ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନରେ ଧ୍ଵଂସ ଲୀଳା ଜାରି ରଖିଛି ରୁଷ। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସୋମବାର ୧୯ ଦିନରେ ପହଞ୍ଚିଛି। ଯୁଦ୍ଧକୁ ନେଇ ରୁଷ ଏବଂ ୟୁକ୍ରେନ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ଫିଟି ପାରୁ ନାହିଁ। ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୫୯୬ ଜଣ ୟୁକ୍ରେନ ନାଗରିକଙ୍କର ମୃତ୍ୟୁ ହୋଇଛି ଏବଂ ହଜାରେରୁ ଊର୍ଦ୍ଧ୍ଵ ଗୁରୁତର ଆହତ ହୋଇଛନ୍ତି ବୋଲି ୟୁକ୍ରେନ କହିଛି। ଏଣେ ୟୁକ୍ରେନର ରାଜଧାନୀ କ୍ଵିଭକୁ ଜବ୍‌ଜାକୁ ନେବାକୁ ପ୍ରୟାସ ଜାରି ରଖିଛି ରୁଷ।

ଯୁଦ୍ଧ ଭୟରେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଉଛନ୍ତି ୟୁକ୍ରେନ ନାଗରିକ। ଯୁଦ୍ଧ ମଧ୍ୟରେ ୟୁକ୍ରେନର ୯ଟି ଅଞ୍ଚଳରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ରୁଷର ୭ଟି ବିମାନ ଖସାଇଥ ଦାବି କରିଛି ୟୁକ୍ରେନ। ଗତ ରବିବାର ରୁଷ ସେନାଙ୍କ ମିଶାଇଲ ମାଡ଼ରେ ପ୍ରାଣ ହରାଇଛନ୍ତି ୩୫ ଜଣ। ୧୯ ଦିନ ଧରି ୟୁକ୍ରେନରେ ଜାରି ରହିଥିବା ଧ୍ଵଂସର ତାଣ୍ଡବ ସାରା ବିଶ୍ଵକୁ ଆତଙ୍କିତ କରିଛି।

ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭରେ ମିଶାଇଲ୍ ମାଡ଼ କରିଥିଲେ ରୁଷ ସେନା। ରୁଷର ୩୦ଟି ମିଶାଇଲ ମାଡ଼ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନର ରାଜଧାନୀ କ୍ଵିଭ ଉପରେ ନଜର ପକାଇଛି ରୁଷ। ଏବେ କ୍ଵିଭକୁ ନିଜ ଅକ୍ତିଆରକୁ ନେବାକୁ ଜୋରଦାର କସରତ କରିଚାଲିଛି ରୁଷ। ଦୀର୍ଘ ଦିନ ହେଲା ରୁଷ ସେନା କ୍ଵିଭ ଉପରେ ଟାର୍ଗଟେ କରି ଧ୍ଵଂସଲୀଳା ଜାରି ରଖିଛନ୍ତି। କ୍ଵିଭକୁ ତିନି ପଟୁ ଘେରି ରହିଛନ୍ତି ରୁଷ ସେନା। ୟୁକ୍ରେନ ମଧ୍ୟ ପାଲଟା ଜବାବ ଦେଇ ଚାଲିଛି ରୁଷ ସେନାଙ୍କୁ।

ରୁଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ସମାପ୍ତି ପାଇଁ ସାରା ବିଶ୍ଵ ଚାହିଁ ରହିଥିବାବେଳେ ଏହି ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ରୁଷ ଯୁଦ୍ଧରୁ ଓହରିବ ନାହିଁ ବୋଲି କହୁଥିବାବେଳେ ଆମେ ଅବିଶ୍ରାନ୍ତ ଲଢ଼େଇ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ଇତି ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅସ୍ଥାୟୀ ଭାବେ ପୋଲାଣ୍ଡ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି। ରୁଷ ସେନାଙ୍କ ଆକ୍ରମର ଯୋଗୁଁ ସୁରକ୍ଷା ବିପନ୍ନ ହେବାରୁ ଭାରତୀୟ ଦୂତାବାସର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଏ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Tag: #Russia #Ukraine #RussiaUkraineWar #RussiaAttack #Kyiv

Comment