ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷରେ ନିହତ ହେଲା ଆତଙ୍କବାଦୀ ସଂଗଠନ ଅଲ କାଏଦା ମୁଖ୍ୟ ଅଲ ଜଓ୍ଵାହିରି। ଆମେରିକା ଜଓ୍ଵାହିରିକୁ ନିହତ କରି ୨୦୦୧ ମସିହାରେ ପ୍ରାଣ ହରାଇଥିବା ୨,୯୭୭ ଲୋକଙ୍କ ପରିବାରକୁ ନ୍ୟାୟ ଦେଇଥିବା କହିଛି।

ଦୀର୍ଘ ୪ ମାସର ଟ୍ରାକିଂ, ଡ୍ରୋନ ଆକ୍ରମଣ ଏବଂ ସିଆଇଏର ସିକ୍ରେଟ ଅପରେସନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଅଲ କାଏଦା ମୁଖ୍ୟ ଅଲ ଜାଓ୍ଵାହିରି। ଅଲ ଜଓ୍ଵାହିରିର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଓସାମା ବିନ ଲାଦେନର ମୃତ୍ୟୁ ପରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ମୁଖ୍ୟ ଥିଲା ଅଲ୍ ଜଓ୍ଵାହିରି। କାବୁଲର ଏକ ଘରେ ଲୁଚି ରହିଲା ସେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଜଓ୍ଵାହିରି ମୃତ୍ୟୁ ଯୋଗୁଁ ୨୦୦୧ ମସିହା ୯-୧୧ ଆକ୍ରମଣରେ ପ୍ରାଣ ହରାଇଥିବା ୨,୯୭୭ ଲୋକଙ୍କ ପରିବାରକୁ ନ୍ୟାୟ ମିଳିଛି।

ଆତଙ୍କବାଦୀ ସଂଗଠନ ଅଲ କାଏଦାର ମୁଖ୍ୟ ଅଲ ଜଓ୍ଵାହିରି ଡ୍ରୋନ ଆକ୍ରମଣରେ ନିହତ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେବା ସହ ସେ ଆଫଗାନିସ୍ଥାନର କାବୁଲଠାରେ ଲୁଚି ରହିଥିଲା ବୋଲି କହିଛନ୍ତି। ଆମେରିକାର ଏଜେନ୍ସି ସିଆଇଏ ଏୟାର ଷ୍ଟ୍ରାଇକ୍ କରି ତାକୁ ନିହତ କରିଛି। ୯-୧୧ ଷଡ଼ଯନ୍ତ୍ରରେ ଜଓ୍ଵାହିରି ସାମିଲ ଥିବା ରାଷ୍ଟ୍ରପତି କହିଛନ୍ତି। ଅଲ ଜଓ୍ଵାହିରି ଉପରେ ୨୫ ମିଲିୟନ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା।

କେଉଁଠି ଲୁଚିଥିଲା ଜଓ୍ଵାହିରି?

ଅଲ ଜଓ୍ଵାହିରି ଆଫଗାନିସ୍ଥାନର କାବୁଲରେ ଜଣକ ଘରେ ଲୁଚି ରହିଥିଲା। ଜଓ୍ଵାହିରି କାବୁଲରେ ଲୁଚିଥିବା ତାଲିବାନ ସରକାର ପୂର୍ବରୁ ଅବଗତ ଥିଲେ। ଏମିତିକି ଯେଉଁ ଘରେ ଜଓ୍ଵାହିରି ଲୁଚି ରହିଥିଲା, ସେହି ଘରଟି ତାଲିବାନ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ନିକଟ ସମ୍ପର୍କୀୟଙ୍କର ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ଅଲ ଜଓ୍ଵାହିରି ଲୁଚି ରହିଥିବା ଘରଟି ଆମେରିକା ଦୂତାବାସ ଏବଂ ଆମେରିକା ସେନା ଶିବିରର ଅତି ନିକଟରେ ରହିଥିଲା। ଆମେରିକା ଗତ ବର୍ଷ ଅଗଷ୍ଟ ମାସରେ ଏହାକୁ ଖାଲି କରିଦେଇଥିଲା।

କେମିତି ହୋଇଥିଲା ଜଓ୍ଵାହିରିର ହତ୍ୟା ଷଡ଼ଯନ୍ତ୍ର?

