ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ବିଜେପି କ୍ଷତି ସହିବ। ମୁଡ୍ ଅଫ୍ ଦ ନେସନ ସର୍ଭେରୁ ଆସିଲା ରିପୋର୍ଟ।

ଆଉ କିଛି ସପ୍ତାହର ପ୍ରତୀକ୍ଷା। ମୁଖ୍ୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ୍। ଏଥିପାଇଁ ପ୍ରମୁଖ ରାଜନୀତିକ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଛୋଟ ଆଞ୍ଚଳିକ ଦଳମାନେ ଏକାଠି ହେଉଛନ୍ତି।

ଏହାରି ଭିତରେ ଭୋଟରଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ୨୦୧୯ରେ କିଏ ଗଢ଼ିବ ସରକାର? ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣି ସରକାର ଗଢ଼ିବ ନା ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିବ? ଆଜି ଯଦି ଦେଶରେ ନିର୍ବାଚନ ହୁଏ ଭୋଟର କାହାକୁ ଭୋଟ ଦେବେ ବୋଲି ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ଆଜତକ ପକ୍ଷରୁ କରାଯାଇଥିଲା ମୁଡ୍ ଅଫ୍ ଦ ନେସ ନ ସର୍ଭେ।

ଏହି ସର୍ଭେରୁ ଜଣାପଡ଼ିଛି ଯେ କୌଣସି ଦଳ ବା ମହାମେଣ୍ଟକୁ ଏକାକୀ ପୂର୍ଣ୍ଣ ବହୁମତ ମିଳିବ ନାହିଁ। ୨୦୧୪ ଭଳି ଏଥର ମୋଦି ମ୍ୟାଜିକ କାମ କରିନପାରେ ବୋଲି ଏହି ସର୍ଭେ କହିଛି।

୨୦୧୪ ତୁଳନାରେ ୨୦୧୯ରେ ବିଜେପିର ୯୯ଟି ଆସନ କମିପାରେ। ବିଜେପି ୨୩୭ଟି ଆସନ ପାଇବ ବୋଲି ସର୍ଭେରୁ ଜଣାପଡ଼ିଥିବା ବେଳେ ଉପା ଭଲ ପ୍ରଦର୍ଶନ କରିବ ବୋଲି ଜଣାପଡ଼ିଛି। କଂଗ୍ରେସକୁ ୧୬୬ ଆସନ ମିଳିବ ବୋଲି ସର୍ଭେରୁ ଜଣାପଡ଼ିଛି। ହେଲେ କଂଗ୍ରେସ ପୂର୍ଣ୍ଣ ବହୁମତଠାରୁ ଦୂରରେ ରହିବ। ଅନ୍ୟ ଦଳମାନେ ମଧ୍ୟ ୧୪୦ଟି ଆସନ ପାଇବେ ବୋଲି ରିପୋର୍ଟ କହିଛି।

୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପିର ୩ ପ୍ରତିଶତ ଭୋଟ ହ୍ରାସ ହେବାର ସମ୍ଭାବନା ରହିଛି। କିନ୍ତୁ କଂଗ୍ରେସକୁ ଲାଭ ମିଳିବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଉପାକୁ ୨୦୧୪ ତୁଳନାରେ ଏଥର ୧୦ ପ୍ରତିଶତ ଅତିରିକ୍ତ ଭୋଟ ମିଳିବ ବୋଲି ରିପୋର୍ଟ କହିଛି।

Comment