ଓଡ଼ିଶାଲାଇଭ ବ୍ୟୁରୋ
ଜଣେ ହାସ୍ୟ ଅଭିନେତାରୁ ଦେଶର ରାଷ୍ଟ୍ରପତି ହେବାର ଯାତ୍ରା ଏତେ ସହଜ ନଥିଲା। ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଦମ୍ଭ ଦେଖି ସାରା ବିଶ୍ଵ ବିସ୍ମିତ। ବିଶ୍ଵ ଶକ୍ତି ରୁଷକୁ କଡ଼ା ଜବାବ ଦେଇ ପ୍ରଶଂସନୀୟ ହୋଇପାରିଛନ୍ତି ଜେଲେନସ୍କି।
ଯୁଦ୍ଧ ହେଉଛି । ବିଶ୍ୱ ଦେଖୁଛି। ପୃଥିବୀରେ ଏବେ କେବଳ ଦୁଇଟି ଦେଶର ଚର୍ଚ୍ଚା। ରୁଷ ଏବଂ ୟୁକ୍ରେନ। ଭ୍ଲାଦିମିର ପୁଟିନ ଓ ଭୋଲୋଦିମିର ଜେଲେନସ୍କିଙ୍କୁ ସମସ୍ତେ ଜାଣିଲେଣି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କଥା କାହାକୁ ଅଛପା ନାହିଁ। କିନ୍ତୁ ଏହି ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଦମ୍ଭ ଦେଖି ସାରା ବିଶ୍ଵ ବିସ୍ମିତ। ଯେଉଁ ଭଳି ଭାବରେ ଜେଲେନସ୍କି ଦୃଢ଼ତାର ସହ ବିଶ୍ଵ ଶକ୍ତି ରୁଷକୁ ସାମ୍ନା କରୁଛନ୍ତି ତାହା ଖୁବ ପ୍ରଶଂସନୀୟ। ଶେଷ ନିଃଶ୍ୱାସ ଯାଏଁ ଶତ୍ରୁକୁ ସାମ୍ନା କରିବାକୁ ଶପଥ କରିଛନ୍ତି ଜେଲେନସ୍କି। ଯୁଦ୍ଧ ପୋଷାକ ପିନ୍ଧି ରଣକ୍ଷେତ୍ରରେ ନିଜ ଦେଶବାସୀଙ୍କୁ ସେ ସୁରକ୍ଷା ଦେଉଛନ୍ତି, ନିଶ୍ଚିତ ଭାବରେ ତାଙ୍କ ସାହସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଜାନୁଆରୀ ୨୫, ୧୯୭୮ ମସିହା ୟୁକ୍ରେନର କ୍ରାଇବ୍ଵି ରିହ ଅଞ୍ଚଳରେ ଭୋଲୋଦିମିର ଜେଲେନସ୍କିଙ୍କ ଜନ୍ମ। କ୍ରିବି ରିହରେ ସ୍କୁଲ ପାଠପଢ଼ା ସାରିବା ପରେ କ୍ଵିଭ ଜାତୀୟ ଅର୍ଥନୀତି ବିଶ୍ଵବିଦ୍ୟାଳୟରେ ସେ ଅର୍ଥନୀତି ପାଠ ପଢ଼ିଛନ୍ତି। ସେ ଆଇନରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଏହି କ୍ଷେତ୍ରରେ କେବେ କାମ କରିନାହାନ୍ତି। ବରଂ ହାସ୍ୟ ଅଭିନେତା ହୋଇ ମନୋରଞ୍ଜନ କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ କ୍ୱାର୍ଟାଲ୍ ୯୫, କମେଡି ଟ୍ରୁପ୍ ସହିତ ବହୁ ବର୍ଷ ବିତାଇଛନ୍ତି। ଅନେକ ଟିଭି ସୋ’ ଏବଂ ଫିଚର ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।
ହାସ୍ୟ ଅଭିନେତାରୁ ରାଷ୍ଟ୍ରପତି
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଜୀବନୀ ଭାରି ରୋଚକ ରହିଛି। ୟୁକ୍ରେନର ରାଷ୍ଟ୍ରପତି ହେବାର ଇତିହାସରେ ଜେଲେନସ୍କିଙ୍କ କଥା କିଛି ଅଲଗା। ପୂର୍ବରୁ ୟୁକ୍ରେନବାସୀଙ୍କୁ ହସାଉ ଥିଲେ, ଏବେ ଦେଶର ଭାର ମୁଣ୍ଡାଇଛନ୍ତି। ଅର୍ଥାତ ଜଣେ ହାସ୍ୟ ଅଭିନେତାରୁ ୟୁକ୍ରେନ ରାଷ୍ଟ୍ରପତି ସାଜିଛନ୍ତି ଭୋଲୋଦିମିର ଜେଲେନସ୍କି।