ଏକ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଲ ଜଓ୍ଵାହିରିକୁ ନିପାତ କରିବା ଲାଗି ନିର୍ଦ୍ଦେଶ ଦେବା ପୂର୍ବରୁ ଜାଣିବାକୁ ଚାହିଁ ଥିଲେ ସେ କେଉଁଠି ଲୁଚି ରହିଛି? ଆମେରିକାର ରାଷ୍ଟ୍ରପତି ଏବଂ ତାଙ୍କ ପରାମର୍ଶଦାତା ଟିମ୍ ମାସ ମାସ ଧରି ଜଓ୍ଵାହିରିକୁ ମାରିବାକୁ ସିକ୍ରେଟ ମିଟିଂ ଜାରି ରଖିଥିଲେ। ଆମେରିକାର ଗୁଇନ୍ଦା ବିଭାଗ ଦୀର୍ଘ ମାସ ଧରି ଏଥିପାଇଁ ପ୍ରସ୍ତୁତ ହେଉଥିଲା।

ଜୁଲାଇ ୩୧ ତାରିଖ ରାତିରେ ଜଓ୍ୱାହିରି ନିଜ ଘର ବାଲକୋନିରେ ବୁଲୁଥିବା ସମୟରେ ୨ଟି ହେଲଫାଇୟାର ମିସାଇଲ୍ ମାଡ଼ କରାଯାଇଥିଲା। ଫଳରେ ଘରର ବାଲକୋନି ନଷ୍ଟ ହେବା ସହ ଝରକା କାଚ ଭାଙ୍ଗି ଯାଇଥିଲା। ଡ୍ରୋନ ଆକ୍ରମଣରେ ଟଳିପଡ଼ିଥିଲା ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ମୁଖ୍ୟ ଜଓ୍ଵାହିରି।

୨୦୦୧ ମସିହା ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଜଓ୍ୱାହିରି ଗତ ୨୦ ବର୍ଷ ଧରି ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରି ରହିଥିଲା। ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ସେ ଅଲ୍‌-କାଏଦାର ମୁଖ୍ୟ ନିଯୁକ୍ତ ହୋଇଥିଲା।

ଦୀର୍ଘ ମାସର ପ୍ଲାନିଂ ପରେ ଆକ୍ରମଣ

ଅଲ ଜଓ୍ଵାହିରିକୁ ମାରିବା ଲାଗି ଆମେରିକା ଅନେକ ଦିନରୁ ଯୋଜନା କରିଆସୁଥିଲା। ଦୀର୍ଘ ମାସର ପ୍ଲାନିଂ ପରେ ଶେଷର ଶନିବାର ଦିନ ଜଓ୍ଵାହିରି ବିରୋଧରେ ଶେଷ ନିଷ୍ପତ୍ତି ନେଇଥିଲା ଆମେରିକା। ଜଓ୍ଵାହିରିକୁ ହତ୍ୟା କରାଯିବା ସମୟରେ ଯେପରି ଅନ୍ୟ ସାଧାରଣ ନଗରିକମାନଙ୍କର କୌଣସି କ୍ଷତି ନହୁଏ ସେଥିଲାଗି କଡ଼ା ନିର୍ଦ୍ଦେଶ ରହିଥିଲା ଆମେରିକା ସରକାରଙ୍କର।

ଅନେକ ବିଚାର ବିମର୍ଶ ପରେ ଏବଂ ଡ୍ରୋନ ଆକ୍ରମଣ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି କ୍ରମେ ଜଓ୍ଵାହିରିକୁ ନିପାତ କରାଯାଇଛି। ନିଜେ ରାଷ୍ଟ୍ରପତି ଜୋ ବାଇଡେନ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଅଲ ଜଓ୍ଵାହିରିର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, “ଏବେ ନ୍ୟାୟ ମିଳିଲା। ଆତଙ୍କବାଦୀ ଜଓ୍ଵାହିରି ନିପାତ ହେଲା। ଏଥିପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା, କିନ୍ତୁ ଶେଷରେ ଲକ୍ଷ୍ୟ ପୂରଣ ହେଲା”।

