ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମଦ୍ ଭଗବତ୍ ଗୀତା ଜୟନ୍ତୀ ଅବସରରେ, ୟୁକେର ଶ୍ରୀ ଜଗନ୍ନାଥ ସୋସାଇଟି ଏବଂ ବ୍ରିଟେନର ଆଲେସବରୀ ହିନ୍ଦୁ ମନ୍ଦିର ଟ୍ରଷ୍ଟ ଦ୍ୱାରା ସୋମବାର ଲଣ୍ଡନରେ ଏକ ଆଧ୍ୟାତ୍ମିକ ସମାରୋହ ଆୟୋଜିତ ହୋଇଛି। କୋଭିଡ ମହାମାରୀ କାରଣରୁ ବ୍ରିଟେନରେ ଜାରି ହୋଇଥିବା କୋଭିଡ୍ ନିୟମାବଳୀକୁ ମାନି ଅନଲାଇନ ଜରିଆରେ ବ୍ରିଟେନର ବିଭିନ୍ନ ଅଞ୍ଚଳରୁ ସଂଖ୍ୟାଧିକ ଭକ୍ତ ଏହି ସମାରୋହରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଭକ୍ତମାନଙ୍କ ଦ୍ୱାରା ସୁଲଳିତ ଭଜନ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ରିଟେନର ହିନ୍ଦୁ ସମ୍ପ୍ରଦାୟ ନେତା ତଥା ବ୍ରିଟେନର ଇଂରାଜୀ ଭାଷା ସମ୍ବଳିତ ସମ୍ପାଦପତ୍ର ‘ଏସିଆନ୍ ଭଏସ୍’ର ସମ୍ପାଦକ ସି ବି ପଟେଲ ଭଗବଦ୍ ଗୀତାର ତିନୋଟି ମୁଖ୍ୟ ବିଷୟବସ୍ତୁ ଯଥା ଜ୍ଞାନ, କର୍ମ ଏବଂ ଭକ୍ତି ଉପରେ ଆଲୋଚନା କରିଥିଲେ।

ସେହିପରି କିସ୍‌ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ହରେକୃଷ୍ଣ ଶତପଥି ଏହି କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବେ ସାମିଲ ହୋଇ କହିଥିଲେ ଯେ, ଭଗବତ୍ ଗୀତା ହେଉଛି ବିଷାଦରୁ ପ୍ରସାଦ ପର୍ଯ୍ୟନ୍ତ ଯାତ୍ରା ଏବଂ ଏହା ଆମକୁ ସଙ୍କଟ କିମ୍ବା ଆହ୍ୱାନକୁ ଆତ୍ମବିଶ୍ୱାସର ସୁଯୋଗରେ ପରିଣତ କରିବାର କୌଶଳ ଶିଖାଇଥାଏ। ଶାନ୍ତି, ସୁଖୀ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପୁରୁଷୋତ୍ତମ (ସୃଷ୍ଟିକର୍ତା) ସହିତ ସମ୍ପର୍କ ସ୍ଥାପନ କରିବାକୁ ଗୀତା ଆମକୁ କହିଥାଏ ଏବଂ କଳିଯୁଗରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ମାଧ୍ୟମରେ ଏହା କରାଯାଇପାରିବ।

ଅନ୍ୟପଟେ ଶ୍ରୀ ଜଗନ୍ନାଥ ସୋସାଇଟିର ଟ୍ରଷ୍ଟି ଡକ୍ଟର ଚେତନ ଶତପଥୀ ଲଣ୍ଡନରେ ଏକ ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ ଉପରେ ଏକ ବିସ୍ତୃତ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ।

“ଲଣ୍ଡନରେ ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଆରମ୍ଭ ହୋଇ ୨୦୨୪ ସୁଦ୍ଧା ସମାପ୍ତ ହେବ। ଏହି ମନ୍ଦିର ୟୁରୋପରେ ଜଗନ୍ନାଥ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ହେବ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ଆକୃଷ୍ଟ କରିବ”, କହିଛନ୍ତି ଶ୍ରୀ ଜଗନ୍ନାଥ ସୋସାଇଟିର ଟ୍ରଷ୍ଟି ଡକ୍ଟର ଚେତନ ଶତପଥୀ।

ଏହି କାର୍ଯକ୍ରମରେ ବ୍ରିଟେନ ବ୍ୟତୀତ ଭାରତ, ଆର୍ୟାଲାଣ୍ଡ, ୟୁଏସ୍ଏ, କାନାଡା, ବାହାରିନ, ନାଇଜେରିଆ ଏବଂ ଓମାନରୁ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ। ଶ୍ରୀ ଜଗନ୍ନାଥ ସୋସାଇଟିର ସାଧାରଣ ସମ୍ପାଦକ ଡକ୍ଟର ପ୍ରକାଶ ଦେ ସମାରୋହରେ ସ୍ଵଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବେଳେ ତାଙ୍କ ସହଯୋଗୀ ହୃଷୀକେଶ ଏବଂ ସୁଦୀପ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comment