ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବ୍ରିଟେନରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର
  • ଓଡ଼ିଶା ସୋସାଇଟି ଅପ୍‌ ୟୁନାଇଟେଡ କିଙ୍ଗଡମ୍‌ର ୪୧ତମ ବାର୍ଷିକ ସମ୍ମିଳନୀରେ ଆଲୋଚନା
  • ସମ୍ମିଳନୀରେ ‘ୟୁକେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ’ର ଶୁଭାରମ୍ଭ

ଲଣ୍ଡନରେ ନିର୍ମାଣ ହେବାକୁ ଯାଉଛି ଏକ ଭବ୍ୟ ଜଗନ୍ନାଥ ମନ୍ଦିର। ଏହି ମନ୍ଦିର କେବଳ ବ୍ରିଟେନରେ ନୁହେଁ ବରଂ ପୂରା ୟୁରୋପରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କେନ୍ଦ୍ର ପାଲଟିବ। ଓଡ଼ିଶା ସୋସାଇଟି ଅଫ୍‌ ୟୁନାଇଟେଡ କିଙ୍ଗଡମ୍‌ (OSUK)ର ୪୧ତମ ବାର୍ଷିକ ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଏହି ସମ୍ମିଳନୀରେ ମନ୍ଦିର ନିର୍ମାଣ ପାଇଁ ଗଠିତ ‘ୟୁକେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ’ର ଶୁଭାରମ୍ଭ ହୋଇଛି।

ଚଳିତ ବର୍ଷର OSUK ସମ୍ମିଳନୀ କୋଭିଡ -୧୯ ମହାମାରୀ ପାଇଁ ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ରିଟେନରେ ରହୁଥିବା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଓ ବିଶ୍ୱବ୍ୟାପୀ ବିଭିନ୍ନ ସ୍ଥାନରେ ରହୁଥିବା ପ୍ରତିଷ୍ଠିତ ଓଡ଼ିଆ ଏଥିରେ ଯୋଡ଼ି ହୋଇଥିଲେ। ଏଥିସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟେତିପ୍ରକାଶ ପାଣିଗ୍ରାହୀ, ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଏଥିରେ ଯୋଡ଼ି ହୋଇଥିଲେ।

ଏଥିସହିତ ବ୍ରିଟେନରେ ଜଗନ୍ନାଥ ମନ୍ଦିର କିଭଳି ନିର୍ମାଣ ହେବ, ଏହାର ରୂପରେଖ କିଭଳି ରହିବ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗତ କିଛି ତଳେ ଦିନ ତଳେ ପୁରୀ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ ହେରିଟେଜ୍‌ କରିଡର ନୂଆ ଝଳକ ସାମ୍ନାକୁ ଆସିଥିଲା। ରାଜ୍ୟ ସରକାର ଏହି ଭିଡିଓର ଲୋକାର୍ପଣ କରିଥିଲେ।  OSUK ସମ୍ମିଳନୀରେ ମଧ୍ୟ ଏହି ଭିଡିଓଟି ପରିବେଷିତ ହୋଇଥିଲା।

ମନ୍ଦିର ପାଇଁ ଟ୍ରଷ୍ଟ ଗଠିତ

ବ୍ରିଟେନରେ ଦୀର୍ଘ ବର୍ଷରୁ ରହୁଥିବା କିଛି ଓଡ଼ିଆଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କରାଯାଇଛି। ଯାହାର ନାଁ ରହିଛି  ‘ୟୁକେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ’। ଏହାର ଅଧ୍ୟକ୍ଷ ଅଛନ୍ତି ଡକ୍ଟର ସହଦେବ ସ୍ୱାଇଁ। ଏହି ଟ୍ରଷ୍ଟର ସମ୍ପାଦକ ଅଛନ୍ତି ଡକ୍ଟର ପ୍ରକାଶ ଦେ।

‘‘ଆମେ ଖୁବ୍‌ଶୀଘ୍ର ଲଣ୍ଡନରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଯାଉଛୁ। ଏଥିପାଇଁ ଟ୍ରଷ୍ଟର ସଦସ୍ୟମାନେ କାମ କରିବା ଆରମ୍ଭ କରିଦେଲେଣି। ଦୀର୍ଘଦିନରୁ ବ୍ରିଟେନରେ ରହୁଥିବା ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ଖୁସି ଲାଗୁଛି’’, କହିଛନ୍ତି ଟ୍ରଷ୍ଟର ଅଧ୍ୟକ୍ଷ ଡକ୍ଟର ସହଦେବ ସ୍ୱାଇଁ।

ବ୍ରିଟେନରେ ଓଡ଼ିଶା କଳା ସଂସ୍କୃତିକୁ ସମୃଦ୍ଧ କରିବ ଜଗନ୍ନାଥ ମନ୍ଦିର

ଏହି ମନ୍ଦିର ନିର୍ମାଣ ହେଲେ ଏହା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ବ୍ରିଟେନର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରିବା। ଏହା ବ୍ୟତୀତ ଏହି ମନ୍ଦିର ବହୁ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ।

ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପ୍ରସ୍ତାବକୁ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ସମର୍ଥନ କରିଛନ୍ତି।

