମାରୀ ଦେଇ ଗତି କରୁଛି। ପ୍ରଭୁ ଜଗନ୍ନାଥ ହିଁ ହେଉଛନ୍ତି ଏକମାତ୍ରା ସାହାରା, ଯିଏ ଏହି ମହାମାରୀ କବଳରୁ ମାନବଜାତିକୁ ବାଞ୍ଚାଇପାରିବେ। ତାଙ୍କ ବିନା ଗଛର ପତ୍ରଟିଏ ବି ହଲିନଥାଏ। ତେଣୁ ସମସ୍ତେ ଆସନ୍ତୁ ଏକାଠି ହୋଇ ପରମାତ୍ମାଙ୍କ ପ୍ରାର୍ଥନା କରିବା।”ବୈଠକରେ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ “ଆଧ୍ୟାତ୍ମିକ ସାଧାନା କ୍ଷେତ୍ରରେ ମନ୍ଦିରର ଭୂମିକା” ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେହିପରି “ପରମାତ୍ମା ହେଉଛନ୍ତି ନିର୍ଗୁଣ ଓ ନୀରାକାର” କହିଥିଲେ ଚିନ୍ମୟା ମିଶନର ଆଚାର୍ଯ୍ୟ ପଟିଆଲା। ମୋହନଜୀ ଫାଉଣ୍ଡେସନର ବ୍ରହ୍ମଶ୍ରୀ ମୋହନଜୀ କହିଥିଲେ “ମାନବିକତା ହେଉଛି ସର୍ବୋତ୍ତମ ଧର୍ମ ଏବଂ ଦୟା ହେଉଛି ଧର୍ମ”।

ଶ୍ରୀ ଜଗନ୍ନାଥ ସୋସାଇଟିର ଅଧ୍ୟକ୍ଷ ସହଦେଶ ସ୍ୱାଇଁ, ଲଣ୍ଡନ ଆଇସିଓସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଲୋକନାଥ ମିଶ୍ର, ଏମଜିଏମ୍ ଫାଉଣ୍ଡେସନର ନିର୍ଦ୍ଦେଶକ ପଦ୍ମ ଲୋଚନ ମହାନ୍ତି ପ୍ରମୁଖଙ୍କ ମିଳିତ ସହଯୋଗରେ ଏହି ବୈଠକ ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ବ୍ରିଟେନ ଏବଂ ୟୁରୋପରେ ପ୍ରସାର କରିବା ହେଉଛି ଏହି ସୋସାଇଟିର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଲଣ୍ଡନରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ମଧ୍ୟ ଯୋଜନା ରହିଛି । ପ୍ରାୟ ୫ମିଲିୟନ ବ୍ୟୟରେ ୨୦୨୪ ସୁଦ୍ଧା ଏହି ମନ୍ଦିରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସରିବ ବୋଲି ଆଶା କରାଯାଉଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

Comment