ଓଡ଼ିଶାଲାଇଭ ବ୍ୟୁରୋ

ରୁଷ – ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି। କ୍ଵିବରେ ଥିବା ଭାରତୀୟଙ୍କ ପାଇଁ ଆଲର୍ଟ ଜାରି କରାଯାଇଛି। କେତେବେଳେ କିଛି ବି ଘଟିପାରେ। ଟ୍ରେନ୍ ହେଉ କି ବସ୍ ଯେକୌଣସି ପ୍ରକାରେ ତୁରନ୍ତ କ୍ଵିଭ ଛାଡ଼ିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ୟୁକ୍ରେନ ରାଜଧାନୀ କ୍ଵିଭରେ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ଼ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ରୁଷ ସେନା। ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଥିବା ସୂଚନା ରହିଛି। ଏହା ସହ କ୍ଵିଭ ଦଖଲ କରିବା ପାଇଁ ରୁଷର ଏକ ବିଶାଳ ସେନା ବାହିନୀ ଦ୍ରୁତଗତିରେ ମାଡ଼ିଆସୁଥିବା ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି। ଏହାରି ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଏଥିରେ କୁହାଯାଇଛି ଯେ, ଯେକୌଣସି ମତେ ୟୁକ୍ରେନରେ ଥିବା ସମସ୍ତ ଭାରତୀୟ ଆଜି ସୁଦ୍ଧା ୟୁକ୍ରେନ ଛାଡ଼ନ୍ତୁ। ଟ୍ରେନ୍ ହେଉ କି ବସ୍ ଯେକୌଣସି ପ୍ରକାରେ ତୁରନ୍ତ କ୍ଵିଭ ଛାଡ଼ିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

ସୂଚନା ଅନୁଯାୟୀ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ରହୁଥିଲେ। ସେଥିମଧ୍ୟରୁ ଅଧିକ ମେଡିକାଲ ପାଠ ପଢ଼ିବାକୁ ଯାଇଥିଲେ। ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ୪ ହଜାରରୁ ଅଧିକ ଲୋକଙ୍କୁ ଭାରତ ଅଣାଯାଇଛି। ଅନ୍ୟ ମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ସରକାର ଏଥିପାଇଁ ‘ଅପରେସନ ଗଙ୍ଗା’ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଅପରେସନ ଗଙ୍ଗାର ଅଷ୍ଟମ ବିମାନ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ମଙ୍ଗଳବାର ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ୟୁକ୍ରେନ ଯାଇପାରେ ଭାରତୀୟ ବାୟୁସେନାର ବିମାନ

ସୂଚନା ମୁତାବକ, ଭାରତୀୟ ବାୟୁସେନାକୁ ଅପରେସନ ଗଙ୍ଗା ସହ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହା ଦ୍ଵାରା ଭାରତୀୟ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ଆହୁରି ଦୃତଗତିରେ ଅଗ୍ରସର ହେବ ବୋଲି ସେ କହିଛନ୍ତି। ଭାରତୀୟ ବାୟୁସେନାର ଅନେକ ସି-୧୭ ବିମାନ ମଙ୍ଗଳବାର ଅପରେସନ ଗଙ୍ଗା ଅଧିନରେ ଉଡ଼ାନ ଆରମ୍ଭ କରିପାରେ।

Comment