ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସୁଛନ୍ତି ଜୋ ବାଇଡେନ
  • ଶୁକ୍ରବାର ସନ୍ଧ୍ୟାରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା

ଜି-୨୦ ସମ୍ମିଳନୀ ପାଇଁ ଭାରତରେ ବିଶ୍ଵନେତାଙ୍କ ସମାଗମ ଆରମ୍ଭ ହୋଇଯାଇଛି। ଜଣେ ପରେ ଜଣେ ରାଷ୍ଟ୍ରମୁଖ୍ୟ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିବେ। ବାଇଡେନଙ୍କ ସହ ତାଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି।

ଜୋ ବାଇଡେନ ଶୁକ୍ରବାର ସକାଳେ ଆମେରିକାରୁ ଭାରତ ଅଭିମୁଖେ ବାହାରିଛନ୍ତି। ସେ ୱାଶିଂଟନ ଡିସିରୁ ନିଜର ପ୍ରେସିଡେଣ୍ଟାଲ୍ ଫ୍ଲାଇଟ୍ ‘ଏୟାର ଫୋର୍ସ ୱାନ’ରେ ଭାରତ ଆସୁଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବାପରେ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ବାଇଡେନ ଓ ଆମେରିକାର ଅନ୍ୟସବୁ ପ୍ରତିନିଧିମାନଙ୍କ ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି। ଏଥିପାଇଁ ହୋଟେଲରେ ୪୦୦ଟି ରୁମ୍ ବୁକ୍ କରାଯାଇଛି। ନୂଆଦିଲ୍ଲୀରେ ଯିବା ଆସିବା କରିବା ପାଇଁ ବାଇଡେନଙ୍କ ସ୍ଵତନ୍ତ୍ର କାର ‘ଦ ବିଷ୍ଟ’ ମଧ୍ୟ ଭାରତରେ ଆସି ପହଞ୍ଚିସାରିଛି।

ଅନ୍ୟପଟେ ନୂଆଦିଲ୍ଲୀରେ ଜୋ ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ବାଇଡେନଙ୍କ ସୁରକ୍ଷାର ପ୍ରଥମ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ଵିତୀୟ ସ୍ତରରେ ଭାରତର ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର କମାଣ୍ଡୋମାନେ ରହିବେ ଏବଂ ଶେଷ ସୁରକ୍ଷା ସର୍କଲରେ ଆମେରିକାର ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ରହିବେ।

ଜି-୨୦ ସମ୍ମିଳନୀ ପାଇଁ ଶୁକ୍ରବାର ବାଇଡେନଙ୍କ ବ୍ୟତୀତ ଅନ୍ୟ ବିଦେଶୀ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଭାରତ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ଆଫ୍ରିକାନ ୟୁନିୟନର ଅଧ୍ୟକ୍ଷ ଅଜିଲ ଆସୋମାନିଙ୍କ ସମେତ ଅନ୍ୟ କିଛି ନେତା ଦିଲ୍ଲୀରେ ପହଞ୍ଚିସାରିଛନ୍ତି।

ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡିସିଲଭା ଓ ଅନ୍ୟ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଭାରତରେ ପହଞ୍ଚିବେ। ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ‘ଭାରତ ମଣ୍ଡପମ୍’ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ।

Tags: #G20Summit #JoeBiden #USPresident #IndiaVisit #GeoPolitics

Comment