ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା। ୬ ଜଣଙ୍କୁ ଗିରଫ କଲା ପୋଲିସ।

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବଡ଼ଇନ୍ଦୁପୁର ଗଣହତ୍ୟା ଉପରୁ ପରଦା ହଟିଛି। ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ପୋଲିସ ଆଗରେ ଘଟଣାର ସତ କହିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଡଗମା ମୁଣ୍ଡା, ରାଜୁ ମୁଣ୍ଡା, ସାଲୁ ମୁଣ୍ଡା, ଦେବ୍ର ମୁଣ୍ଡା ଏବଂ ଗୁଣିଆ ବୁଦୁରା ମୁଣ୍ଡା।

ଜାନୁଆରୀ ୨୫ ତାରିଖର ଘଟଣା। ସନ୍ଧ୍ୟା ୭ଟା ୩୦ ମିନିଟରେ ବଡ଼ଇନ୍ଦୁପୁରର ମାଙ୍ଗିରି ମୁଣ୍ଡାଙ୍କ ଘରେ ପଶିଥିଲେ ୭ରୁ ୮ ଜଣ ଲୋକ। ଶାବଳରେ କବାଟ ଭାଙ୍ଗି ଘରେ ପଶିଥିଲେ। ମାଙ୍ଗିରି କୁନି ଝିଅକୁ କୋଳରେ ଧରି ବସିଥିବା ବେଳେ ପାଖରେ ଥିଲେ ତାଙ୍କର ଅନ୍ୟ ପିଲାମାନେ।

ହେଲେ ରକ୍ତମୁଖା ଗ୍ରାମବାସୀ ଜଣ ଜଣ କରି ଶାବଳରେ ସମସ୍ତଙ୍କୁ ହତ୍ୟା କରିଥିଲେ। ମୃତଦେହ ଘର ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଫେରାର ହୋଇଯାଇଥିଲେ।

ପାଖ ପଡ଼ୋଶୀ ଘରେ ଆସି ମାଙ୍ଗିରି ମୁଣ୍ଡାଙ୍କୁ ଖୋଜିଥିଲେ। ହେଲେ ତାଙ୍କ ପତ୍ତା ମିଳି ନଥିଲା କି ତାଙ୍କ ପିଲାମାନଙ୍କର କିଛି ଖୋଜ ଖବର ମିଳି ନଥିଲା। ଶେଷରେ ସନ୍ଦେହ ବଢ଼ିଲା। କୋଇଡ଼ା ଥାନାକୁ ଏନେଇ ଖବର ଦିଆଗଲା। ପୋଲିସ ରାତିରେ ପହଞ୍ଚି ଛାନଭିନ୍ କରିଥିଲା।

ଶେଷରେ ପରିତ୍ୟକ୍ତ କୂଅରୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିଥିଲେ। ଗୁଣିଗାରେଡି ସାନ୍ଦହରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରିଥିଲା।

ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିଲା। ଗ୍ରାମବାସୀଙ୍କ ବୟାନ, ମାଙ୍ଗିରିଙ୍କ ସ୍ୱାମୀ ସିଦିଆ ମୁଣ୍ଡାଙ୍କ ବୟାନ ଆଧାରରେ ପୋଲିସ ଗ୍ରାମର ୬ ଜଣଙ୍କୁ ଗିରଫ କରିଛି।

“ଗୁଣି ଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି। ଜଣେ ଗୁଣିଆଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ହୋଇଛି। ୬ ଜଣଙ୍କୁ ପୋଲିସ ଗିରଫ କରି ବୟାନ ରେକର୍ଡ କରିଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଚାଲିଛି”, କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଳନ।

କାହିଁକି ଘଟିଲା ଏହି ନିର୍ମମ ହତ୍ୟାକାଣ୍ଡ?

ବଡ଼ଇନ୍ଦୁପୁର ଗାଁର ଦେବ୍ର ମୁଣ୍ଡାଙ୍କର ଗୋଟିଏ ଝିଅର ଅଚାନକ ମୃତ୍ୟୁ ହେବା ସହ ଆଉ ଗୋଟିଏ ଝିଅ ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ଦେବ୍ର ମୁଣ୍ଡା ଗାଁର ଜଣେ ଗୁଣିଆଙ୍କୁ ପଚାରିଥିଲେ। ଗୁଣିଆ ଜଣକ ମାଙ୍ଗିରି ମୁଣ୍ଡାଙ୍କ ପାଇଁ ଏଭଳି ଅଘଟଣ ଘଟିଥିବା କହିଥିଲେ। ଗୁଣିଆ କହିଥିଲା କି ମାଙ୍ଗିରି ଘରେ ଗୁଣିଗାରେଡି କରୁଛି। ଫଳରେ ଗାଁ ପାଇଁ ବିପଦ ରହିଛି।

ଗୁଣିଆର କଥାକୁ ବିଶ୍ୱାସ କରି ଦେବ୍ରଙ୍କ ସମେତ ଗାଁର ଆଉ କିଛି ଲୋକ ଉତ୍ତ୍ୟକ୍ତ ହୋଇଯାଇଥିଲେ। ମାଙ୍ଗିରିଙ୍କୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା କରିଥିଲେ। ମାଙ୍ଗିରିର ସ୍ୱାମୀ ସିଦିଆ ୨୫ ତାରିଖରେ ଘରେ ନଥିବାର ସୁଯୋଗ ପାଇ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିଲା।

Comment