ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନର ଓଖତିର୍କାରେ ଥିବା ସବୁଠୁ ବଡ଼ ମିଲିଟାରି ବେସ୍ ଉପରେ ରୁଷ ସେନାର ଆକ୍ରମଣ। ୭୦ରୁ ଅଧିକ ୟୁକ୍ରେନ ସେନା ଆକ୍ରମଣରେ ପ୍ରାଣ ହରାଇଥିବା ସୂଚନା ରହିଛି। ଅନ୍ୟପଟେ ୟୁକ୍ରେନ ରାଜଧାନୀ କ୍ଵିଭ ଦଖଲ ପାଇଁ ୬୪ କିଲୋମିଟର ଲମ୍ବା ଲାଇନ ବାନ୍ଧି ଆଗକୁ ବଢ଼ୁଛନ୍ତି ରୁଷ ସୈନ୍ୟ।  

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ଼ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ରୁଷ ସେନା। ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଥିବା ସୂଚନା ରହିଛି। ରୁଷର ସୈନ୍ୟମାନେ ଆର୍ଟିଲିରି ସହିତ ଓଖତିର୍କାରେ ଅବସ୍ଥିତ ସାମରିକ ବେସକୁ ଲକ୍ଷ୍ୟ କରିଥିଲେ।

ଓଖତିର୍କା ସହର ଖାର୍କିଭ ଏବଂ କ୍ଵିଭ ମଧ୍ୟରେ ଅବସ୍ଥିତ। ସୂଚନା ଅନୁଯାୟୀ ରୁଷର ସେନା ଦ୍ରୁତ ଗତିରେ କ୍ଵିଭ ଆଡ଼କୁ ଗତି କରୁଛି। ୟୁକ୍ରେନ ରାଜଧାନୀ କ୍ଵିଭକୁ କବଜା କରିବାକୁ ରୁଷର ଲଗାତାର ବିସ୍ଫୋରଣ ଜାରିରହିଛି। ଏହାସହ ଏହି ମୁଖ୍ୟ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିବାକୁ ରୁଷ ବିଛାଇଛି ସବୁଠୁ ବଡ଼ ସେନା ଛଉଣୀ। କ୍ଵିଭର ୪୦ ମାଇଲ ଯାଏଁ ଘେରି ରହିଛନ୍ତି ରୁଷ ସେନା, ଯାହା ଏଯାଏଁ ରୁଷ ପଠାଇଥିବା ସେନା ଛାଉଣୀ ତୁଳନାରେ ସବୁଠାରୁ ବଡ଼ ତଥା ୩ ଗୁଣା ଅଧିକ ବୋଲି କୁହାଯାଉଛି।

ଏହାରି ଭିତରେ କ୍ଵିଭକୁ ଦଖଲ କରିବାକୁ ରୁଷ ସୈନ୍ୟର ୬୪ କିଲୋମିଟର ଲମ୍ବା ଲାଇନ କ୍ଵିବ ଅଭିମୁଖେ ଅଗ୍ରସର ହେଉଛନ୍ତି। ସୈନିକ, ଗୋଳାବାରୁଦ, ଯୁଦ୍ଧାସ୍ତ୍ର ଧରି ଆଗକୁ ବଢୁଛି ରୁଷ ସେନା। ଏହାକୁ ପ୍ରମାଣ କଲାଭଳି ଏକ ଦୃଶ୍ୟ ଆମେରିକା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି।

ରୁଷ ସେନା କିଭଳି ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ତାହା ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି। ୟୁକ୍ରେନ ରାଜଧାନୀ କ୍ଵିଭର ଉତ୍ତର ପାଶ୍ଵରେ ଏଭଳି ସେନା ଛାଉଣି କରିଛି ମସ୍କୋ। ଆମେରିକା କମ୍ପାନି ମାସ୍କର ପକ୍ଷରୁ ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛି ଯେ, ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ରୁଷର ଏହି ସେନା କାରକେଡ।

ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଏହି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି। ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ, ୟୁକ୍ରେନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂର ବେଲାରୁଷରେ ରୁଷର ଲଢୁଆ ବିମାନ ମଧ୍ୟ ପ୍ରସ୍ତୁତ ହୋଇ ରହିଛି।

Comment