୪୪ ବର୍ଷୀୟ ଜେଲେନସ୍କି ରାଜନୈତିକ ବ୍ୟଙ୍ଗ କଳାକାର ଭାବେ ପରିଚୟ ଲାଭ କରିଥିଲେ। ୨୦୧୫ରୁ ୨୦୧୯ ମଧ୍ୟରେ ପ୍ରସାରିତ ହୋଇଥିବା ଟିଭି ସୋ’ ‘ସରଭାଣ୍ଟ ଅଫ୍ ପିପୁଲ’ରେ ତାଙ୍କ ଚରିତ୍ରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଜଣେ ସ୍କୁଲ ଶିକ୍ଷକରୁ ଦେଶର ରାଷ୍ଟ୍ରପତି ହେବାର କାହାଣୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା। ଏହି ଭୂମିକାରେ ଅଭିନୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ ଜେଲେନସ୍କି। ତାଙ୍କ କମେଡି ଏତେ ଲୋକାଦୃତ ହୋଇଥିଲା ଯେ, ଏହି ସୋ’ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା। ଦେଶ କିପରି ଦୁର୍ନୀତି ମୁକ୍ତ ହୋଇପାରିବ ତାହା ଚିତ୍ରଣ କରି ଜେଲେନସ୍କି ଯୁବପିଢ଼ିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୋ’ରେ ଜେଲେନସ୍କିଙ୍କ ଚରିତ୍ର ଓ ତାଙ୍କର ଆଭିମୁଖ୍ୟ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା। ଏହି ସିରିଜ କେବଳ ଜେଲେନସ୍କିଙ୍କୁ ରାତାରାତି ଲୋକପ୍ରିୟ କରିନଥିଲା, ରାଷ୍ଟ୍ରପତି ପଦ ପାଇଁ ତାଙ୍କ ପ୍ରଚାରକୁ ଆହୁରି ସହଜ କରିଥିଲା।
୨୦୧୮ରେ ଜେଲେନସ୍କି ନିଜ ରାଜନୈତିକ ଦଳ ଗଠନ କରନ୍ତି ଏବଂ ନାଁ ରଖନ୍ତି ‘ସରଭାଣ୍ଟ ଅଫ୍ ଦ ପିପୁଲ’ । ୨୦୧୯ରେ ଏହି ଦଳ ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ୭୦ ପ୍ରତିଶତ ଭୋଟରେ ପରାଜିତ କରି ଶେଷରେ କମେଡି କିଙ୍ଗ ଜେଲେନସ୍କି ସାଜିଥିଲେ ୟୁକ୍ରେନର ରାଷ୍ଟ୍ରପତି।
ପତ୍ନୀ ଓ ଦୁଇ ସନ୍ତାନଙ୍କୁ ନେଇ ଜେଲେନସ୍କିଙ୍କ ପରିବାର
ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ଜେଲେନସ୍କି ଅନେକ ସମୟରେ ନିଜ ପରିବାରର ଫଟୋକୁ ସେୟାର କରିବାକୁ ଭୁଲନ୍ତି ନାହିଁ। ତାଙ୍କ ପତ୍ନୀ ଓଲେନା ଭୋଲୋଦିମିର ଜେଲେନସ୍କି ଜଣେ ଇଂଜିନିଅର। ଏହା ସହ ସେ ଜଣେ ଲୋକପ୍ରିୟ ସ୍କ୍ରିନ ରାଇଟର ମଧ୍ୟ। ୨୦୦୩ରେ ଦୁହିଁଙ୍କର ବିବାହ ହୋଇଥିଲା। ଓଲୋନା କ୍ରିବି ରିହ୍ ନ୍ୟାସନାଲ ୟୁନିଭର୍ସିଟିର ଛାତ୍ରୀ। ସେ ସିଭିଲ ଇଂଜିନିଅରିଂରେ ଡିଗ୍ରୀ ହାସଲ କରିଛନ୍ତି। ହେଲେ ଇଂଜିନିଅରିଂ ଅପେକ୍ଷା ସ୍କ୍ରିନ ରାଇଟର୍ ଭାବେ ୟୁକ୍ରେନରେ ତାଙ୍କର ବେଶ ଖ୍ୟାତି ରହିଛି।
ରାଷ୍ଟ୍ରପତି ଜେଲେନସ୍କିଙ୍କର ଦୁଇ ସନ୍ତାନ ଅଛନ୍ତି। ଝିଅ ଅଲେକସାନ୍ଦ୍ରା ଓ ପୁଅ କିରିଲୋ। ପତ୍ନୀ ଓଲେନା, ୧୭ ବର୍ଷର ଝିଅ ଓ ୯ ବର୍ଷର ପୁଅ କିରିଲୋକୁ ନେଇ ଜେଲେନସ୍କିଙ୍କର ଖୁସିର ସଂସାର।
ଜାଣନ୍ତୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ବିଷୟରେ କିଛି ଅଜଣା କଥା
- ଅର୍ଥନୀତି ଓ ଆଇନରେ ଡିଗ୍ରୀ କରିଥିବା ଜେଲେନସ୍କି ଅଭିନୟ କ୍ଷେତ୍ରର ଖୁବ ପ୍ରସିଦ୍ଧି ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଥାପିଥିଲେ।
- ଭୋଲିଦିମର୍ ଜେଲେନସ୍କି ‘ଦ ଲିଗ୍ ଅଫ ଲାଫଟର’ ଏନଜିଓର ପ୍ରତିଷ୍ଠାତା ଅଟନ୍ତି।
- ଜେଲେନସ୍କି ୧୦ଟି ଭିଚର ଚଳଚ୍ଚିତ୍ର ନିର୍ମାତା ଏବଂ ୟୁକ୍ରେନ ଟେଲିଟ୍ରିଅମର ଜାତୀୟ ଟେଲିଭିଜନ ସମ୍ମାନରେ ୩୦ରୁ ଅଧିକ ପୁରସ୍କାର ଜିତିଛନ୍ତି।
- ଅନେକ ଜାତୀୟ ଚଳଚ୍ଚିତ୍ରରେ ସେ ପୁରସ୍କାର ପାଇଛନ୍ତି।
- ୨୦୧୭ ମସିହାରେ ତାଙ୍କ କମେଡି ସିରିଜ ଇନ-ଲଜ୍ ଏବଂ ସ୍ଵାଟୀକୁ ୟୁକ୍ରେନରେ ନିଶିଦ୍ଧ କରାଯାଇଥିଲା।