ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅନ୍ତର୍ଜାତୀୟ ଚେସ୍ ତାରକା ପଦ୍ମିନୀ ରାଉତ। ଭୁବନେଶ୍ଵରଠାରେ ବୈଦିକ ରୀତିନୀତିରେ ମୁମ୍ବାଇର ଜୟକିଶିନ ମନାକାନୀଙ୍କ ସହ ପଦ୍ମିନୀଙ୍କର ବିବାହ ସମ୍ପନ୍ନ ହୋଇଛି। ପଦ୍ମିନୀଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ବହୁ ଜଣାଶୁଣା ଚେସ୍ ତାରକା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ।

୧୯୯୪ ମସିହା ଜାନୁଆରି ୫ ତାରିଖରେ କଟକ ଜିଲ୍ଲା ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିବା ପଦ୍ମିନୀ ମାତ୍ର ୯ ବର୍ଷ ବୟସରୁ ଚେସ୍‌ ଖେଳିବା ଆରମ୍ଭ କରିଥିଲେ। ୨୦୦୫ ମସିହାରେ ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ଜାତୀୟ ଚେସ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଜିତି ଥିଲେ। ୨୦୦୬ ମସିହାରେ ସେ ୧୩ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍‌ ଏସୀୟ ପ୍ରତିଯୋଗିତା ଜିତି ଥିଲେ।

୨୦୦୮ ମସିହାରେ ପଦ୍ମିନୀ ୧୪ ବର୍ଷରୁ କମ୍‌ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ହାସଲ କରିଥିଲେ। ୨୦୦୯ ମସିହାରେ ୨୦ ବର୍ଷରୁ କମ୍‌ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ପଦ୍ମିନୀ ରାଉତ।

ସେହିପରି ୨୦୧୦ରେ ସେ ୧୯ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ପଦ୍ମିନୀ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।

ଜାତୀୟ ମହିଳା ଚେସ୍‌ ଚାମ୍ପିୟନସିପରେ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ବିଜୟୀ ହେବା ସହ ଓଡ଼ିଶା ପାଇଁ ଗୌରବ ଆଣିଥିଲେ ପଦ୍ମିନୀ ରାଉତ। ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତି ଥିଲେ।

Tags: #PadminiRout #InternationalChessPlayer #Marriage #JaykishinMankani #Odisha

Comment