ଓଡ଼ିଶାଲାଇଭ୍ ବ୍ୟୁରୋ

“ସେମାନେ ସମସ୍ତେ ମତେ ପିଟିଲେ। ମୋ ମୁଣ୍ଡ କିଛି କାମ କଲାନି। ମୁଁ ରାଗି ଗଲି, ସମସ୍ତଙ୍କୁ ପିଟି ପିଟି ମାରିଦେଲି। ମୁଁ ଯାଉଛି ଥାନାରେ ଆତ୍ମସମର୍ପଣ କରିବି। ଆଇନ ଯାହା ଦଣ୍ଡ ଦେବ ତାକୁ ସ୍ଵୀକାର କରିବି”, ନିଜ ବଡ଼ ଭାଇଙ୍କ ସମେତ ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୋଷ ସ୍ଵୀକାର କରି ଏମିତି କିଛି କହିଛି।

କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ମଙ୍ଗଳବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ପରିବାରକୁ ନିପାତ କରିଛି ସାନଭାଇ। ଜମିବାଡ଼ି ବିବାଦରୁ ପାରିବାରିକ କଳହ ଏହି ହତ୍ୟାକାଣ୍ଡର ରୂପ ନେଇଛି। ବଡ଼ ଭାଇ, ଭାଉଜ, ଦୁଇ ପୁତୁରା ଏବଂ ଝିଆରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ଶିବ ସାହୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି। ଏହି ହତ୍ୟାକାଣ୍ଡ ପରେ ନିଜର ଦୋଷ ସ୍ଵୀକାର କରିଥିବା ଅଭିଯୁକ୍ତ ଶିବର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ମୃତକମାନେ ହେଲେ ହତ୍ୟା ଅଭିଯୁକ୍ତ ଶିବ ସାହୁର ବଡ଼ ଭାଇ ଅଲେଖ ସାହୁ, ଭାଉଜ ରଶ୍ମିରେଖା ପୃଷ୍ଟି, ମୃତ ଅଲେଖଙ୍କ ଦୁଇ ପୁଅ ଏବଂ ଗୋଟିଏ ଝିଅ। ହତ୍ୟାକାଣ୍ଡ ପରେ ସମସ୍ତଙ୍କୁ ଘରେ ତାଲା ପକାଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ଆଜି ସକାଳୁ ଅଲେଖଙ୍କ ଘର କବାଟରେ ତାଲା ପଡ଼ିଥିବା ପଡ଼ୋଶୀ ଲୋକ ଦେଖିଥିଲେ। ପୂର୍ବ ରାତିରେ ଶିବ ସାହୁ ସହ ଅଲେଖ ସାହୁଙ୍କର ଜୋର ଝଗଡ଼ ହୋଇଥିବା ପଡ଼ିଶା ଘର ଲୋକେ ଶୁଣିଥିଲେ। କୌଣସି ଅଘଟଣ ଘଟିଥିବା ଆଶଙ୍କା କରି ପୋଲିସ୍‌କୁ ପଡିଶା ଘର ଲୋକେ ଜଣାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଲେଖ ସାହୁଙ୍କ ଘରର ତାଲା ଭାଙ୍ଗି ସମସ୍ତ ୫ ମୃତ ଦେହ ଜବତ କରିଛି ପୋଲିସ।

ଅନ୍ୟ ପକ୍ଷରେ ହତ୍ୟା ଅଭିଯୁକ୍ତ ଏକ ଭିଡିଓରେ ନିଜ ବଡ଼ ଭାଇ, ଭାଉଜ ସମେତ ୫ ଜଣଙ୍କୁ ହତ୍ୟା କରିଥିବା ସ୍ଵୀକାର କରି କହିଛି ଯେ, ପୂର୍ବରୁ ଅଲେଖଙ୍କ ସହ ତାଙ୍କର ପାରିବାରିକ କଳହ ଲାଗି ରହିଥିଲା। ବିଭିନ୍ନ ସମୟରେ ଉଭୟ ପାଟିତୁଣ୍ଡ ମଧ୍ୟ ହୁଅନ୍ତି। ଗତକାଲି ରାତିରେ ଅଲେଖଙ୍କ ପରିବାରର ସମସ୍ତ ସଦସ୍ୟ ଶିବଙ୍କୁ ମାଡ଼ ମାରିଥିଲେ। ଏଥିରେ ଶିବ ରାଗି ଯାଇ ବଡ଼ ଭାଇ, ଭାଉଜ, ୨ ପୁତୁରା ଓ ଝିଆରୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଘର କବାଟରେ ତାଲା ପକାଇ ଯାଜପୁର ଫେରାର ହୋଇଯାଇଥିଲା।

ଆଜି ସକାଳୁ ନିଜ ଦୋଷ ମାନିବା ସହ ମାହାଙ୍ଗା ଫେରିବାକୁ ତାଙ୍କ ପାଖରେ ସାମର୍ଥ୍ୟ ନାହିଁ, ତେଣୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଛି ବୋଲି କହିଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି।

Tags: #MurderCase #MassMurder #FiveKilled #MurderesSurrenderatPS #MahangaMurderCase

Comment