‘‘ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ନିଷ୍ପତ୍ତି ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଗୌରବର କଥା। ହଜାର ହଜାର ବର୍ଷତଳୁ ବିଶ୍ୱର ବିଭିନ୍ନ ଦେଶରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇସାରିଛି। ଏବେ ବ୍ରିଟେନରେ ମଧ୍ୟ ନିର୍ମାଣ ହେବାକୁ ଯାଉଛି। ଏହା ଖୁସିର କଥା’’, ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

‘‘ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଯେଉଁ ଉଦ୍ୟମ ଚାଲିଛି ସେ ଉଦ୍ୟମ ଆଗକୁ ଆହୁରି ବଢ଼ୁ। ଏହି ମନ୍ଦିର ଦିବ୍ୟ ରୂପ ଧାରଣ କରୁ’’, କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

‘‘ପ୍ରଭୁ ଜଗନ୍ନାଥ କେବଳ ସାମାଜିକ, ଧାର୍ମିକ କିମ୍ବା ସାଂସ୍କୃତିକ ଜାଗରଣର ଗୋଟିଏ ରାସ୍ତା ନୁହଁନ୍ତି । ଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କର ପରିଚୟ ଓ ସଂସ୍କୃତି। ତେଣୁ ୟୁକେର ଯେଉଁ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଛି ସେଥିପାଇଁ ୟୁକେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କୁ ଅଭିନନ୍ଦନ। ଏହି ମନ୍ଦିର ନିର୍ମାଣ କେବଳ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟରେ ସୀମିତ ରହିବ ନାହିଁ ବରଂ ଓଡ଼ିଆ ଭାଷା, ଓଡ଼ିଶାର କଳା ସଂସ୍କୃତିର ପ୍ରସାର ପାଇଁ ଏକ କେନ୍ଦ୍ର ହେବ’’, ଭିଡିଓ ମେସେଜ ଜରିଆରେ କହିଛନ୍ତି ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାନସଭା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ବିଜେଡି ସାଂସଦ ସୁର୍ଜିତ କୁମାର ନାୟକ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଶିରଡ଼ି ସାଇ ପ୍ରବକ୍ତା ଡକ୍ଟର ଚନ୍ଦ୍ରଭାନ ଶତପଥୀ, କେରଳର ପୋଲିସ ଡିଜି ଲୋକନାଥ ସମ୍ମିଳନୀରେ ଯୋଗ ଏହି ନିଷ୍ପତ୍ତିକୁ ପ୍ରଂଶସା କରିଛନ୍ତି।

ଏହି ମନ୍ଦିର ପାଇଁ ଏକ ଉପଯୁକ୍ତ ସ୍ଥାନ ଏବେ ଖୋଜାଚାଲିଛି। ଲଣ୍ଡନ ଠାରୁ ଅଳ୍ପ ଦୂରରେ ଓ ବିଭିନ୍ନ ସହରକୁ ସହଜରେ ସଂଯୁକ୍ତ ହୋଇ ପାରୁଥିବା ଏକ ଜାଗାର ସନ୍ଧାନ କରାଯାଉଛି। ମନ୍ଦିର ପାଇଁ ୧୦ରୁ ୧୨ ଏକର ଜାଗା ଆବଶ୍ୟକ ପଡ଼ିବ। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ କାଯ୍ୟ ଶେଷ କରିବାକୁ ଟ୍ରଷ୍ଟ ଲକ୍ଷ୍ୟ ରଖିଛି। ଏହି ମନ୍ଦିର ନିର୍ମାଣରେ ୪ ନୟୁତ ବ୍ରିଟିଶ ପାଉଣ୍ଡ ବ୍ୟୟ ଅଟକଳ କରାଯାଇଛି। ଏହି ସମ୍ବଳ ସଂଗ୍ରହ କାର୍ଯ୍ୟକ୍ରମ OSUK ସମ୍ମିଳନୀରୁ ଆରମ୍ଭ ହୋଇଛି।

BGU

ଏହି ଟଙ୍କା ବିଭିନ୍ନ କର୍ପୋରେଟ ସଂସ୍ଥା, ବିଭିନ୍ନ ବଦାନ୍ୟ ଅନୁଷ୍ଠାନ, ଏବଂ ୟୁକେ ତଥା ଭାରତର ସମ୍ଭାବ୍ୟ ସରକାରୀ ସହାୟତାରୁ ଯୋଗାଡ଼ କରାଯିବ।

ଏଥିସହିତ ବିଧାନସଭା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ବିଜେଡି ସାଂସଦ ସୁର୍ଜିତ କୁମାର ନାୟକ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଶିରିଡ଼ି ସାଇ ପ୍ରବକ୍ତା ଡକ୍ଟର ଚନ୍ଦ୍ରଭାନ ଶତପଥୀ, କେରଳର ପୋଲିସ ଡିଜି ଲୋକନାଥ ସମ୍ମିଳନୀରେ ଯୋଗ ଦେଇ ଏହି ନିଷ୍ପତ୍ତିକୁ ପ୍ରଂଶସା କରିଛନ୍ତି।

Comment