ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାୟକଙ୍କ ଗିରଫ ଦାବିରେ ବେଗୁନିଆ ଥାନାରେ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ।

ପୁଣି ଅଡୁଆରେ ପଡ଼ିଛନ୍ତି ବେଗୁନିଆର ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବ। ବିଗତ ଦିନରେ ଜଣେ ସରକାରୀ କର୍ମଚାରୀ ଏବଂ ଦଳୀୟ କର୍ମୀଙ୍କୁ ହାତ ଉଠାଇ ଚର୍ଚ୍ଚାରେ ରହିଥିବା ଜଗଦ୍ଦେବଙ୍କ ବିରୋଧରେ ଆଜି ବେଗୁନିଆରେ ଶହ ଶହ ଲୋକ ଏକାଠି ହୋଇଛନ୍ତି। ବିଧାୟକଙ୍କ ଗିରଫ ଦାବି କରିଛନ୍ତି।

ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ସ୍ଥାନୀୟ ଲୋକେ ତାତିଛନ୍ତି। ବେଗୁନିଆ ଥାନାରେ ଲଙ୍କାକାଣ୍ଡ ଘଟାଇଛନ୍ତି।

ଗତ କିଛିଦିନ ତଳେ ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ବିଧାୟକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ବେଗୁନିଆ ଥାନାରେ ଏତଲା ହୋଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଏହାକୁ ନେଇ ଆଜି ବେଗୁନିଆ ଥାନାରେ ଶହ ଶହ ଲୋକ ହଙ୍ଗାମା କରିଛନ୍ତି।

ଥାନା ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏସ୍‌ଡିପିଓଙ୍କ ଗାଡ଼ି ଉପରକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଢେଲା ପଥର ମାଡ଼ କରିବାକୁ ପଛାଇ ନଥିଲେ।

ବେଗୁନିଆ ଥାନାରେ ଉତ୍ତ୍ୟକ୍ତ ଲୋକଙ୍କ ଏଭଳି ଆକ୍ରମଣ ଆଗରେ ପୋଲିସ ଅସହାୟ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରି ପୋଲିସ ବିଫଳ ହୋଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ସବ୍ ଇନ୍ସିପେକ୍ଟର ମହେନ୍ଦ୍ର ସେଠୀ ଆହତ ହୋଇଥିବା ଜଣାପଡ଼ିଛି।

ଲୋକେ ବେଗୁନିଆ ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଧାୟକଙ୍କ ଗିରଫ ଦାବି କରିଥିଲେ ଲୋକେ। ଖବରପାଇ ଖୋର୍ଦ୍ଧାରୁ ପୋଲିସ ଫୋର୍ସ ବେଗୁନିଆରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ହେଲେ ବେଗୁନିଆରେ ଚାପା ଉତ୍ତେଜନା ଲାଗି ରହିଛି। ବିଧାୟକ-ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି।

ଗତ ଅଗଷ୍ଟ ମାସରେ ମଧ୍ୟ ବିଧାୟକ ଜଗଦ୍ଦେବ ହଟହଟା ହୋଇଥିଲେ। କୁସୁପଲ୍ଲାରେ ଅସନ୍ତୁଷ୍ଟ କର୍ମୀ ବିଧାୟକଙ୍କ ଉପରକୁ ପ୍ଲାଷ୍ଟିକ ଚେୟାର ଏବଂ ପାଣି ପାଉଚ ମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଫଳରେ କୁସୁପଲ୍ଲାରେ ୧୪୪ ଧାରା ଲାଗୁ କରିଥିଲା ପୋଲିସ।

୨୦୧୬ରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧୀ ‘ବାହୁବଳି’ ବିଧାୟକର ଆଖ୍ୟା ଦେଇଥିଲେ। ସେତେବେଳେ ସେ ବୋଲଗଡ଼ ତହସିଲଦାର, ତରତୁଆ ନିକଟରେ ଜଣେ ବିଜେଡି କର୍ମୀଙ୍କୁ ହାତ ଉଠାଇବା ଏବଂ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଧମକ ଦେବା ଆଦି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥିଲେ ପ୍ରଶାନ୍ତ।

Comment