ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୦ରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ବିଜୟୀ ଘୋଷିତ କରିଛି ଆମେରିକା ସଂସଦ। ଏଥିସହ ଆସନ୍ତା ଜାନୁଆରି ୨୦ ତାରିଖରେ ବାଇଡେନ ରାଷ୍ଟ୍ରପତି ଭାବେ ଶପଥ ନେବା ଏକପ୍ରକାର ପକ୍କା ହୋଇଯାଇଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ୩୦୬ ଇଲେକ୍ଟରାଲ୍ ଭୋଟ୍ ମିଳିଥିଲା। ଜବାବରେ ଟ୍ରମ୍ପ ମାତ୍ର ୨୩୨ ଇଲେକ୍ଟରାଲଙ୍କ ସମର୍ଥନ ପାଇଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମ୍ୟାଜିକ୍ ନମ୍ବର ୨୭୦ ଥିବାରୁ ବାଇଡେନ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଥିଲା। ଟ୍ରମ୍ପ କିନ୍ତୁ ନିର୍ବାଚନରେ ତାଙ୍କର ପରାଜୟ ସ୍ୱୀକାର କରିନଥିଲେ। ଏହାକୁ ନେଇ ସେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଗୁରୁବାର ଆମେରିକାର ସଂସଦ ବାଇଡେନଙ୍କୁ ବିଜୟୀ ଘୋଷିତ କରିବା ପରେ ସେ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି।ଆମେରିକାରେ ହିଂସାକାଣ୍ଡ

ଆମେରିକାର ସଂସଦ ବାଇଡେନଙ୍କୁ ଏଭଳି ସମୟରେ ବିଜୟୀ ଘୋଷିତ କରିଛି ଯେଉଁ ସମୟରେ ଏହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଗତକାଲି ଟ୍ରମ୍ପଙ୍କ କିଛି ସମର୍ଥକ ୱାଶିଂଟନ ଡିସି ସ୍ଥିତ କ୍ୟାପିଟାଲ ହିଲ୍ (ଆମେରିକାର ସଂସଦ)ରେ ହଙ୍ଗାମା କରିଥିଲେ। ସେତେବେଳେ ସେଠାରେ ଇଲେକ୍ଟରାଲ କଲେଜ ପ୍ରକ୍ରିୟା ଜାରି ରହିଥିଲା। ଏହାକୁ ବିରୋଧ କରି ଟ୍ରମ୍ପଙ୍କ ସମର୍ଥକମାନେ ଏହି କାଣ୍ଡ କରିଥିଲେ। ଏହି ହିଂସାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଓ୍ୱାଶିଂଟନ ଡିସିରେ ୧୫ ଦିନ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

ଜୋ ବାଇଡେନ୍‌ଙ୍କ ଜନ୍ମ ୧୯୪୨ ମସିହା ନଭେମ୍ବର ୨୦ ତାରିଖରେ ହୋଇଥିଲା। ତାଙ୍କ ପୂରା ନାଁ ହେଉଛି ଜୋସେଫ ରୋବିନଟ ବାଇଡେନ। ଆମେରିକାର ବିଭିନ୍ନ ସହରରେ ନିଜର ପିଲାଦିନ ବିତାଇବା ପରେ ବାଇଡେନ୍ ଆଇନ ପାଠ ପଢ଼ିବା ପାଇଁ ଦିଲାୱାରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ସେ ୧୯୬୮ ମସିହାରେ ସଫଳତାର ସହ ଆଇନ୍ ପାଠ ଶେଷ କରି ଡିଗ୍ରୀ ହାସଲ କରିଥିଲେ।

୧୯୭୦ରୁ ଆରମ୍ଭ ହୋଇଥିଲା ରାଜନୈତିକ କ୍ୟାରିୟର

ବାଇଡେନ୍‌ଙ୍କ ରାଜନୈତିକ ଜୀବନ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। ପ୍ରଥମ କରି ସେ ସେହିବର୍ଷ ‘ନ୍ୟୁ କାସେଲ କଣ୍ଟ୍ରି କାଉନସିଲ୍’କୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୨ ମସିହାରେ ପ୍ରଥମ କରି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିଲେ। ସିନେଟରେ ବାଇଡେନ୍ ଦୀର୍ଘ ବର୍ଷ ଧରି ବୈଦେଶିକ ବ୍ୟାପାର କମିଟିରେ ରହିବା ସହିତ ଏହି କମିଟିର ସଭାପତି ମଧ୍ୟ ହୋଇଥିଲେ। ଏହାସହ ଆମେରିକା ସିନେଟର ବିଭିନ୍ନ କମିଟିରେ ମଧ୍ୟ ବାଇଡେନ୍ ସଦସ୍ୟ ରହିଆସିଥିଲେ। ଡ୍ରେମୋକ୍ରାଟିକ୍ ଦଳର ଏହି ନେତା ଜଣକ ସିନେଟକୁ ଛଅ ଥର ପାଇଁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ୨୦୦୮ ମସିହାରେ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିଲା। ବାରାକ୍ ଓବାମାଙ୍କ ନେତୃତ୍ୱରେ ସେହିଥର ଡ୍ରେମୋକ୍ରାଟିକ୍ ଦଳ ବିଜୟୀ ହେବା ସହ ଆମେରିକାର ୪୭ ତମ ଉପରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ୍। ଏହାପରେ ୨୦୧୨ ମସିହାରେ ଉଭୟ ଓବାମା ଓ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ।ଏହାପରେ ୨୦୧୬ ମସିହାରେ ଡେମୋକ୍ରାଟିକ୍ ଦଳ ଟ୍ରମ୍ପଙ୍କ ବିରୋଧରେ ହେନେରି କ୍ଲିଣ୍ଟନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଦୁର୍ଭାଗ୍ୟବଶତଃ ହେନେରି କ୍ଲିଣ୍ଟନ ଟ୍ରମ୍ପଙ୍କଠାରୁ ହାରିଯାଇଥିଲେ।

୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରାର୍ଥୀ କରିଥିଲା। ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ଡେମୋକ୍ରାଟିକ୍ ଦଳ ନିଜର ସବୁଠୁ ଟାଣୁଆ ନେତା ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ କରିଥିଲା। ନିର୍ବାଚନରେ ମଧ୍ୟ ବାଇଡେନ ଟ୍ରମ୍ପଙ୍କୁ ଟକ୍କା ଦେବା ସହିତ ବିଜୟୀ ହୋଇଥିଲେ। ଏହାପରେ ଆଜି ବାଇଡେନଙ୍କୁ ନୂଆ ରାଷ୍ଟ୍ରପତି ଭାବେ ଆମେରିକାର ସଂସଦ ଘୋଷଣା କରିଛି। ଜାନୁଆରି ୨୦ ତାରିଖରେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ।

Comment