ଏପ୍ରିଲ ମାସରେ ମିଳିଥିଲା ଓ୍ଵାହିରିର ଠିକଣା

ଅଲ ଜଓ୍ଵାହିରି କାବୁଲରେ ଲୁଚି ରହିଥିବା ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ଏପ୍ରିଲ ମାସରେ ସୂଚନା ପାଇଥିଲେ। ଆମେରିକାର ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା ତା’ର ପତ୍ନୀ, ପୁଅ ଏବଂ ଅନ୍ୟ ପରିବାର ସଦସ୍ୟ ମଧ୍ୟ କାବୁଲରେ ରହିଛନ୍ତି। ମାସ ମାସ ଧରି ଜଓ୍ଵାହିରିର ଗତିବିଧି ଉପରେ ନଜର ରଖାଯାଇଥିଲା। ତା’ର ଯାତାୟତ ସମୟଠାରୁ ଆରମ୍ଭ କରି କେଉଁଠି ବସୁଛି କେଉଁ ସମୟରେ କ’ଣ କରୁଛି ସେସବୁ ରେକର୍ଡ କରାଯାଉଥିଲା। ଅଲ ଜଓ୍ଵାହିରି କାବୁଲର ଏକ ସହର ନିକଟରେ ଲୁଚି ରହିଥିବାରୁ ସାଧାରଣ ଲୋକଙ୍କର କ୍ଷତି ନକରି ତାକୁ ନିହତ କରିବା ଆମେରିକା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଖୁବ କମ୍ ଲୋକଙ୍କୁ ନେଇ ଜଓ୍ଵାହିରିକୁ ନିପାତ କରିବାକୁ ଯୋଜନା କରିଥିଲେ ଆମେରିକା ସରକାର।

ଜୁଲାଇ ୧ରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ

ଆତଙ୍କବାଦୀ ସଂଗଠନ ଅଲ କାଏଦା ମୁଖ୍ୟ ଅଲ ଜଓ୍ଵାହିରିକୁ ନିହତ କରିବା ଲାଗି ଗତ ଜୁଲାଇ ମାସ ୧ ତାରିଖରେ ହ୍ଵାଇଟ ହାଉସରେ ବସିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ। ବୈଠକରେ ସିଆଇଏର ନିର୍ଦ୍ଦେଶକ ବିଲ ବର୍ନ୍ସ, ନ୍ୟାସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ଏଭରିଲ ହେନ୍ସ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବନ ଏବଂ ଜନ ଫିନର, ହୋମଲ୍ୟାଣ୍ଡ ସିକିଓରିଟି ଆଡଭାଇଜର ଲିଜ ସେରଉଡ ରୋନାଲ୍ଡ ଉପସ୍ଥିତ ଥିଲେ। ଛୋଟରୁ ଛୋଟ ସୂଚନା ସଂଗ୍ରହ କରିଥିଲେ ରାଷ୍ଟ୍ରପତି ବାଇଡେନ। ଏହି ଅବସରରେ ଜଓ୍ଵାହିରି ଲୁଚି ରହିଥିବା ଘରର ମଡେଲ ପରିବେଷଣ କରାଯାଇଥିଲା।

ଶନିବାର ଦିନ ଡ୍ରୋନ ଦ୍ଵାରା ହେଲଫାୟାର ମିସାଇଲ ଛଡ଼ାଯାଇଥିଲା। ଜଓ୍ଵାହିରି ଲୁଚି ରହିଥିବା ଘରର ବାଲକୋନିକୁ ଲକ୍ଷ୍ୟ କରି ଏହି ମିସାଇଲ ଛଡ଼ାଯାଇଥିଲା। ଯେଉଁଥିରେ ନିହତ ହୋଇଥିଲା ଅଲ ଜଓ୍ଵାହିରି। କିନ୍ତୁ ଘରେ ଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କର ଏହି ଆକ୍ରମଣରେ ମୃତ୍ୟୁ ହୋଇନଥିବା ଜଣାପଡ଼ିଛି।

Tags: #AlQaedaChief #DroneAttack #AlZawahiri #Death #AmericaPresident

Comment