ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୁବନେଶ୍ଵରରେ ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ
  • ଜାନୁଆରୀ ୩୧ରୁ ଫେବ୍ରୁଆରୀ ୩ ଯାଏଁ ଚାଲିବ କନକ୍ଲେଭ
  • ଆଲୁମିନିୟମ ଶିଳ୍ପକୁ ଆଗକୁ ନେବା ପାଇଁ ଚାଲିବ ମାନସମନ୍ଥନ
  • ୨୦ଟି ଦେଶର ୮୦୦ ପ୍ରତିନିଧି ଯୋଗ ଦେବେ
  • ୩୫୦ ବିଦେଶୀ ପ୍ରତିନିଧି ସାମିଲ ହେବେ

ବଜାରରେ ବଢ଼ୁଛି ଆଲୁମିନିୟମର ଚାହିଦା। ଆଲୁମିନିୟମ ଶିଳ୍ପର କିପରି ବିକାଶ ହୋଇପାରିବ ସେନେଇ ସ୍ମାର୍ଟସିଟି ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ-୨୦୧୯। ଜାନୁଆରୀ ୩୧ରୁ ଫେବ୍ରୁଆରୀ ୩ ଯାଏଁ ଚାଲିବ ଏହି କନକ୍ଲେଭ।

ଏହି କନକ୍ଲେଭରେ ଆଲୁମିନିୟମ ଶିଳ୍ପ ସହ ଜଡ଼ିତ ପ୍ରତିନିଧିମାନେ ଯୋଗ ଦେବେ। ଆଲୁମିନିୟମ ସେକ୍ଟର କିପରି ଆଗକୁ ବଢ଼ିବ ସେନେଇ ଚାରି ଦିନ ଧରି ମାନସମନ୍ଥନ କରିବେ।

ଭୁବନେଶ୍ଵରରେ ହେବାକୁ ଥିବା କନକ୍ଲେଭ ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ (ଏଏଆଇ) ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ସହଭାଗିତାରେ ଅନୁଷ୍ଠିତ ହେବ। ଏହି ଏହି ଅନ୍ତର୍ଜାତୀୟ କନକ୍ଲେଭକୁ ସଫଳ କରିବା ପାଇଁ ନବରତ୍ନ କମ୍ପାନି ନାଲ୍‌କୋ, ବେଦାନ୍ତ ଏବଂ ହିଣ୍ଡାଲ୍‌କୋ ଏକାଠି ହୋଇଛନ୍ତି। ଏହି ଅବସରରେ ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ‘ଆଲୁମିନିୟମ ଇଣ୍ଡିଆ’ ଆୟୋଜନ କରାଯିବ। ଏଏଆଇର ସହଭାଗିତାରେ ଜର୍ମାନୀର ରିଡ୍ ଏକ୍‌ଜିହିବିସନ ଏହି ପ୍ରଦର୍ଶନୀକୁ ଆୟୋଜନ କରୁଛନ୍ତି।

ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ ଆୟୋଜନକୁ ନେଇ ନିକଟରେ ନାଲ୍‌କୋ ସିଏମ୍‌ଡି ତଥା ଏଏଆଇର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଚାନ୍ଦ କହିଥିଲେ, “ଆଲୁମିନିୟମ ଶିଳ୍ପର ବିକାଶ ପାଇଁ ଏହି କନକ୍ଲେଭରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଆଲୁମିନିୟମ ଶିଳ୍ପକୁ ଆଗକୁ ନେବା ପାଇଁ ରୋଡମ୍ୟାପ୍-୨୦୩୦ ପ୍ରସ୍ତୁତ କରାଯିବ। ଏହି ମେଗା କନକ୍ଲେଭରେ ଆଲୁମିନିୟମ ସେକ୍ଟରର ସାଂପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ। ଏହି ସେକ୍ଟରରେ କିପରି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ସେ ସମ୍ପର୍କରେ ମଧ୍ୟ ମାନସମନ୍ଥନ ହେବ।”

ଓଡ଼ିଶା ହେଉଛି ଭାରତର ‘ଆଲୁମିନିୟମ କ୍ୟାପିଟାଲ’। ଏହାକୁ ଏହି କନକ୍ଲେଭରେ ଦେଶ ବିଦେଶର ପ୍ରତିନିଧିଙ୍କ ଆଗରେ ଉପସ୍ଥାପିତ କରାଯିବ ବୋଲି ଡକ୍ଟର ଚାନ୍ଦ  କହିଛନ୍ତି।

“ମେକିଙ୍ଗ ଆଲୁମିନିୟମ – ଡ୍ରାଇଭିଙ୍ଗ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ” – ଏହି ଥିମ୍‌କୁ ନେଇ ଭୁବନେଶ୍ଵରରେ ଏହି ମେଗା କନକ୍ଲେଭ ଆୟୋଜନ କରାଯାଉଛି।

ଏହି କନକ୍ଲେଭରେ କାନାଡାର ALCAN, ଯୁକ୍ତରାଷ୍ଟ୍ର ଆମେରିକାର ALCOA, ଚୀନର  CHALIECO & CHINALCO, ଦୁବାଇର DUBAL, ଲଣ୍ଡନର Rio Tinto, ଋଷିଆର RUSSAL, ନରୱେର Norsk Hydro ର ପ୍ରତିନିଧିମାନେ ଯୋଗଦେବେ।

ଅନ୍ୟମାନଙ୍କ ମଧ୍ୟରେ ଡେନମାର୍କର FL Smidth, ଜର୍ମାନୀର SMS, ଇଟାଲୀର Danielle, ALMEX & Properzi, ଫ୍ରାନ୍ସର Carbon Savoie ର ପ୍ରତିନିଧି ଯୋଗଦେଇ ଆଲୁମିନିୟମ ଶିଳ୍ପରେ ଦେଖାଦେଇଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରିବେ।

ଏହି କନକ୍ଲେଭରେ ପ୍ରାୟ ୨୦ଟି ଦେଶରୁ ୮୦୦ ପ୍ରତିନିଧି, ୧୨୦ଟି ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେବେ। ୩୫୦ ଜଣ ବିଦେଶୀ ପ୍ରତିନିଧି ସାମିଲ୍ ହେବେ।

ଚାରି ଦିନ ଧରି ଚାଲିବାକୁ ଥିବା କନକ୍ଲେଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ହାଇ କମିଶନର କନସୁଲେଟ୍ ଜେନେରାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଏହି ଅନ୍ତର୍ଜାତୀୟ ସ୍ତରର କନକ୍ଲେଭର ନିଜସ୍ୱ ମାସ୍କଟ ଉନ୍ମୋଚନ କରାଯିବ।

Comment