ଓଡ଼ିଶାଲାଇଭ୍ବ୍ୟୁରୋ

  • ପୋଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତାନ୍ତର
  • ତରବରିଆ ଶବ ପୋଡ଼ିବାକୁ ନେଇ ଉଠିଲା ପ୍ରଶ୍ନ
  • ତଦନ୍ତ କରି ଫେରିଲା ସିଆଇବି ଟିମ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାରେ ଦୁଇଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଲିଛି ତନାଘନା। ପୋଲିସ, କ୍ରାଇମବ୍ରାଞ୍ଚ, ସିଆଇବି ଏବଂ ସାଇଣ୍ଟିଫିକ ଟିମ ଲାଗିପଡ଼ିଛନ୍ତି ମୃତ୍ୟୁ ଉପରୁ ପରଦା ହଟାଇବାକୁ। ଗୁରୁବାର ଦିନ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ସିଆଇବି)ର ୩ଜଣିଆ ଟିମ ରାୟଗଡ଼ା ଆସି ତଦନ୍ତ କରିଫେରିଛି। ଶୁକ୍ରବାର ଦିନ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ। ଡିଏସପି ସରୋଜ କାନ୍ତ ମହାନ୍ତଙ୍କ ନେତୃତ୍ଵରେ ଆସିଥିବା ଏହି ଟିମରେ ଇନ୍ସପେକ୍ଟରର, ସବଇନ୍ସପେକ୍ଟର,ଏଏସଆଇ ରହିଥିବାବେଳେ ଏହି ଟିମକୁ ସହାୟତା କରିବା ଲାଗି ଫରେନ୍ସିକ ଏକ୍ସପର୍ଟ ଓ ଫଟୋଗ୍ରାଫର ରହିଛନ୍ତି।

ରାୟଗଡ଼ାରେ ଦୁଇଜଣ ଋଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ପୋଲିସ ପାଇଁ ଅଡ଼ୁଆ ବଢ଼ିଛି। ପୋଲିସର ତଦନ୍ତକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠୁଛି। କେବଳ ସେତିକି ନୁହେଁ, ତରବରିଆ ଭାବେ ପୋଲିସ ଦୁଇ ପର୍ଯ୍ୟଟକଙ୍କ ପରିବାର ଲୋକଙ୍କ ଅନୁପସ୍ଥିତିରେ ଶବ ଦାହ କରାଯିବାକୁ ନେଇ ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି। ମୃତ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କ ମର ଶରୀରକୁ କବର ଦେବାର ନିୟମ ରହିଛି, କିନ୍ତୁ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦାହ ସଂସ୍କାର କାର୍ଯ୍ୟ କରାଯାଇଛି। ଋଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ଶବ ପୋଡ଼ିବାକୁ ନେଇ କେହି ମୁହଁ ଖୋଲୁନାହାନ୍ତି।

ଦୁଇଜଣ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ପାଭେଲ ଆଣ୍ଟୋଭଙ୍କର ସନ୍ଦେହଜନକ ଭାବେ ରାୟଗଡ଼ାଠାରେ ଏକ ହୋଟେଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୭ ଦିନ ବିତିଥିବାବେଳେ ସସପେନ୍ସ ମଧ୍ୟ ବଢ଼ିବଢ଼ି ଚାଲିଛି। ଏହାରି ମଧ୍ୟରେ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ (ସିଆଇବି)ର ୩ ଜଣିଆ ଟିମ ରାୟଗଡ଼ା ଆସି ତଦନ୍ତ କରିଛନ୍ତି। ସିଆଇବି ଟିମ୍ ପ୍ରଥମେ ହୋଟେଲରେ ପହଞ୍ଚି କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚରାଉଚରା କରିବା ସହ ପର୍ଯ୍ୟଟକମାନେ ରହୁଥିବା ରୁମ ବୁଲି ଦେଖିଛନ୍ତି। ହୋଟେଲରେ ଯାଞ୍ଚ କରିବା ପରେ ଏହି ଟିମ୍ ରାୟଗଡ଼ା ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଦୁଇ ଋଷ ପର୍ଯ୍ୟଟକଙ୍କ ଶବ ସଂସ୍କାର କରାଯାଇଥିବା ଶିରିଗୁଡ଼ା ଶ୍ମଶାନକୁ ଯାଇ ଅନୁଧ୍ୟାନ କରିଛନ୍ତି।

ରାୟଗଡ଼ା ଜିଲ୍ଲାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ଗତ ୨୨ ତାରିଖରେ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବାବେଳେ ଏହାର ଦୁଇଦିନ ପରେ ଡିସେମ୍ବର ୨୪ ତାରିଖରେ ଋଷ ସାଂସଦ ପାଭେଲ ଆଣ୍ଟୋଭଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଥିଲା। ଡିସେମ୍ବର ୨୬ ତାରିଖରେ ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଛି।

ମୋଟ ଚାରି ଜଣ ଋଷ ପର୍ଯ୍ୟଟକ ଓଡ଼ିଶା ଗସ୍ତରେ ଆସିଥିଲେ। ଦୁଇ ଜଣଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ସହିତ ଆସିଥିବା ତୁରୋଭ ମିଖାଇଲ ଏବଂ ତାଙ୍କ ପତ୍ନୀ ପାନସେନକୋ ମତାଲିଆଙ୍କୁ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱରଠାରେ ରଖାଯାଇଛି।

Tags: #RussiaTourist #RussiaTouristUnnaturalDeath #CIBInvestigation #CrimeBranchInvestigation #Rayagada

Comment