ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ବିମାନ ଉଡାଣ ପାଇଁ ଅନୁମତି ଦେଇଛନ୍ତି। ଏହାସହ ରାଉରକେଲା ବିମାନ ବନ୍ଦରକୁ ଗ୍ରେଡ ୨ବି ରୁ ୨ସି କୁ ଉନ୍ନୀତ କରାଯାଇଛି। ଏୟାରପୋର୍ଟ ଅଥରିଟି ଅଫ୍‌‌ ଇଣ୍ଡିଆ ଲିମିଟେଡ୍‌‌ ଏହି ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ।

ଆସନ୍ତା ଜାନୁଆରି ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ହକିର ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଉରକେଲା ବିମାନବନ୍ଦରକୁ ବିମାନ ଉଡ଼ାଣ ଅନୁମତି ମିଳିବା ପରେ ଖୁବଶୀଘ୍ର ଅଲାଏନ୍ସ ଏୟାର ଏଠାରୁ  ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ କରିବ।

ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ରେ ରିଜନାଲ କନେକ୍ଟିଭିଟି ସ୍କିମ (ଆରସିଏସ) ‘ଉଡାନ’ ଯୋଜନା ଅନ୍ତର୍ଗତ ଏଟିଆର-୭୨/କ୍ୟୁ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍‌‌ -୨ବି ରୁ କୋଡ୍‌‌ -୨ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରସ୍ତାବରେ ରନେୱର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ ଏବଂ ଟର୍ମିନାଲ୍‌‌ ବିଲଡିଂ ନିର୍ମାଣ କାର୍ଯ୍ୟ କରାଯାଇଛି।

ରାଉରକେଲା ବିମାନ ବନ୍ଦର ସହରଠାରୁ ୬ କିଲୋମିଟର ଦୂର ପଶ୍ଚିମ ଦିଗରେ ଥିବା ଛେଣ୍ଡ କଲୋନୀ ନିକଟରେ ଅବସ୍ଥିତ। ଏହା ଭାରତୀୟ ଇସ୍ପାତ ପ୍ରାଧିକରଣଙ୍କ ମାଲିକାନାରେ ଥିବା ଏକ ବେସାମରିକ ବିମାନବନ୍ଦର। ଏହି ବିମାନବନ୍ଦରଟି ପ୍ରାୟତଃ ରାଉରକେଲାକୁ ପରିଦର୍ଶନରେ ଆସୁଥିବା ଇସ୍ପାତ ପ୍ରାଧିକରଣଙ୍କ ଉଚ୍ଚ ଅଧିକାରୀ ଏବଂ ଅନ୍ୟାନ୍ୟ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହୁଏ। ଏହାକୁ ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣଙ୍କ ଅଧିନକୁ ଆଣି ସର୍ବସାଧାରଣ ବ୍ୟବହାର କରିବାକୁ ବିମାନବନ୍ଦରର ଯାତ୍ରୀ ଟର୍ମିନାଲକୁ ନବୀକରଣ କରାଯାଇଛି।

Tags: #Rourkelaairport #DGCAclearance #flightoperations #Airconnectivity #UDANscheme #AAI#Odisha

Comment