ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପି କହିଲା ଏହା ରାଷ୍ଟ୍ରପତିଙ୍କ ଅସମ୍ମାନ। ବିଜେଡି କହିଲା ଅଯଥା ରାଜନୀତି କରା ନଯାଉ।

ପୁଣିଥରେ ଭାରତର ସର୍ବୋଚ୍ଚ ସମ୍ମାନ ‘ପଦ୍ମଶ୍ରୀ’କୁ ନେଇ ବିବାଦ ଦେଖାଦେଇଛି। ବିଶିଷ୍ଟ ଲେଖିକା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଏହି ସମ୍ମାନ ଗ୍ରହଣ କରିବାକୁ ମନା କରିଦେବା ପରେ ତେଜିଲା ରାଜନୀତି।

ବିଜେପି ଏହାକୁ ରାଷ୍ଟ୍ରପତିଙ୍କ ଅସମ୍ମାନ କହି ସମାଲୋଚନା କରିଥିବା ବେଳେ ବିଜେଡି କହିଛି ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ଗୀତା ମେହଟ୍ଟା ଏହି ସମ୍ମାନକୁ ଅଗ୍ରାହ୍ୟ କରିଥିବାରୁ ରାଜ୍ୟ ରାଜନୀତିର ପାରଦ ବଢ଼ିଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ରାଷ୍ଟ୍ରୀୟ ପୁରସ୍କାରକୁ କୌଣସି ବ୍ୟକ୍ତି ଅଗ୍ରାହ୍ୟ କରିବା ଠିକ୍ ନୁହେଁ। ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବାର ଅର୍ଥ ହେଉଛି ରାଷ୍ଟ୍ରପତିଙ୍କ ଅସମ୍ମାନ। ତେବେ ଗୀତା ମେହଟ୍ଟା ପୁରସ୍କାର ଗ୍ରହଣ କରିବେ ନାହିଁ ତାହା ତାଙ୍କର ବ୍ୟକ୍ତିଗତ ମତ। ଭାଇଙ୍କ କ୍ୟାରିଅର ପ୍ରତି ଯଦି ଆଞ୍ଚ ଆସିବ ବୋଲି ଭାବୁଥାନ୍ତି ଏହା ଭୁଲ୍। ତାଙ୍କ ପରି ସୁଲେଖିକାଙ୍କଠାରୁ ଏହା ଆଶା କରାଯାଏନି।”

୨୦୧୯ ବର୍ଷ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଥିଲା। ଏଥିରେ ଗୀତା ମେହଟ୍ଟାଙ୍କ ନାମ ରହିଥିଲା। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୀତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ଦେବା ଲାଗି ମନୋୟନ କରାଯାଇଥିଲା। କିନ୍ତୁ ଏହାକୁ ଗୀତା ଅଗ୍ରାହ୍ୟ କରିଦେଇଥିଲେ।

ଗୀତା କହିଥିଲେ, “ଭାରତ ସରକାର ମତେ ପଦ୍ମଶ୍ରୀ ଉପାଧି ଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ମୁଁ ଗର୍ବିତ ମନେ କରୁଛି। କିନ୍ତୁ ଅତି ଦୁଃଖର ସହିତ ମୁଁ ଘୋଷଣା କରୁଛି ଯେ ଏହି ପୁରସ୍କାରକୁ ମୁଁ ପ୍ରତ୍ୟାଖ୍ୟାନ କରିବା ପାଇଁ ସ୍ଥିର କରିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପୁରସ୍କାର ଗ୍ରହଣ କଲେ ଏହାର ଅଲଗା ଅର୍ଥ ବାହାରିବ। ଏଥିରେ ଉଭୟ ଭାରତ ସରକାର ଓ ନିଜେ ମୁଁ ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏହି ପୁରସ୍କାର ଗ୍ରହଣ କରିବା ସ୍ଥିତିରେ ମୁଁ ନାହିଁ।”

ବିଜେପିର ପ୍ରତିକ୍ରିୟା ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସେ ପୁରସ୍କାର ଗ୍ରହଣ କରିବେ କି ନାହିଁ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏସବୁକୁ ନେଇ ତାଙ୍କୁ ଅଯଥାରେ ରାଜନୀତିକୁ ଟଣା ନଯାଉ।

ଗୀତା ମେହଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ନବୀନ ପଟ୍ଟନାୟକଙ୍କ ଭଉଣୀ। ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ବିଜେପି ପୂର୍ବ ଭାରତ ମିଶନ ଅଭିଯାନ ଆରମ୍ଭ କରିଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ଫୋକସ୍ କରୁଛି ବିଜେପି। ଏଥିପାଇଁ ପୂର୍ବଭାରତର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ଦେଇ କେନ୍ଦ୍ରର ବିଜେପି ସରକାର ଭୋଟ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ପଶ୍ଚିମବଙ୍ଗର ଅଧିବାସୀ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜାଙ୍କୁ ସମ୍ମାନଜନକ ଭାରତରତ୍ନ ଏବଂ ବିଜୁ ବାବୁଙ୍କ ଝିଅ ଗୀତା ମେହଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଓଡ଼ିଆ ଓ ବଙ୍ଗାଳୀ ଭୋଟରଙ୍କ ମନ ଜିଣିବା ଲାଗି ଗେମ୍ ପ୍ଲାନ କରିଥିବା କୁହାଯାଉଛି। ହେଲେ ଗୀତା ଏହି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟ ରାଜନୀତିରେ ପାରଦ ବଢ଼ିଛି।

LEAVE A REPLY

Please enter your comment!
Please enter your name here