ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାଘର ପାଇଁ ୩ଫୁଟ ବରଫ ଉପରେ ୧୦ କିଲୋମିଟର ଚାଲି ଚାଲି ଆସିଲା ବର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ବର୍ତମାନ ଏଠାରେ ପ୍ରବଳ ମାତ୍ରାରେ ବରଫ ବର୍ଷିବାରେ ଲାଗିଛି। ଚାରିଆଡେ ବରଫର ଚାଦର ଘୋଡାଇ ହୋଇ ରହିଛି। ଗଛପତ୍ର, ଘରଦ୍ୱାର ଆଦି ସମସ୍ତ ସ୍ଥାନ ବରଫରେ ଘୋଡ଼ାଇ ହୋଇ ରହିଛି। ଏଠାରେ ରହୁଥିବା ଲୋକମାନେ ଏହି କାରଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବରଫ ଯୋଗୁଁ ଅନେକ ରାସ୍ତା ଏବେବି ବନ୍ଦ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ, ବରଫ ଆସ୍ତରଣ ଯୋଗୁଁ ଏକ ବିବାହ ଉତ୍ସବରେ ବର ଓ ବରଯାତ୍ରୀମାନେ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲିଚାଲି ଯାଇଛନ୍ତି। ଯାହା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ହୋଇଛି।
ବିବାହ କାର୍ଯ୍ୟ ବହୁ ଆନନ୍ଦ ଉଲ୍ଲାସର ହୋଇଥାଏ। ଦୁଇଟି ଅଲଗା ଅଲଗା ମଣିଷ ବିବାହ ବନ୍ଧନରେ ଆବଦ୍ଧ ହେବାରେ ନୂଆ ଜୀବନ ଆରମ୍ଭ କରିଥାନ୍ତି। ପରମ୍ପରା ଅନୁସାରେ ବାହାଘର ସରିବା ପରେ ବର ସହ କନ୍ୟା ବିଦା ହୋଇଥାଏ। ତେବେ ଉତ୍ତରାଖଣ୍ଡ ତ୍ରିଜୁଗିନାରାୟଣ ଗାଁରେ ମଧ୍ୟ ସେଇଆ ହିଁ ହୋଇଥିଲା। ବାହାଘର ସରିବା ପରେ ବର ଓ କନ୍ୟା ଉଭୟଙ୍କୁ ବିଦା କରିଥିଲେ କନ୍ୟାଘର ପକ୍ଷ। ରାସ୍ତାରେ ବରଫ ଥିବାରୁ ସେମାନେ ପ୍ରଥମେ ବରଫକୁ ଚିରି ଏର କୃତ୍ରିମ ରାସ୍ତା ନିର୍ମାଣ କରିଥିଲେ। ଆଉ ଏହାପରେ ହିଁ ଆରମ୍ଭ ହୋଇଥିଲା ବିଦାୟୀ ପର୍ବ।