ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନକୁ ମେଡିକାଲ ସହାୟତା ପଠାଇବ ଭାରତ। ମେଡିସିନ୍ ସମେତ ଅନ୍ୟାନ୍ୟ ମାନବିକ ସହାୟତା ମଧ୍ୟ ଭାରତ ପଠାଇବ। ଆଜି ପ୍ରଥମ ପର୍ଯ୍ୟାୟ ସାମଗ୍ରୀ ପଠାଯିବ ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କେବଳ ଭାରତ ନୁହେଁ ସାରା ବିଶ୍ୱ ୟୁକ୍ରେନକୁ ସହାୟତାର ହାତ ବଢାଇଛି।

ଅନ୍ୟପଟେ ୟୁକ୍ରେନରୁ ଏଯାବତ ୬ଟି ବିମାନରେ ୧୪୦୦ ଭାରତୀୟ ନାଗରିକଙ୍କୁ ଭାରତ ଅଣାଯାଇଛି। ମୁଖପାତ୍ର କହିଛନ୍ତି, ଭାରତୀୟ ଦୂତାବାସ କ୍ଵିବରେ ପ୍ରଥମ ନିର୍ଦ୍ଦେଶାବଳି ଜାରି କରିବା ପରଠାରୁ ପ୍ରାୟ ୮ ହଜାର ଭାରତୀୟ ୟୁକ୍ରେନ୍‌ ଛାଡ଼ିଲେଣି। ଆସନ୍ତା ୨୪ ଘଣ୍ଟାରେ ଆଉ ୩ଟି ବିମାନ ଆସି ଭାରତ ପହଞ୍ଚିବ। ବାଗ୍‌ଚି କହିଛନ୍ତି, ବିମାନକୁ ନେଇ କୌଣସି ସମସ୍ୟା ନାହିଁ। ମୁଖ୍ୟ କଥା ହେଉଛି ଭାରତୀୟମାନେ ସୁରକ୍ଷିତ ଭାବେ ସୀମା ଅତିକ୍ରମ କରି ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚିବା। ବାଗ୍‌ଚି କହିଛନ୍ତି, ୟୁକ୍ରେନ୍‌ ସୀମାକୁ ଲାଗି ରହିଥିବା ୪ଟି ରାଷ୍ଟ୍ରରେ ସ୍ଵତନ୍ତ୍ର ରାଷ୍ଟ୍ରଦୂତଙ୍କୁ ମୁତୟନ କରାଯାଇଛି।

ଭାରତୀୟ ଛାତ୍ରଛାତ୍ରୀମାନେ ସିଧାସଳଖ ସୀମାରେ ନପହଞ୍ଚିବା ଉଚିତ୍‌ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଭାରତୀୟ ଛାତ୍ରମାନେ ତୁରନ୍ତ ସୀମାକୁ ନଯାଇ ନିକଟସ୍ଥ ସହର ଏବଂ ସହରର ପଶ୍ଚିମ ପାଶ୍ଵକୁ ଯିବାପାଇଁ ଚେଷ୍ଟା କରିବାକୁ କୁହାଯାଇଛି। ଭାରତୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବାପାଇଁ କୁହାଯାଇଛି।

Comment