ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଇଟ୍‌ ହାଉସ୍‌ରେ ରହିବା ସହ ଶିକ୍ଷକତା କରିବେ ଜୋ ବାଇଡେନଙ୍କ ପତ୍ନୀ ତଥା ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କୁ ନେଇ ସବୁ ଚର୍ଚ୍ଚା ଲାଗି ରହିଥାଏ। ରାଷ୍ଟ୍ରପତିଙ୍କ ସହିତ ତାଙ୍କ ପତ୍ନୀ ଅର୍ଥାତ ଆମେରିକର ପ୍ରଥମ ମହିଳା ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏଥର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ କେବଳ ଯେ ଚର୍ଚ୍ଚାକୁ ଆସିଛନ୍ତି ତାହା ନୁହେଁ, ସେ ଆମେରିକାରେ ଇତିହାସ ବଦଳାଇଛନ୍ତି।

କାରଣ ଆମେରିକାର ଇତିହାସରେ ଏହା ପ୍ରଥମ ଥର ଘଟିବାକୁ ଯାଉଛି ଯେ ରାଷ୍ଟ୍ରପତିଙ୍କ ପତ୍ନୀ ତାଙ୍କ ପୁରୁଣା ଚାକିରି ବଜାୟ ରଖିବେ। ଅର୍ଥାତ୍‌ ହ୍ୱାଇଟ ହାଉସରେ ପ୍ରବେଶ କରିବା  ପରେ ମଧ୍ୟ ୬୯ ବର୍ଷୀୟା ଜିଲ୍ ନିଜର ବୃତ୍ତିକୁ ଛାଡ଼ିବେ ନାହିଁ।

ଜିଲ୍‌ ବାଇଡେନଙ୍କ ଏହି ନିଷ୍ପତ୍ତି ପରେ ଆମେରିକାରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛି। ଏହାପୂର୍ବରୁ କୌଣସି ରାଷ୍ଟ୍ରପତିଙ୍କ ପତ୍ନୀ ଅନ୍ୟତ୍ର କାମ କରିନାହାନ୍ତି। ହ୍ୱାଇଟ ହାଉସରେ ପ୍ରବେଶ କରିବା ପରେ ସେମାନେ ଫ୍ଲୋଟସ ଅର୍ଥାତ୍‌ ‘ଫାଷ୍ଟ ଲେଡି ଅଫ୍‌ ୟୁନାଇଟେଡ ଷ୍ଟେଟସ’ର ଦାୟିତ୍ୱ ନିଭାନ୍ତି।

ଜିଲ୍ ଉତ୍ତର ଉତ୍ତର ଭର୍ଜିନିଆ କମ୍ୟୁନିଟି କଲେଜର ଇଂରାଜୀ ପ୍ରଫେସର। ସେ ୨୦୦୯ ମସିହାରୁ ସେଠାରେ ଶିକ୍ଷାଦାନ କରୁଛନ୍ତି। ଯେତେବେଳେ ବାଇଡେନ ବାରାକ ଓବାମାଙ୍କ ଶାସନରେ ଦେଶର ଉପରାଷ୍ଟ୍ରପତି ଥିଲେ, ସେତେବେଳେ ମଧ୍ୟ ଜିଲ୍ ପ୍ରଫେସର ଭାବରେ କାର୍ଯ୍ୟ ଜାରି ରଖିଥିଲେ।

ମେଲେନିଆ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ୨୦୧୭ରେ ଆମେରିକାର ୪୫ତମ ରାଷ୍ଟ୍ରପତି ହୋଇଥିଲେ। ଟ୍ରମ୍ପ ଜିତିବା ପରେ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଆମେରିକାର ପ୍ରଥମ ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହାପୂର୍ବରୁ ମେଲେନିଆ ଜଣେ  ମଡେଲ୍‌ ଓ ବିଜନେସ ଓମେନ୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ହ୍ୱାଇଟ ହାଉସରେ ପ୍ରବେଶ କରିବା ପରେ ସେ ତାଙ୍କ ବୃତ୍ତି ଛାଡ଼ିଥିଲେ।

 ମିସେଲ୍‌ ଓବାମା

ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବରୁ  ୨୦୦୯ରୁ ୨୦୧୭ ଆମେରିକାର ରାଷ୍ଟ୍ରପତି ଥିଲେ ବାରାକ ଓବାମା। ଆମେରିକାର ପ୍ରଥମ ମହିଳା ହୋଇଥିଲେ ତାଙ୍କ ପତ୍ନୀ ମିସେଲ ଓବାମା। ସେ ବୃତ୍ତିରେ ଜଣେ ଓକିଲ ଥିଲେ। ହେଲେ ବାରାକ ଓବାମାଙ୍କ ସହ ସେ ହ୍ୱାଇଟ ହାଉସରେ ପ୍ରବେଶ କରିବା ପରେ ସେ ତାଙ୍କ ବୃତ୍ତି ଛାଡ଼ିଥିଲେ।

ଲୋରା ବୁଶ

ବାରାକ ଓବାମାଙ୍କ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଥିଲେ ଜର୍ଜ ବୁସ୍‌। ୨୦୦୧ରୁ ୨୦୦୯ ଯାଏଁ ସେ ଏହି ପଦରେ ଥିଲେ। ତାଙ୍କ ପତ୍ନୀ ଲୋରା ବୁସ୍‌ ଆମେରିକାର ପ୍ରଥମ ମହିଳା ହେବାର ସୌଭାଗ୍ୟ କରିଥିଲେ। ସେ ମଧ୍ୟ ଏହି ସମୟ ମଧ୍ୟରେ ଅନ୍ୟ କେଉଁଠି ଚାକିରି କରୁନଥିଲେ।

Comment