ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୨୬ ଦିନରେ ପହଞ୍ଚିଛି। ଯୁଦ୍ଧକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରୁନାହିଁ। ଯୁଦ୍ଧ ଥମୁ ନାହଁ କି ରୁଷ ସେନାଙ୍କ ଆତଙ୍କ କମୁ ନାହିଁ।

ରୁଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ବ୍ରେକ ଲାଗୁ ନାହିଁ। ରୁଷର ଆକ୍ରମଣରେ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଏକ କୋଟିରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଇତି ମଧ୍ୟରେ ୟୁକ୍ରେନ ରାଷ୍ଟପ୍ରତି ରାଜି ହୋଇଛନ୍ତି ରୁଷ ସହ ଆଲୋଚନା କରିବା ପାଇଁ। ଯଦି ଆଲୋଚନା ସଫଳ ନହୁଏ ତେବେ ତୃତୀୟ ବିଶ୍ଵଯୁଦ୍ଧ ହେବାର ସମ୍ଭାବନା ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି।

ରୁଷ ସହ ଆଲୋଚନା କରିବାକୁ ପ୍ରସ୍ତୁତ ୟୁକ୍ରେନ

ସୋମବାର ୟୁକ୍ରେନ ସୈନ୍ୟମାନଙ୍କୁ ଲକ୍ଷ୍ୟ କରି ହାଇପରସୋନିକ ଏବଂ କ୍ରୁଜ୍ ମିଶାଇଲ ମାଡ଼ କରିଛନ୍ତି ରୁଷ ସେନା। ଦୀର୍ଘ ୨୬ ଦିନ ଧରି ୟୁକ୍ରେନରେ ଧ୍ଵଂସଲୀଳା ଚଳାଇଛନ୍ତି ୟୁକ୍ରେନ ସୈନିକମାନେ। ଗୋଟିଏ ପରେ ଗୋଟିଏ ୟୁକ୍ରେନର ସହରକୁ ମାଟିରେ ମିଶାଇବାରେ ଲାଗିଛି ରୁଷ। ଅନେକ ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ୁଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ହେବାର ନାଁ ଧରୁନି। ଇତି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପ୍ରସ୍ତୁତ ଥିବା କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ତୃତୀୟ ବିଶ୍ଵଯୁଦ୍ଧ ହେବାର ସମ୍ଭାବନା ରହିଛି ବୋଲି ଜେଲେନସ୍କି କହିଛନ୍ତି।

ଏହା ପୂର୍ବରୁ ଜେଲେନସ୍କି କହିଥିଲେ ମାରିୟୁପୋଲ ଉପରେ ହୋଇଥିବା ଆକ୍ରମଣ ଇତିହାସରେ ଲିପିବଦ୍ଧ ହୋଇ ରହିବ। କାରଣ ରୁଷ ଯୁଦ୍ଧ ଆରମ୍ଭ କରି ଭୁଲ ନୁହେଁ ବରଂ ଅପରାଧ କରିଛି। ୟୁକ୍ରେନର ରାଜଧାନୀ କ୍ଵିଭ୍ ଉପରେ ରୁଷ ସେନାଙ୍କ ବୋମା ମାଡ଼ ଯୋଗୁଁ ଆଜି ୪ ଜଣଙ୍କର ମୃତ୍ୟୁ ହୋଇଛି। ବୋମା ବିସ୍ଫୋରଣ କାରଣରୁ କ୍ଵିଭ୍‌ର ପୋଡିଲ୍‌ସ୍କି ଜିଲ୍ଲାର କିଛି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା।

ୟୁକ୍ରେନ ଉପରେ ରୁଷର ହାଇପରସୋନିକ ମିଶାଇଲ ମାଡ଼

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ୟୁକ୍ରେନ ଉପରେ ରୁଷ ନିଜର ଲାଟେଷ୍ଟ ହାଇପରସୋନିକ ମିଶାଇଲ ମାଡ଼ କରିଛି। ଆଜି ୟୁକ୍ରେନର କୌଣସି ସ୍ଥାନରେ ରୁଷ ଏୟାର ଷ୍ଟ୍ରାଇକ୍ କରିପାରେ ବୋଲି ୟୁକ୍ରେନ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହି ସଙ୍କଟକୁ ଆଖି ଆଗରେ ରଖି ୟୁକ୍ରେନର ସମସ୍ତ ସହରରେ ବିମାନ ଆକ୍ରମଣ ନେଇ ସତର୍କ କରାଯାଇଛି।

ମାରିୟୁପୋଲ ଆର୍ଟ ସ୍କୁଲକୁ ମାଟିରେ ମିଶାଇଲା ରୁଷ

ୟୁକ୍ରେନର ମାରିୟୁପୋଲ ସହରରେ ଅବସ୍ଥିତ ଏକ ଆର୍ଟ ସ୍କୁଲ ଉପରେ ରୁଷ ସେନାମାନେ ଅତର୍କିତ ଆକ୍ରମଣ କରିଛନ୍ତି। ରୁଷ ସେନାଙ୍କ ଘନ ଘନ ବୋମା ମାଡ଼ରେ ଧ୍ଵଂସ ହୋଇଯାଇଛି ଏହି ଆର୍ଟ ସ୍କୁଲଟି। ରୁଷ-ୟୁକ୍ରେନ ଯୁଦ୍ଧରେ ସର୍ବସ୍ଵାନ୍ତ ହୋଇଥିବା ୪୦୦ରୁ ଅଧିକ ୟୁକ୍ରେନ ନାଗରିକ ଏହି ସ୍କୁଲରେ ଆଶ୍ରୟ ନେଇଥିଲେ। ରୁଷ ସେନାଙ୍କ ବୋମା ବିସ୍ଫୋରଣରେ ସମସ୍ତେ ମାଟି ତଳେ ଦବି ରହିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି।

Tags: #RussiaUkraineWar #Russia #Ukraine #3rdWorldWar #UkrainePresident #RussiaPresident

Comment